Categories: ଜାତୀୟ

ବାୟୁସେନାକୁ ମିଳିଲା ରାଫାଲ

ନୂଆଦିଲ୍ଲୀ,୨୧ା୯: ଫ୍ରାନ୍ସର ଡାସଲ୍ଟ ଆଭିଏଶନ୍‌ଠାରୁ ଗୁରୁବାର ଭାରତୀୟ ବାୟୁସେନା (ଆଇଏଏଫ୍‌) ପ୍ରଥମ ରାଫାଲ ଯୁଦ୍ଧବିମାନ ଗ୍ରହଣ କରିଛି। ବାୟୁସେନାର ଏକ ଟିମ୍‌ ବିମାନ ନିର୍ମାଣ ପ୍ଲାଣ୍ଟରେ ପହଞ୍ଚତ୍ବା ପରେ କେତେକ ପରୀକ୍ଷାନିରୀକ୍ଷା କରାଯାଇଥିଲା। ଟିମ୍‌ର ନେତୃତ୍ୱ ନେଉଥିବା ଆଇଏଏଫ୍‌ର ଉପମୁଖ୍ୟ ଏୟାର ମାର୍ଶାଲ ଭି.ଆର୍‌. ଚୌଧ୍‌ରୀ ଗୁରୁବାର ଏହାର ପରୀକ୍ଷାମୂଳକ ଉଡ଼ାଣ କରିଥିଲେ। ଅକ୍ଟୋବର ୮ ଦଶହରା ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଫ୍ରାନ୍ସ ଗସ୍ତରେ ଯିବେ। ସେତେବେଳେ ଡାସଲ୍ଟ ଆଭିଏଶନ୍‌ କର୍ତ୍ତୃପକ୍ଷ ଆନୁଷ୍ଠାନିକ ଭାବେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଏହି ବିମାନ ହସ୍ତାନ୍ତର କରିବେ ବୋଲି ଜଣାପଡିଛି। ଭାରତ ପାଇଁ ଏଥିରେ କେତେକ ଉପକରଣ ସଂଯୋଗ ହେବା ପରେ ଆସନ୍ତାବର୍ଷ ମେ ମାସରେ ଯୁଦ୍ଧବିମାନ ଭାରତରେ ପହଞ୍ଚତ୍ବ ବୋଲି ଜଣାପଡ଼ିଛି।
୩୬ଟି ରାଫାଲ ଯୁଦ୍ଧବିମାନ କିଣିବା ଲାଗି ୨୦୧୬ ସେପ୍ଟେମ୍ବରରେ ଫ୍ରାନ୍ସ ସରକାର, ଡାସଲ୍ଟ ଆଭିଏଶନ ସହ ଭାରତ ୫୯ ହଜାର କୋଟି ଟଙ୍କାର ତ୍ରିପାକ୍ଷିକ ଚୁକ୍ତି ସ୍ବାକ୍ଷର କରିଥିଲା। ଏହି ବିମାନକୁ ଉଡ଼ାଇବା ପାଇଁ ବାୟୁସେନାର କେତେଜଣ ପାଇଲଟ ସେଠାରେ ପ୍ରଶିକ୍ଷଣ ନେଇସାରିଛନ୍ତି। ଆଉ କେତେଜଣ ପାଇଲଟ ମଧ୍ୟ ତାଲିମ୍‌ ପାଇଁ ଖୁବ୍‌ଶୀଘ୍ର ଫାନ୍ସ ଯିବେ। ଏୟାର ମାର୍ଶାଲ ଆର୍‌.କେ.ଏସ୍‌. ଭଦୁଆରିଆଙ୍କ ନାମ ଅନୁଯାୟୀ ଭାରତ ଆସିବାକୁ ଥିବା ଯୁଦ୍ଧବିମାନର ଡେଣାରେ ଆର୍‌ବି-୦୧ ଲେଖାଯିବ। ରାଫାଲ ଡିଲ୍‌ ଲାଗି ବୁଝାମଣାରେ ତାଙ୍କର ମୁଖ୍ୟ ଭୂମିକା ରହିଥିଲା।

Share