ବିଇଓଙ୍କ କାର୍ଯ୍ୟାଳୟରେ ଶିକ୍ଷକଙ୍କ ସାର୍ଟିଫିକେଟ୍‌ ଯାଞ୍ଚ

ଉଦଳା,୧୪ା୮(ଡି.ଏନ୍‌.ଏ.)- ରାଜ୍ୟର ବିଭିନ୍ନ ଜିଲାରେ ଜାଲ ସାର୍ଟିଫିକେଟରେ ଶିକ୍ଷକ ଚାକିରି କରିଥିବା ଚର୍ଚ୍ଚାକୁ ଆସିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ଶିକ୍ଷା ବିଭାଗ ସମସ୍ତ କାର୍ଯ୍ୟରତ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମଙ୍ଗଳବାର ମୟୂରଭଞ୍ଜ ଜିଲା ଉଦଳାରେ ଏହି ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି ା ଉଦଳା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରଥମ ଦିନରେ ବ୍ଲକ ଅଧୀନରେ କାର୍ଯ୍ୟରତ ବିଭିନ୍ନ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶିକ୍ଷକ ନିଜର ସାର୍ଟିଫିକେଟ୍‌ ଦାଖଲ କରିଛନ୍ତି। ପ୍ରଥମ ଦିନରେ ଜିଲା ବାହାରୁ ପାସ୍‌ କରି ଚାକିରି କରିଥିବା ଶିକ୍ଷୟିତ୍ରୀ ଶିକ୍ଷକଙ୍କ ସାର୍ଟିଫିକେଟ ଯାଞ୍ଚ ଆରମ୍ଭ ହୋଇଛି। ଏହି ଯାଞ୍ଚ ପ୍ରକ୍ରିୟା ଜାରି ରହିବା ସହିତ ବ୍ଲକ ଅଧୀନରେ ସମସ୍ତ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ସାର୍ଟିଫିକେଟ ଯାଞ୍ଚ କରାଯାଇଛି। ମଙ୍ଗଳବାର ଶିକ୍ଷୟିତ୍ରୀ ଶିକ୍ଷକମାନେ ନିଜର ଚାକିରି ସମୟରେ ବିଭାଗକୁ ପ୍ରଦାନ କରିଥିବା ଶିକ୍ଷାଗତ ଯୋଗ୍ୟତାର ସାର୍ଟିଫିକେଟ ଦାଖଲ କରିଛନ୍ତି। ୨୦୧୧ ମସିହାଠାରୁ ନିଯୁକ୍ତି ପାଇଥିବା ଶିକ୍ଷୟିତ୍ରୀ ଶିକ୍ଷକଙ୍କ ସାର୍ଟିଫିକେଟ ଯାଞ୍ଚ ଚାଲିଥିବା ବେଳେ ଆଗାମୀ ଦିନରେ ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ସାର୍ଟିଫିକେଟ ଯାଞ୍ଚ ହେବ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଧାକର ବେହେରା କହିଛନ୍ତି। ୩ଟି ଜୋନରେ ଉଦଳା ବ୍ଲକକୁ ଭାଗ କରାଯାଇଥିବା ବେଳେ ପ୍ରଥମ ଦିନରେ ୧ ନଂ. ଜୋନରେ ଥିବା ବିଦ୍ୟାଳୟଗୁଡିକର ଶିକ୍ଷୟିତ୍ରୀ ଶିକ୍ଷକଙ୍କ ସାର୍ଟିଫିକେଟ୍‌ ଯାଞ୍ଚ ହୋଇଛି ା ୩ ଦିନ ଧରି ଏହି ଯାଞ୍ଚ ପ୍ରକ୍ରିୟା ଚାଲିବ ା ତେବେ ୩ ଦିନ ମଧ୍ୟରେ ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ସାର୍ଟିଫିକେଟ ଯାଞ୍ଚ ପ୍ରକ୍ରିୟା ଶେଷ ନ ହେଲେ ପରବର୍ତ୍ତୀ ସମୟରେ ପୁନଶ୍ଚ ଯାଞ୍ଚ ହେବ ବୋଲି ବିଇଓ କହିଛନ୍ତି ା ପ୍ରଥମ ଦିନରେ ଦୁଗୁଧା, ରାଢୋ ଏବଂ ବଡଖମଣ ପଞ୍ଚାୟତ ଅଞ୍ଚଳର ବିଦ୍ୟାଳୟର ଯାଞ୍ଚ ପ୍ରକ୍ରିୟା ଚାଲିଛି। ଏହି ଯାଞ୍ଚ ପ୍ରକ୍ରିୟାରେ ସିଆରସିସି, ବିଆରସିସିମାନେ ସାମିଲ ହୋଇ ସାର୍ଟିଫିକେଟ ଯାଞ୍ଚ କରୁଥିବା ଜଣାଯାଇଛି ା ତେବେ ସବୁ ସାର୍ଟିଫିକେଟ ଯାଞ୍ଚ ସରିବା ପରେ କିଏ ଜାଲ ପ୍ରମାଣପତ୍ରରେ ଚାକିରି କରିଛନ୍ତି ତାହା ସାମ୍ନାକୁ ଆସିବ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ କହିଛନ୍ତି ା ଅନ୍ୟପଟେ ଏହି ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଜାଲ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଶିକ୍ଷୟିତ୍ରୀ ଶିକ୍ଷକ ଛାନିଆ ହୋଇପଡିଥିବା ଆଲୋଚନା ହେଉଛି।