ବାହାରୁ ଔଷଧ ଲେଖି ଶିଶୁରୋଗ ବିଶେଷଜ୍ଞ ନିଲମ୍ବିତ

ଭୁବନେଶ୍ୱର, ୫ା୧୨(ବ୍ୟୁରୋ)/ ବଲାଙ୍ଗୀର ଅଫିସ/ପାଟଣାଗଡ, (ଡି.ଏନ୍‌.ଏ.): ଶିଶୁରୋଗୀଙ୍କ ପାଇଁ ବାହାରୁ ଔଷଧ ଲେଖିବା ଶିଶୁରୋଗ ବିଶେଷଜ୍ଞଙ୍କୁ ମହଙ୍ଗା ପଡ଼ିଛି। ବଲାଙ୍ଗୀର ଜିଲା ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟର ଶିଶୁରୋଗ ବିଶେଷଜ୍ଞ ଡା. ବିଜୁ ଅଗ୍ରୱାଲଙ୍କୁ ଏଭଳି ଅପରାଧ ଲାଗି ରାଜ୍ୟ ସରକାର ବୁଧବାର ଚାକିରିରୁ ନିଲମ୍ବିତ କରିଛନ୍ତି। ଏହାସହ ଚିକିତ୍ସାଳୟରେ ଏଭଳି କାର୍ଯ୍ୟ ଚାଲୁଥିବା ସତ୍ତ୍ୱେ ଏହାକୁ ପ୍ରତିହତ କରିବାରେ ପାଟଣାଗଡ଼ ଏସଡିଏମ୍‌ଓ ଡା. ଦିଲୀପ ବିଶ୍ୱାଳ ବିଫଳ ହୋଇଥିତ୍ବାରୁ ତାଙ୍କ ବିରୁଦ୍ଧରେ ବିଭାଗୀୟ ପ୍ରୋସିଡିଂ କରାଯାଇଥିତ୍ବା ଜଣାପଡ଼ିଛି।
ସୂଚନାନୁଯାୟୀ, ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦା ବୁଧବାର ବଲାଙ୍ଗୀର ଗସ୍ତରେ ଥିବା ସମୟରେ ଡା. ଅଗ୍ରୱାଲ ରୋଗୀଙ୍କୁ ନିରାମୟ ଯୋଜନାରେ ମିଳୁଥିବା ଔଷଧ ବଦଳରେ ଦୋକାନରୁ ଔଷଧ କିଣିବା ପାଇଁ ଚିଠା ଲେଖିଥିବା ତାଙ୍କ ନଜରକୁ ଆସିଥିଲା। ବର୍ଷକର ଗୋଟିଏ ଶିଶୁ ଡାଇରିଆରେ ଆକ୍ରାନ୍ତ ହୋଇ ଚିକିତ୍ସାଳୟକୁ ଆସିଥିବାବେଳେ ତାଙ୍କୁ ଇଞ୍ଜେକ୍ସନ ଦେବା ପାଇଁ ଡା. ଅଗ୍ରୱାଲ ଲେଖିଥିଲେ। ତେବେ ଡା. ଚିଠାରେ ଲେଖିଥିବା ନେଟ୍‌ଲିମାଇସିନ୍‌ ଓ ଆମିକାସିିନ୍‌ ଇଞ୍ଜେକ୍ସନ ସେହି ଶିଶୁକୁ ଦିଆଯିବା କଥା ନୁହେଁ। କିନ୍ତୁ ଡାକ୍ତର ଲେଖିଥିବାରୁ ଶିଶୁ ଅଭିଭାବକ ବାଧ୍ୟ ହୋଇ ବାହାର ଦୋକାନରୁ ଖରିଦ କରିଥିଲେ। ନିରାମୟ ଯୋଜନା ବାହାରୁ ଔଷଧ ଲେଖିଲେ ତାହାକୁ ଜିରୋ ଟଲେରାନ୍ସ ଭାବେ ଗ୍ରହଣ କରି କୌଣସି ସ୍ଥିତିରେ ବରଦାସ୍ତ କରାଯିବ ନାହିଁ ବୋଲି ସରକାର ଚେତାବନୀ ଦେଇଥିବାବେଳେ ଏହାର ଖିଲାପ କରିଥିବା ଅଭିଯୋଗରେ ଡା. ଅଗ୍ରୱାଲଙ୍କୁ ନିଲମ୍ବିତ କରାଯାଇଛି। ପରିଦର୍ଶନ ସମୟରେ ଜିଲାପାଳ ଅରିନ୍ଦମ ଡାକୁଆ, ଡିଆରଡିଏ ପିଡି ଡ. ମହେଶ୍ୱର ସ୍ବାଇଁ, ସିଡିଏମ୍‌ଓ ଡା. ଦୈତାରୀ ସାହୁ ଓ ଅନ୍ୟ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

Share