Categories: ଫୁରସତ

ବିଏମ୍‌ଡବ୍ଲ୍ୟୁ ଚଲାଉଥିବା ଶିଳ୍ପପତି ଚଢ଼ିଲେ ବଳଦଗାଡ଼ି, ଜାଣନ୍ତୁ କାରଣ

ଭୋପାଳ: ମଧ୍ୟପ୍ରଦେଶର ବାଣିଜ୍ୟ ନଗର ଇନ୍ଦୋର ନିକଟ ପାଲଦା ଉଦ୍ୟୋଗିକ କ୍ଷେତ୍ରରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। ସାଧାରଣତଃ ଉଦ୍ୟୋଗପତିମାନେ ଶିଳ୍ପକ୍ଷେତ୍ରକୁ ବିଏମ୍‌ଡବ୍ଲ୍ୟୁ ପରି ଗାଡ଼ି ଚଢ଼ି ଆସିଥାନ୍ତି। କିନ୍ତୁ ଜଣେ ଉଦ୍ୟୋଗପତି ବିଏମ୍‌ଡବ୍ଲ୍ୟୁ ଗାଡ଼ି ଛାଡ଼ି ବଳଦଗାଡ଼ି ବା ଶଗଡ଼ରେ ଫ୍ୟାକ୍ଟ୍ରିକୁ ଆସିଥିଲେ। ଜାଣନ୍ତୁ ଏହାର କାରଣ ବିଷୟରେ…
‘ପାଲଦା’ ଇଣ୍ଡଷ୍ଟ୍ରିଆଲ ଅଞ୍ଚଳ ଇନ୍ଦୋର ଜିଲା ମୁଖ୍ୟାଳୟଠାରୁ ପ୍ରାୟ ୭ କିଲୋମିଟର ଦୂରରେ ଅବସ୍ଥିତ। ଦୀର୍ଘବର୍ଷ ଧରି ଏଠାରେ ଥିବା ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଅତ୍ୟଧିକ ବର୍ଷା ହେତୁ ରାସ୍ତା ପାଣିକାଦୁଅରେ ପୂରିଯାଏ। ଫଳରେ ଏଥିରେ ଯିବାଆସିବା କରିବା ଅସମ୍ଭବ ହୋଇପଡ଼େ। ଉକ୍ତ ରାସ୍ତାକୁ ବିରୋଧ କରି ପାଲଦା ଇଣ୍ଡଷ୍ଟ୍ରିଆଲ କମ୍ପାନୀ ଅଧିକାରୀମାନେ ସେମାନଙ୍କ ଗାଡିଗୁଡ଼ିକୁ ଶିଳ୍ପାଞ୍ଚଳ ବାହାରେ ରଖି ସାମଗ୍ରୀ ପରିବହନ କରୁଥିବା ବଳଦଗାଡ଼ିରେ କାରଖାନାରେ ପହଞ୍ଚିଥିଲେ।
ଉଦ୍ୟୋଗପତିଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ରାସ୍ତା ଖରାପ ଥିବା ବେଳେ ଉଦ୍ୟୋଗପତିଙ୍କ କାନ୍ଧରେ ଲାପଟପ୍‌ ଏବଂ ହାତରେ ସ୍ମାର୍ଟଫୋନ୍‌ ରହିଥିବା ନଜର ଆସିଛି।
ସୂଚନାଯୋଗ୍ୟ, ପାଲଦା ଶିଳ୍ପ ସଂଗଠନର ଅଧ୍ୟକ୍ଷ ପ୍ରମୋଦ ଜୈନ, ସଚିବ ହରିଶ ନାଗର, ରମେଶ ପଟେଲ ମଧ୍ୟ ସାମିଲ ଥିଲେ। ଏମାନେ ସମସ୍ତେ ଖରାପ ରାସ୍ତାକୁ ବିରୋଧ କରିଆସୁଥିଲେ। ଫଳସ୍ବରୂପ ସେ ବିଏମ୍‌ଡବ୍ଲ୍ୟୁ ପରି ଦାମୀ ଗାଡ଼ି ଛାଡ଼ି ବଳଦଗାଡ଼ି ବା ଶଗଡ଼ରେ ଯିବାକୁ ଶ୍ରେୟ ମନେ କରିଥିଲେ।

Share