ବିଏମସିର ନୂଆ ଗାଇଡଲାଇନ: ଖୋଲିବ ସ୍ପା, ସେଲୁନ ଓ ପାର୍ଲର

ଭୁବନେଶ୍ୱର,୧୯।୫(ବ୍ୟୁରୋ)-ଗତ ୧୮ ତାରିଖରୁ ସାରା ଦେଶରେ ୪ର୍ଥ ପର୍ଯ୍ୟାୟ ଲକଡାଉନ ଜାରି ହୋଇଛି। ଏ ନେଇ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ନୂଆ ଗାଇଡଲାଇନ ଜାରି କରିଥିବାବେଳେ ମଙ୍ଗଳବାର ଭୁବନେଶ୍ୱର ପାଇଁ ବିଏମସି ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି। ଦୀର୍ଘଦିନ ପରେ ରାଜଧାନୀରେ ଖୋଲିବ ସ୍ପା, ସେଲୁନ ଓ ପାର୍ଲର। ମାତ୍ର ଏଥିପାଇଁ ବିଏମସି ପକ୍ଷରୁ କେତେକ ସର୍ତ୍ତାବଳୀ ଲାଗୁ ହୋଇଛି।
ସର୍ତ୍ତାବଳୀ ଅନୁଯାୟୀ, ସେଲୁନ, ପାର୍ଲର ଓ ସ୍ପାର କର୍ମଚାରୀମାନେ ହାତରେ ଗ୍ଲୋବ୍ସ ଏବଂ ମୁହଁରେ ମାସ୍କ ପିନ୍ଧିବେ। ସେହିପରି ରାସ୍ତାକଡ଼ ଜଳଖିଆ ଦୋକାନ ଖୋଲା ରହିବ। ମାତ୍ର ଏଠାରେ କେହି ଖାଇପାରିବେ ନାହିଁ। ପାର୍ସଲ ନେଇ ଘରକୁ ଯିବା ପାଇଁ ଗାଇଡଲାଇନରେ ଉଲ୍ଲେଖ ରହିଛି। ହୋଟେଲ ଓ ଲଜ ପୂର୍ବ ପରି ବନ୍ଦ ରହିବ। କେବଳ ରେଷ୍ଟୁରାଣ୍ଟରୁ ଲୋକେ ଖାଦ୍ୟ ପାର୍ସଲ ନେଇପାରିବେ। ବିମାନ ଚଳାଚଳ, ସ୍କୁଲ, କଲେଜ, କୋଚିଂ ସେଣ୍ଟର ବନ୍ଦ ରହିବ। ସବୁ ସାମାଜିକ, ରାଜନୈତିକ, ମନୋରଞ୍ଜନ କାର୍ଯ୍ୟକ୍ରମ ପୂର୍ବଭଳି ବନ୍ଦ ରହିବ। ଧର୍ମୀୟ ଅନୁଷ୍ଠାନରେ ସାଧାରଣ ଲୋକଙ୍କ ପ୍ରବେଶକୁ ବାରଣ କରାଯାଇଛି। ସେହିପରି ଭୁବନେଶ୍ୱରରେ ଥିବା ଏସ୍‌ପ୍ଲାନେଡ, ଫୋରମ ମାର୍ଟ, ବିଏମସି ଭବାନୀ ମଲ, ସେଣ୍ଟ୍ରାଲ ସପିଂ ମଲ, ପାଣ୍ଟାଲୁନ ଆଦି ସପିଂ ମଲ ବନ୍ଦ ରହିବ ବୋଲି ଗାଇଡ ଲାଇନରେ ଉଲ୍ଲେଖ ରହିଛି।

Share