Categories: ବାଣିଜ୍ୟ

ବାୟାବନ୍ଧନ ଯୋଜନା ଲାଗି ଆଧାର ଅନିବାର୍ଯ୍ୟ

ନୂଆଦିଲ୍ଲୀ,୨୭-୧୨: ବରିଷ୍ଠ ନାଗରିକଙ୍କ ପେନସନ ସ୍କିମ ପ୍ରଧାନମନ୍ତ୍ରୀ ବାୟାବନ୍ଧନ ଯୋଜନା ଲାଗି ସରକାର ଆଧାରକୁ ଅନିବାର୍ଯ୍ୟ କରିଛନ୍ତି। ଏହି ଯୋଜନାରେ ୮% ନିଶ୍ଚିତ ସୁଧହାର ପ୍ରଦାନ ବ୍ୟବସ୍ଥା ରହିଛି। ଏହାକୁ ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି) ପକ୍ଷରୁ କାର୍ଯ୍ୟକାରୀ କରାଯାଇଛି। କେନ୍ଦ୍ର ବଜେଟ ୨୦୧୭-୧୮ ଏବଂ ୨୦୧୮-୧୯ରେ ଏହି ଯୋଜନା ସମ୍ପର୍କରେ ସରକାର ଘୋଷଣା କରିଥିଲେ। ଏହି ଯୋଜନାର ଲାଭ ନେବା ଲାଗି ଆଧାର ନିଶ୍ଚିତ ଭାବେ ଦେବାକୁ ପଡିବ। ସେହିଭଳି ଆଧାର ପ୍ରମାଣନ ପ୍ରକ୍ରିୟା ଦେଇ ଯିବାକୁ ପଡିବ ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତିରେ କୁହାଯାଇଛି। ଯୋଜନାର ଲାଭ ନେବାକୁ ଇଛୁକ ବ୍ୟକ୍ତି, ଯେଉଁ ମାନଙ୍କ ପାଖରେ ଆଧାର ନାହିଁ ସେମାନେ ଆଧାର ପାଇଁ ଆବେଦନ କରିବାକୁ କୁହାଯାଇଛି। ଖରାପ ବାୟୋମେଟ୍ରିକ ଲାଗି ଆଧାର ପ୍ରମାଣନ ପ୍ରକ୍ରିୟାରେ ବାଧା ଉପୁଜିଲେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଧାରିତ ଏଜେନ୍ସି ଆଧାର ନମ୍ବର ପାଇବା ଲାଗି ସମସ୍ତ ପ୍ରକାରର ସୁବିଧା କରିବ। ସେହିଭଳି ସମୟ ଭିତ୍ତିକ ଓଟିପି ପ୍ରମାଣନ ପ୍ରକ୍ରିୟାରେ ବାଧା ଉପୁଜିଲେ ଏକ ଆଧାର ଲେଟର ପ୍ରଦାନ ବ୍ୟବସ୍ଥା ରହିଛି। ଏଥିରେ ଥିବା କ୍ୱିକ୍‌ ରେସ୍‌ପନ୍ସ(କ୍ୟୁଆର୍‌) କୋଡ୍‌ ସହାୟତାରେ କାର୍ଯ୍ୟ ସମ୍ପାଦନ ହୋଇ ପାରିବ।

Share