ବିଇଡି, ଏମ୍‌ଇଡି ଶିକ୍ଷାନୁଷ୍ଠାନକୁ ବନ୍ଦ ଚକ୍ରାନ୍ତ ବିରୋଧରେ ଆନ୍ଦୋଳନ

ଭୁବନେଶ୍ୱର, ୨୧। ୨(ବ୍ୟୁରୋ): ରାଜ୍ୟରେ ଥିବା ସମସ୍ତ ବିଇଡି ଏବଂ ଏମ୍‌ଇଡି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟକୁ ବନ୍ଦ କରିବାର ହୀନ ଚେଷ୍ଟା ବିରୋଧରେ ଏଆଇଡିଏସଓ ପକ୍ଷରୁ ଦୃଢ ବିରୋଧ କରାଯିବା ସହ ଆନ୍ଦୋଳନ କରିବାକୁ ଆହ୍ବାନ ଦିଆଯାଇଛି। ଗୁରୁବାର ଏକ ପ୍ରେସ ବିବୃତିରେ ସଙ୍ଗଠନର ରାଜ୍ୟ ସଭାପତି ଗଣେଶ ତ୍ରିପାଠୀ ଓ ସମ୍ପାଦକ ସୁବାସ ନାୟକ କହିଛନ୍ତି। ଜାନୁୟାରୀ ୧୬ରୁ ୧୮ ମଧ୍ୟରେ ଭୁବନେଶ୍ୱରରେ ଅନୁଷ୍ଠିତ ଇଆରସି ଓ ନ୍ୟାଶନାଲ କାଉନ୍‌ଶିଲ ଫର ଟିଚ୍‌ର ଏଜୁକେଶନର ୨୭୮ତମ ସଭାରେ ରାଜ୍ୟରେ ୧୦ ବିଇଡି, ଏମ୍‌ଇଡି ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟରେ ଦିଆଯାଉଥିବା କୋର୍ସକୁ ଆସନ୍ତା ୨୦୨୦-୨୧ ଶିକ୍ଷାବର୍ଷଠାରୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।
ଶିକ୍ଷାନୁଷ୍ଠାନରେ ଆବଶ୍ୟକ ସଂଖ୍ୟକ ଅଧ୍ୟାପକ ନାହାନ୍ତି, ଶିକ୍ଷାନୁଷ୍ଠାନ ପାଇଁ ଆବଶ୍ୟକ ସ୍ଥାୟୀ କ୍ୟାମ୍ପସ୍‌ ନାହିଁ, ଆବଶ୍ୟକ ଭିତ୍ତିଭୂମି ନାହିଁ, ସେଥିପାଇଁ ଅନୁବନ୍ଧନ ପ୍ରତ୍ୟାହାର କରାଗଲା ବୋଲି ଏକ ଚିଠିରେ ଉଲ୍ଲେଖ କରାଯାଇ ଏହାକୁ ବନ୍ଦ କରିବାକୁ ଚକ୍ରାନ୍ତ କରାଯାଉଛି। ଉକ୍ତ ୧୦ଟି ଶିକ୍ଷାନୁଷ୍ଠାନରେ ରାଜ୍ୟର ହଜାର ହଜାର ଛାତ୍ରୀଛାତ୍ର କମ ଟଙ୍କାରେ ସରକାରୀ ଶିକ୍ଷାନୁଷ୍ଠାନ ଭାବେ କୋର୍ସ କରିପାରୁଥିଲେ। ଏପରି ସ୍ଥଳେ ବର୍ତ୍ତମାନ ହଜାର ହଜାର ସାଧାରଣ ଗରିବ ଛାତ୍ରୀଛାତ୍ର, ଶିକ୍ଷକ ତାଲିମରୁ ସମ୍ପୂର୍ଣ୍ଣ ବଞ୍ଚତ୍ତ ହେବେ। ତେଣୁ ଯଦି ସରକାର ଏ ନେଇ କିଛି ପଦକ୍ଷେପ ତୁରନ୍ତ ନେଇ ସମାଧାନ ନ କରନ୍ତି ତେବେ ଆଗାମୀ ଦିନରେ ଏହା ବିରୋଧରେ ଛାତ୍ରୀଛାତ୍ରମାନେ ଆସନ୍ତା ମାର୍ଚ୍ଚରେ ବିଧାନସଭା ଘେରାଉ କରିବା ସହ ଆନ୍ଦୋଳନ ପନ୍ଥା ଆପଣାଇବେ ବୋଲି ଏଆଇଡିଏସଓ ପକ୍ଷରୁ ଗୁରୁବାର ଏକ ପ୍ରେସ୍‌ ବିବୃତିରେ ପ୍ରକାଶ କରାଯାଇଛି।

Share