ବାହ୍ୟଜଗତରୁ ବିଚ୍ଛିନ୍ନ ୧୩ ଗାଁ

ଖୋର୍ଦ୍ଧା ଅଫିସ,୧୦।୯: ରାଜୁଆ ନଦୀର ଜଳ ମହାନଦୀ ଓ ଚିଲିକାକୁ ନିଷ୍କାସନ ହୋଇ ପାରୁ ନ ଥିବାରୁ ଖୋର୍ଦ୍ଧା ଜିଲାର ଓରବରସିଂହ ଓ ନରଣଗଡ ପଞ୍ଚାୟତର ୧୩ଟି ଗ୍ରାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡିଛି। ଖୋର୍ଦ୍ଧା ବ୍ଲକ ଓରବରସିଂ ପଞ୍ଚାୟତର ହିରିମୂଳ, ଡିହଖଳା, ଦୁର୍ଗାପୁର, ଓରବରସିଂ, ମଶାଣିଆ, ତେନ୍ତୁଳିମୂଳ, ରାୟପୁର, ବାଲିକୁଦ, ଲେଖନପୁର, କୃଷ୍ଣପୁର ଓ ନରଣଗଡ ପଞ୍ଚାୟତର ଓରିମି, ମାନପୁର ଓ ଧବଳପୁର ଗ୍ରାମରେ ବନ୍ୟା ଦେଖାଯାଇଛି। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦରେ ଗେଟ୍‌ ଖୋଲିବା ଦ୍ୱାରା ମହାନଦୀର ଶାଖାନଦୀ ରାଜୁଆ ନଦୀରେ ବନ୍ୟାଜଳ ବଢ଼ୁଛି। ହିରିମୂଳ ଗାଁ  ଦାଣ୍ଡରେ ସାଢ଼େ ୨ଫୁଟର ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଯାତାୟାତ ପାଇଁ ଡଙ୍ଗା ରହିଛି। ଗ୍ରାମବାସୀଙ୍କ ନିକଟରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ସହାୟତା ମିଳି ନ ଥିବା ବେଳେ ବନ୍ୟା ପାଣି ବଢୁ ଥିବାରୁ ସାଧାରଣରେ ଭୟ ଦେଖାଦେଇଛି। ଅନ୍ୟପକ୍ଷରେ ନରଣଗଡ, ଓରବରସିଂ, ଗୋଳବାଇ, ଶରଧାପୁର, ବ୍ରଜମୋହନପୁର ପଞ୍ଚାୟତର ଚତୁଃପାର୍ଶ୍ୱରେ ଥିବା ଜମି ଉପରେ ୫ରୁ ୬ଫୁଟର ବନ୍ୟାଜଳ ଲହଡି ମାରୁଥିବା ଦେଖିବାକୁ ମିଳିଛି।