ବାୟୁରେ କରୋନାର ଆନୁବଂଶିକ ଉପାଦାନ

ବେଜିଂ,୨୮ା୪(ପି.ଟି.): କରୋନା ଭୂତାଣୁର ଆନୁବଂଶିକ ଉପାଦାନ ବାୟୁରେ ଥିବା ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି। ଏହି ଭୂତାଣୁ ଉପାଦାନରୁ ସଂକ୍ରମଣ ହେବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଚାଇନାର ଉହାନ ସହରରେ ଥିବା ଦୁଇଟି ହସ୍ପିଟାଲ ଏବଂ କେତେକ ସର୍ବସାଧାରଣ ସ୍ଥାନରେ ପରିବେଶର ଅନୁଧ୍ୟାନ କରାଯାଇଥିଲା। ହଟ୍‌ସ୍ପଟ୍‌ ଅଞ୍ଚଳର ବାୟୁରେ ଭୂତାଣୁର ଆର୍‌ଏନ୍‌ଏ ଥିବା ଉହାନ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ସମେତ ଅନ୍ୟମାନେ ଅନୁଧ୍ୟାନରୁ ଜାଣିବାକୁ ପାଇଛନ୍ତି। ତେବେ ଉକ୍ତ ଉପାଦାନର ସଂକ୍ରମଣ କ୍ଷମତା ରହିଛି କି ନାହିଁ ସେ ନେଇ ନେଚର ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନରେ କିଛି କୁହାଯାଇନାହିଁ। ୩୧ଟି ସ୍ଥାନରୁ ୪୦ଟି ନମୁନା ସଂଗ୍ରହ କରାଯାଇ ଏହି ପରୀକ୍ଷା କରାଯାଇଥିଲା। ବାୟୁବାହିତ ଏହି ଉପାଦାନରୁ ସଂକ୍ରମଣ ଆଶଙ୍କା ଥିବାରୁ ଉକ୍ତ ଅଞ୍ଚଳକୁ ଉପଯୁକ୍ତ ଭାବେ ବିଶୋଧନ କରିବା, ଉତ୍ତମ ବାୟୁ ଚଳାଚଳ ଏବଂ ଦୂରତ୍ୱ ବଜାୟ ରଖିବା ଲାଗି ପରାମର୍ଶ ଦିଆଯାଇଛି।
କରୋନା ଆକ୍ରାନ୍ତଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଲେ, ସଂକ୍ରମିତ ପୃଷ୍ଠକୁ ଛୁଇଁଲେ କିମ୍ବା ଆକ୍ରାନ୍ତ ଛିଙ୍କିଲେ କିମ୍ବା କାଶିଲେ ବାହାରୁଥିବା ଜଳକଣିକା ଶ୍ୱାସକ୍ରିୟାରେ ଅନ୍ୟ ଶରୀରକୁ ଗଲେ ତାହା ଉକ୍ତ ବ୍ୟକ୍ତିଙ୍କୁ ସଂକ୍ରମିତ କରିଥାଏ। ତେବେ ବାୟୁରେ ଭାସୁଥିବା ଭୂତାଣୁର ଆନୁବଂଶିକ ଉପାଦାନରେ ଏଭଳି ସାମର୍ଥ୍ୟ ରହିଛି କି ନାହିଁ ତାହାର ଅନୁଧ୍ୟାନ କରାଯାଉଥିବା ବୈଜ୍ଞାନିକମାନେ କହିଛନ୍ତି। କେ ଲାନ୍‌ ଓ ତାଙ୍କ ଟିମ୍‌ ଦୁଇଟି ସରକାରୀ ହସ୍ପ୍‌ିଟାଲରେ ଏରୋସୋଲ୍‌ ଟ୍ରାପ୍‌ ଲଗାଇଥିଲେ। ଗୁରୁତର ଅସୁସ୍ଥ ଏବଂ ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କୁ ଏହି ଦୁଇ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା। ଭେଣ୍ଟିଲେଟର ଥିବା ଓ୍ବାର୍ଡରେ ଭୂତାଣୁ ଆର୍‌ଏନଏ କମ୍‌ ଥିବାବେଳେ ଭେଣ୍ଟିଲେଶନ ନ ଥିବା ରୋଗୀଙ୍କ ପାଇଖାନାରେ ଆର୍‌ଏନ୍‌ଏର ସାନ୍ଦ୍ରତା ଅଧିକ ଥିବା ଜଣାପଡିଥିଲା। ସେହିପରି ସର୍ବସାଧାରଣ ସ୍ଥାନରେ ଭୂତାଣୁ ଆର୍‌ଏନ୍‌ଏ କମ୍‌ ରହିଥିଲା।

Share