ବାୟୋ ଡିଗ୍ରେଡେବଲ୍‌ ବୋତଲରେ ଆସିବ ରେଲ୍‌ ନୀର୍‌

ଭୁବନେଶ୍ୱର, ୭।୧୦: (ବ୍ୟୁରୋ): ଟ୍ରେନ୍‌ ଓ ଷ୍ଟେଶନରେ ସ୍ବଚ୍ଛତା ବଜାୟ ରଖିବା ପାଇଁ ଏକକ ବ୍ୟବହୃତ ପ୍ଲାଷ୍ଟିକକୁ ନିଷିଦ୍ଧ କରିବା ସହ ବିକଳ୍ପ ପଦକ୍ଷେପ ନେଇଛି ଭାରତୀୟ ରେଳପଥ। ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀରେ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇ ରେଳପଥକୁ ସମ୍ପୂର୍ଣ୍ଣ ପରିବେଶ ଉପଯୋଗୀ ପାଇଁ ଶପଥ ନିଆଯାଇଛି। ଭାରତୀୟ ରେଳପଥର ନିଜସ୍ବ ପାନୀୟ ଉତ୍ପାଦ ‘ରେଲ୍‌ ନୀର’ ଏବେ ବାୟୋ ଡିଗ୍ରେଡେବଲ୍‌ ପ୍ଲାଷ୍ଟିକ ବୋତଲରେ ଆସିବ। ଏହି ପାଣି ବୋତଲର ପ୍ରସ୍ତୁତକର୍ତ୍ତା ଆଇଆର୍‌ସିଟିସି (ଇଣ୍ଡିଆନ ରେଲ୍‌ଓ୍ବେ କ୍ୟାଟେରିଙ୍ଗ ଆଣ୍ଡ୍‌ ଟୁରିଜମ କର୍ପୋରେଶନ ଲିମିଟେଡ୍‌) ଏନେଇ ଟୁଇଟ୍‌ କରି ସୂଚନା ଦେଇଛି। ଏହାକୁ ପରୀକ୍ଷାମୂଳକ ଭାବେ ଘରୋଇ ଟ୍ରେନ୍‌ ତେଜସ ଏକ୍ସପ୍ରେସ (ଲକ୍ଷ୍ନୌ-ନୂଆଦିଲ୍ଲୀ-ଲକ୍ଷ୍ନୌ)ରେ ଆରମ୍ଭ କରାଯାଇଛି। ପରେ ଏହା ଅନ୍ୟ ଟ୍ରେନଗୁଡିକରେ ଉପଲବ୍ଧ ହେବ। ବର୍ତ୍ତମାନ ଆସୁଥିବା ପ୍ଲାଷ୍ଟିକ ବୋତଲ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯିବ। ଭୁବନେଶ୍ୱରରେ ହେବାକୁ ଥିବା ପ୍ଲାଣ୍ଟରେ ମଧ୍ୟ ଏହି ପ୍ରକାର (ବାୟୋ ଡିଗ୍ରେଡେବଲ) ପ୍ଲାଷ୍ଟିକ ବୋତଲ ପ୍ରସ୍ତୁତ କରାଯିବ। ତେବେ ଏହି ପାଣିବୋତଲ ଦର ଅପରିବର୍ତ୍ତିତ ରହି ୧ ଲିଟରକୁ ୧୫ ଟଙ୍କାରେ ବିକ୍ରି ହେବ ବୋଲି ଆଇଆର୍‌ସିଟିସି ପକ୍ଷରୁ ସୂଚନା ଦିଆଯାଇଛି।

Share