ବାହାର ରାଜ୍ୟ ଫେରନ୍ତାଙ୍କ ପଞ୍ଜୀକରଣ ଆରମ୍ଭ

ଭୁବନେଶ୍ୱର,୨୫ା୪(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱର ପରେ ରାଜ୍ୟରେ କରୋନା ସଂକ୍ରମଣର ହଟ୍‌ସ୍ପଟ୍‌ ପାଲଟିଛି ଭଦ୍ରକ, ବାଲେଶ୍ୱର ଏବଂ ଯାଜପୁର। ବିଶେଷକରି ପଶ୍ଚିମବଙ୍ଗ ଫେରନ୍ତାଙ୍କ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ରହିଛି। ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପୂର୍ବରୁ ବିଦେଶ ଗସ୍ତ କରିଥିବା ବ୍ୟକ୍ତିଙ୍କ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଥିଲା। ଏହାର ସୁଫଳ ମଧ୍ୟ ମିଳିଥିଲା। ଏଥିରୁ ଶିକ୍ଷା ଗ୍ରହଣ କରି ବର୍ତ୍ତମାନ ଲକ୍‌ଡାଉନରେ ଭାରତର ବିଭିନ୍ନ ସ୍ଥାନରେ ଫସିଥିବା ଓଡ଼ିଆଙ୍କ ପଞ୍ଜୀକରଣକୁ ବାଧ୍ୟତାମୂଳକ କରାଯାଇଛି। କିଛିଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ସରପଞ୍ଚଙ୍କ ସହ ଭିଡିଓ ବାର୍ତ୍ତାଳାପ କରି ବାହାର ରାଜ୍ୟ ଫେରନ୍ତା ଶ୍ରମିକ, ଛାତ୍ରୀଛାତ୍ର ଏବଂ କର୍ମୀଙ୍କ ପଞ୍ଜୀକରଣ କରାଇବା ଉପରେ ଗୁରୁତ୍ୱ ଦେଇଥିଲେ।
ଏହି କ୍ରମରେ ଶୁକ୍ରବାରଠାରୁ ପଞ୍ଜୀକରଣ ଆରମ୍ଭ ହୋଇଛି। ଉଭୟ ଅନ୍‌ଲାଇନ ଏବଂ ଅଫ୍‌ଲାଇନ ମାଧ୍ୟମରେ ଏହା କରାଯାଉଛି। କୌଣସି ବ୍ୟକ୍ତିିବିଶେଷ ରାଜ୍ୟ ବାହାରେ ଥିଲେ, ସେମାନଙ୍କ ପରିବାର ସଦସ୍ୟ ମଧ୍ୟ ପଞ୍ଜୀକରଣ କରାଇ ପାରିବେ। ଶଟ୍‌ଡାଉନ ଥିବାରୁ ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲାରେ ଅଫ୍‌ ଲାଇନ ପଞ୍ଜୀକରଣ ଏତେଟା ଦେଖାଯାଇ ନ ଥିଲା। ହେଲେ ରାଜ୍ୟର ଅନ୍ୟ ପ୍ରାନ୍ତରେ ଉଭୟ ଅନ୍‌ଲାଇନ ଏବଂ ଅଫ୍‌ଲାଇନ ପଞ୍ଜୀକରଣ ଦେଖିବାକୁ ମିଳିଥିଲା। ବିଶେଷ କରି ଗୁଜରାଟ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ମହାରାଷ୍ଟ୍ର, ତାମିଲନାଡୁ, କେରଳ, ନୂଆଦିଲ୍ଲୀ, କର୍ନାଟକରେ ବହୁ ଓଡ଼ିଆ ଫସି ରହିଛନ୍ତି। ଏମାନେ ଏଣିକି https://covid19.odisha.gov.in/ ୱେବସାଇଟ୍‌ରେ ନିଜକୁ ପଞ୍ଜୀକରଣ କରାଇବା ସହ ନିଜ ଅଞ୍ଚଳରେ ପହଞ୍ଚି ୧୪ ଦିନିଆ କ୍ୱାରାଣ୍ଟାଇନ ନିୟମ ପାଳନ କରିବେ। ଏହି ୱେବସାଇଟ୍‌କୁ ଯାଇ ଏହାର ବାମ ପାର୍ଶ୍ୱରେ ଥିବା ରେଜିଷ୍ଟ୍ରେଶନ ଉପରେ କ୍ଲିକ୍‌ କରି ଆବଶ୍ୟକ ତଥ୍ୟ ପ୍ରଦାନ କରିବେ। ନିୟମ ଅନୁଯାୟୀ ସମସ୍ତ ତଥ୍ୟ ଦେବା ପରେ ପଞ୍ଜୀକରଣ ପ୍ରକ୍ରିୟା ସମାପ୍ତ ହେବ। ୱେବ୍‌ସାଇଟ୍‌ରେ ପଞ୍ଜୀକରଣ ନେଇ ଘୋଷଣା ହେବା ପରେ ବ୍ୟାପକ ୱେବ୍‌ ଟ୍ରାଫିକ୍‌ ଦେଖାଦେଇଥିଲା। ଏହାଦ୍ୱାରା ୱେବ୍‌ସାଇଟ୍‌ ଖୋଲିବାରେ ମଧ୍ୟ ଅସୁବିଧା ଦେଖାଦେଇଥିଲା। ପରେ ଏହି ସମସ୍ୟା ଦୂର କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି।

Share