ବାହାରେ ଛେପ ପକାଇଲେ ଜରିମାନା

ଭୁବନେଶ୍ୱର,୧୮ା୪(ବ୍ୟୁରୋ): କରୋନା ସଂକ୍ରମଣ ରୋକିବାକୁ ଦିନକୁ ଦିନ କଠୋର ଆଭିମୁଖ୍ୟ ଆପଣାଉଛନ୍ତି ରାଜ୍ୟ ସରକାର। ଏଣିକି ବାହାରେ ଛେପ ପକାଇଲେ ଜରିମାନା ଗଣିବାକୁ ପଡ଼ିବ। ନିକଟରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯିବା ସହ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ କରାଯାଉଛି। ଏବେ ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ଏକ ଦଣ୍ଡନୀୟ ଅପରାଧ ଓ ଏଥିପାଇଁ ଜରିମାନାର ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଶୁକ୍ରବାର କହିଛନ୍ତି। ସେ କହିଛନ୍ତି, ଭାରତୀୟ ମହାମାରୀ ଆଇନ-୧୮୯୭ ଆଧାରରେ ଓଡ଼ିଶା ସରକାର ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଥିରେ ସର୍ବସାଧାରଣ ସ୍ଥାନରେ ଛେପ ପକାଇବାକୁ ଏକ ଅପରାଧ ଭାବେ ଘୋଷଣା କରିଛନ୍ତି। ଯଦି କେହି ଏହି ନିୟମକୁ ପାଳନ ନ କରନ୍ତି ବା ବାହାରେ ଛେପ ପକାଉଥିବା ନଜରକୁ ଆସନ୍ତି, ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କଠାରୁ ୨୦୦ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ। ଅର୍ଥାତ୍‌ ଖିଲାପକାରୀ ପ୍ରଥମ ତିନିଥର ୨୦୦ ଟଙ୍କା ଓ ଏହା ପରେ ଉଲ୍ଲଂଘନ କଲେ ୫୦୦ ଟଙ୍କା ତଣ୍ଡ ଗଣିବେ। ବ୍ଲକସ୍ତରୀୟ ସମ୍ପ୍ରସାରଣ ଅଧିକାରୀ, ଅତିରିକ୍ତ ତହସିଲଦାର ଜରିମାନା ଆଦାୟ କରିପାରିବେ। ଏଥିସହିତ ପୋଲିସ କର୍ମଚାରୀ ଏବଂ ପୌରାଞ୍ଚଳ ୱାର୍ଡ ଅଧିକାରୀଙ୍କୁ ମଧ୍ୟ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କ୍ଷମତା ପ୍ରଦାନ କରାଯାଇଛିି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

Share