Categories: ଗଞ୍ଜାମ

ବାହାରେ ମଳତ୍ୟାଗ: ୨୪ ପରିବାରର ରାଶନ ବନ୍ଦ

ପାଟପୁର,୨ା୧୧-ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗୌତମୀ ସରପଞ୍ଚ ତାଙ୍କ ପଞ୍ଚାୟତରେ ଗତମାସ ୨୦ ତାରିଖରେ ବାହ୍ୟ ମଳତ୍ୟାଗକୁ ନେଇ ଏକ ଅଭିନବ ଫତ୍‌ଓ୍ବା ଜାରି କରିଥିଲେ। ଯଦି କୌଣସି ବ୍ୟକ୍ତି ବାହାରେ ମଳତ୍ୟାଗ କରନ୍ତି, ତେବେ ତାଙ୍କ ରାଶନ ସାମଗ୍ରୀ ବନ୍ଦ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କେତେକ ଲୋକ ଏହାକୁ ନ ମାନି ବାହାରେ ମଳତ୍ୟାଗ କରିଥିଲେ। ଏହା ଜଣାପଡ଼ିବା ପରେ ଶୁକ୍ରବାର ପଞ୍ଚାୟତର ୨୪ ପରିବାରର ରାଶନ ସାମଗ୍ରୀ ବନ୍ଦ କରିଦିଆଯାଇଛି। କିନ୍ତୁ ଏହାକୁ ବିଭିନ୍ନ ଗୋଷ୍ଠୀ ପକ୍ଷରୁ ବିରୋଧ କରାଯିବା ସହ ଶନିବାର ବ୍ଲକ ସମ୍ମୁଖରେ ବିକ୍ଷୋଭ କରାଯିବ ବୋଲି ସୂଚନା ମିଳିଛି।
ଏ ସମ୍ପର୍କରେ ଗୌତମୀ ସରପଞ୍ଚ ସୁଶାନ୍ତ କୁମାର ସ୍ବାଇଁଙ୍କୁ ପଚାରିବାରୁ ବାହ୍ୟ ମଳତ୍ୟାଗ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ବହୁ ସଚେତନତା ପଦକ୍ଷେପ ନିଆଯାଇଥିଲା। କିନ୍ତୁ ଏହାକୁ କେହି ମାନି ନ ଥିଲେ। ଫଳରେ ପଞ୍ଚାୟତ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତିି ା
ଗ୍ରାମରେ ପୂର୍ବରୁ ଲୋକଙ୍କୁ ସଚେତନ କରାଯିବା ସହ ପାଇଖାନା ଥିବା ପରିବାର ବାହାରେ ମଳତ୍ୟାଗ କଲେ ରାଶନ୍‌ ସାମଗ୍ରୀ ବନ୍ଦ କରାଯିବ ବୋଲି ଫତ୍‌ୱା ଜାରି କରାଯାଇଥିଲା। ଏଥିସହ ୩୦୦ ମହିଳା ପାଳି କରି ସକାଳ ଓ ସନ୍ଧ୍ୟାରେ ମଳତ୍ୟାଗ କରାଯାଉଥିବା ସ୍ଥାନକୁ ଜଗି ରହିବା ସହ ସେଠାରେ ତୁଳସୀ ଚାରା ରୋପଣ କରିଥିଲେ। ଏହା ସତ୍ତ୍ୱେ ମଧ୍ୟ ଲୋକେ ନ ମାନି ବାହ୍ୟ ମଳତ୍ୟାଗ କରିବାରୁ ୨୪ ପରିବାରକୁ ରାଶନ ସାମଗ୍ରୀ ବନ୍ଦ କରାଯାଇଥିବା ସରପଞ୍ଚ ପ୍ରକାଶ କରିଛନ୍ତି। କିନ୍ତୁ ଏ ନେଇ ପଞ୍ଚାୟତ ପକ୍ଷରୁ କୌଣସି ନିଷ୍ପତ୍ତି ହୋଇ ନ ଥିବା ଅଧିକାଂଶ ୱାର୍ଡ ସଭ୍ୟାସଭ୍ୟ କହିଛନ୍ତି। ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଏକ ତରଫା ବୋଲି ପ୍ରକାଶ କରିଛନ୍ତିି। ଏ ନେଇ ସମିତିସଭ୍ୟ ପ୍ରତିନିଧି ଏ.ଜଗନ୍ନାଥ ପାତ୍ରଙ୍କୁ ପଚାରିବାରୁ, ରାଶନ ସାମଗ୍ରୀ ବନ୍ଦକୁ ସେ ବିରୋଧ କରିଛନ୍ତି। କିନ୍ତୁ ବାହ୍ୟ ମଳତ୍ୟାଗକୁ ବାରଣ କରିବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ସେ କହିଛନ୍ତି। ସମସ୍ତଙ୍କୁ ପାଇଖାନା ଯୋଗାଇ ଦେବା ଉପରେ ସେ ଗୁରୁତ୍ୱ ଦେଇଛନ୍ତିି। ରାଶନ ସାମଗ୍ରୀ ବନ୍ଦ କରିବା ସମ୍ପର୍କରେ ସେ ଓ ଅଧିକାଂଶ ୱାର୍ଡ ସଭ୍ୟାସଭ୍ୟ ଜାଣି ନ ଥିବା କହିଛନ୍ତି। ତେବେ ରାଶନ ସାମଗ୍ରୀ ବନ୍ଦ କରିବା ପ୍ରତିବାଦ ସହ ସ୍ବଚ୍ଛ ଭାରତ ଅଭିଯାନରେ ସମସ୍ତଙ୍କୁ ପାଇଖାନା ଯୋଗାଇ ଦେବାକୁ ସେ ଦାବି କରିଛନ୍ତିି।
ସାନଖେମୁଣ୍ଡି ବ୍ଲକ ଯୋଗାଣ ନିରୀକ୍ଷକ ବିଶ୍ୱଜିତ ସେଠୀଙ୍କୁ ରାଶନ ସାମଗ୍ରୀ ବନ୍ଦ ସମ୍ପର୍କରେ ପଚାରିବାରୁ କାହାର ରାଶନ ସାମଗ୍ରୀ ବନ୍ଦ ହୋଇନାହିଁ ବୋଲି ସେ କହିଛନ୍ତି।