Advertisement

ବିଆର୍‌ଆଇ ଫୋରମ୍‌ରେ ଯୋଗଦେଲାନି ଭାରତ

ବେଜିଂ,୨୭ା୪(ଆଇଏଏନ୍‌ଏସ୍‌): ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି)କୁ ବିରୋଧ କରି ଭାରତ ଦ୍ୱିତୀୟ ଥର ଲାଗି ବେଜିଂର ବେଲ୍ଟ ଆଣ୍ଡ ରୋଡ୍‌ ଇନିସିଏଟିଭ୍‌ (ବିଆର୍‌ଆଇ) ଫୋରମ୍‌ରୁ ନିଜକୁ ଦୂରେଇ ରଖିଛି। ଅନ୍ୟପକ୍ଷରେ ଏହି ବିବାଦୀୟ ପ୍ରକଳ୍ପ ଏକ ନୂଆ ପର୍ଯ୍ୟାୟରେ ପହଞ୍ଚତ୍ଛି ଏବଂ ଆହୁରି ଆଗେଇ ଚାଲିବ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ କହିଛନ୍ତି। ପାକ୍‌ -ଅଧିକୃତ କଶ୍ମୀର ଦେଇ ଯାଉଥିବା ବିଆର୍‌ଆଇ ପ୍ରୋଜେକ୍ଟର ମୁଖ୍ୟ ଅଂଶ ସିପିଇସିକୁ ଭାରତ ଦୃଢ଼ ବିରୋଧ କରିଆସୁଛି। ୨୦୧୭ରେ ବେଲ୍ଟ ଆଣ୍ଡ ରୋଡ୍‌ ଫୋରମ୍‌ ଆରମ୍ଭ ହୋଇଥିଲା।
ଅନ୍ୟପକ୍ଷରେ ଉକ୍ତ ପ୍ରକଳ୍ପ ସମ୍ପୂର୍ଣ୍ଣ ଅର୍ଥନୈତିକ ଏବଂ କଶ୍ମୀର ପ୍ରସଙ୍ଗରେ ବେଜିଂର ନିରପେକ୍ଷ ଆଭିମୁଖ୍ୟକୁ ଏହା ପ୍ରଭାବିତ କରିବ ନାହିଁ ବୋଲି ଚାଇନା ପକ୍ଷରୁ କୁହାଯାଇଛି। ଏହି ଟ୍ରିଲିୟନ ଡଲାର ସଂଯୋଗ ପ୍ରକଳ୍ପର ତିନିଦିନିଆ ସମିଟ୍‌ରେ ଜାତୀୟ ଏବଂ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିଙ୍କ ସମେତ ୩୭ ରାଷ୍ଟ୍ରର ମୁଖ୍ୟ ଯୋଗଦେଇଛନ୍ତି। ଏହି ପ୍ରକଳ୍ପ ଲାଗି ବେଜିଂ ଗରିବ ରାଷ୍ଟ୍ରଗୁଡିକୁ ଋଣଯନ୍ତା ମଧ୍ୟକୁ ଠେଲିଦେଇଛି ବୋଲି ହେଉଥିବା ଅଭିଯୋଗକୁ ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ଖଣ୍ଡନ କରିଛନ୍ତି। ଅନ୍ୟପକ୍ଷରେ ସାମାଜିକ-ଅର୍ଥନୈତିକ ବିକାଶକୁ ସର୍ବାଧିକ ଗୁରୁତ୍ୱ ଦେଇ ପାକିସ୍ତାନ ଓ ଚାଇନା ସିପିଇସିର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରବେଶ କରିଥିବା ଇମ୍ରାନ୍‌ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share