Categories: ଗଞ୍ଜାମ

ବାହୁଡ଼ାରେ ନାଚପାର୍ଟିକୁ ନେଇ ଉତ୍ତେଜନା

ଦିଗପହଣ୍ଡି,୧୫ା୭(ଡି.ଏନ୍‌.ଏ.)-ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମରେ ଜଗନ୍ନାଥଙ୍କ ବାହୁଡା ଯାତ୍ରା ସମୟରେ ଉତ୍ତେଜନା ଦେଖା ଦେଇଛି। ଜଗନ୍ନାଥଙ୍କ ରଥ ଅଧାବାଟରେ ଅଟକିବା ପରେ ପ୍ରତିବର୍ଷ ନାଚ ପରିବେଷଣ କରାଯିବା ସହ ପରଦିନ ପୁଣି ରଥଟଣା ହେବାର ପରମ୍ପରା ରହିଛି। କିନ୍ତୁ ଚଳିତବର୍ଷ ଗ୍ରାମର ଦୁଇ ନାଚପାର୍ଟି ଗୋଟିଏ ସ୍ଥାନରେ ନାଚ ପରିବେଷଣ କରିବାକୁ ଅଡିବସିବାରୁ ବିବାଦ ଦେଖାଦେଇଥିଲା। ଖବର ଜିଲା ପ୍ରଶାସନ ନିକଟରେ ପହଞ୍ଚିବା ପରେ ଆଇନଶୃଙ୍ଖଳା ପରିସ୍ଥିତି ଆଶଙ୍କା କରି ତୁରନ୍ତ ଘଟଣା ସ୍ଥଳକୁ ପୋଲିସ ଫୋର୍ସ ପଠାଯାଇଥିଲା। ରବିବାର ଗ୍ରାମର ଭଦ୍ରବ୍ୟକ୍ତି, ପଞ୍ଚାୟତ ଜନପ୍ରତିନିଧି ଏବଂ ଦୁଇ ନାଚପାର୍ଟିର ପରିଚାଳକ ଓ ଅନ୍ୟ କର୍ମକର୍ତ୍ତାଙ୍କୁ ଡକାଇ ବୈଠକ କରାଯାଇଥିଲା। ଦିଗପହଣ୍ଡି ତହସିଲଦାର ଅଦୈତ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚିକିଟି ଏସଡିପିଓ ଏସ.ଏନ. ମୁର୍ମୁ, ନୂଆଗଁା ଆଇଆଇସି ମାଧବାନନ୍ଦ ନାୟକ, ସୁପରଭାଇଜର ସତ୍ୟ ନାରାୟଣ ପାଣିଗ୍ରାହୀ, ରାଜସ୍ବ ନୀରିକ୍ଷକ ଫକୀର ମୋହନ ରାଉତ, ବିଘ୍ନେଶର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ଉଭୟ ପକ୍ଷଙ୍କୁ ବୁଝାଶୁଝା କରିଥିଲେ। ଏହାପରେ ଉତ୍ତେଜନା ପ୍ରଶମିତ ହୋଇ ଜଗନ୍ନାଥଙ୍କ ରଥଟଣା ସୁରୁଖୁରୁରେ ସମ୍ପନ୍ନ ହେବାସହ ମନ୍ଦିର ବିଜେ କରାଯାଇଥିଲା। ଗ୍ରାମରେ ଶାନ୍ତି ଫେରିଥିଲେ ମଧ୍ୟ ୪ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।