ବିଏମ୍‌ସିର ପଲିଥିନ ବ୍ୟାନ୍‌ ବାଟବଣା

ଭୁବନେଶ୍ୱର, ୧୯।୯(ବ୍ୟୁରୋ): ଗତବର୍ଷ ଅକ୍ଟୋବର ୨ରୁ ରାଜ୍ୟରେ ପ୍ଲାଷ୍ଟିକ୍‌ ଓ ପଲିଥିନ ବ୍ୟବହାର ବନ୍ଦ କରାଯାଇଛି। ରାଜଧାନୀକୁ ସ୍ବଚ୍ଛ ଓ ସୁନ୍ଦର ସହରରେ ପରିଣତ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ମଧ୍ୟ ଏହି ନିୟମକୁ କଡ଼ାକଡ଼ି ଲାଗୁ କରିଥିବା ଘୋଷଣା କରିଛି। ହେଲେ ଆରମ୍ଭରୁ ଚଢ଼ାଉ ଓ ପଦକ୍ଷେପ ନେଇ ଯେଉଁ ତତ୍ପରତା ଦେଖାଇଥିଲା ତାହା ଆଉ ନାହିଁ। ଏବେ ହାଟ, ବଜାରରେ ଗଦା ଗଦା ପଲିଥିନ। ବ୍ୟବସାୟୀ ଓ ଲୋକଙ୍କ ହାତରେ କପଡ଼ା ବ୍ୟାଗ୍‌ ପରିବର୍ତ୍ତେ ପଲିଥିନ ଦେଖିବାକୁ ମିଳୁଛି। ଆଉ ୧୪ଦିନ ପରେ ଭୁବନେଶ୍ୱରରେ ପଲିଥିନ ବ୍ୟାନ୍‌କୁ ବର୍ଷେ ପୂରୁଛି। ମଝିରେ ମଝିରେ ବିଏମ୍‌ସି, କମିଶନରେଟ ପୋଲିସର ମିଳିତ ଟିମ୍‌ ଚଢ଼ାଉ କରୁଥିଲେ ମଧ୍ୟ ସେପରି କିଛି ସଫଳତା ମିଳିନାହିଁ। ଫଳରେ ପଲିଥିନ ବ୍ୟାନ୍‌ ବାଟବଣା ହୋଇଛି।
ପ୍ଲାଷ୍ଟିକ୍‌ ଓ ପଲିଥିନ ବ୍ୟାନ୍‌କୁ କଡ଼ାକଡ଼ି କରିବା ପାଇଁ ବିଏମ୍‌ସିରେ ଏକ ମିଳିତ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଗଠନ କରାଯାଇଥିଲା। ଏହି ଟିମ୍‌ ସହରର ବିଭିନ୍ନ ସ୍ଥାନରେ ଚଢାଉ କରିବା ସହ ଜରିମାନା ଆଦାୟ କରିଥିଲା। ସଚେତନତା ସୃଷ୍ଟି ସହ ବିକଳ୍ପ ବ୍ୟବସ୍ଥା ସ୍ବରୂପ କପଡ଼ା, ରିସାଇକ୍ଲିବଲ୍‌ ତଥା ଇକୋ ଫ୍ରେଣ୍ଡ୍‌ଲି କ୍ୟାରି ବ୍ୟାଗ୍‌ ଉପରେ ଗୁରୁତ୍ୱ ଦିଆଗଲା। କିଛିଦିନ ଧରି ବଜାରରୁ ପଲିଥିନ କ୍ୟାରି ବ୍ୟାଗ୍‌ ଉଭାନ ହୋଇଗଲା। ଲୋକଙ୍କ ହାତରେ କପଡ଼ା ଓ ଜରି ବ୍ୟାଗ୍‌ ଦେଖିବାକୁ ମିଳିଥିଲା। ନିୟମ ଉଲ୍ଲଂଘନକାରୀଙ୍କ ଉପରେ ସେପରି କୌଣସି ପଦକ୍ଷେପ ନିଆ ନ ଯିବାରୁ ପରବର୍ତ୍ତୀ ସମୟରେ ଏହାର ପ୍ରଭାବ କିଛି ପଡ଼ିଲା ନାହିଁ। ଧୀରେ ଧୀରେ ନିଷେଧ ପଲିଥିନ ବ୍ୟବହାର ପୂର୍ବପରି ଚାଲିବାରୁ ନିଦ ଭାଙ୍ଗିବା ପରି ପୁଣି ଗତ ଜୁନ୍‌ ମାସଠାରୁ ବିଏମ୍‌ସି ଚଢାଉ ଅରମ୍ଭ କରିଥିଲା। ଏବେ ବିଏମ୍‌ସି ପୂରା ଶୋଇଯାଇଥିବାବେଳେ ଛୋଟ ବଡ଼ ସବୁ ବ୍ୟବସାୟୀ ବେଧଡ଼କ ଭାବେ ପଲିଥିନରେ ଗ୍ରାହକଙ୍କୁ ସାମଗ୍ରୀ ଦେଉଥିବା ନଜରକୁ ଆସିଛି।
ସହରର କେତେଜଣ ବୁଦ୍ଧିଜୀବୀ କହିଛନ୍ତି, ଯଦି ନୂଆ ମୋଟର ଯାନ ଆଇନ ପରି ପଲିଥିନ କଟକଣା ଉପରେ ବିଏମ୍‌ସି ଧ୍ୟାନ ଦେବ ତା’ହେଲେ କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ। ହେଲେ ବିଏମ୍‌ସିର ପଲିଥିନ କଟକଣାକୁ କାର୍ଯ୍ୟକାରୀ କରିବାରେ ଆନ୍ତରିକତା ନାହିଁ। ଏହାଦ୍ୱାରା ଲୋକେ ଓ ବ୍ୟବସାୟୀମାନେ ନିର୍ଭୟରେ ପଲିଥିନ ବ୍ୟବହାର କରିଚାଲିଛନ୍ତି। କାର୍ଯ୍ୟାନୁଷ୍ଠାନ ତ ଦୂରର କଥା ଆଉ ଚଢ଼ାଉ ହେବାର ବି ଦେଖାଯାଉନାହିଁ।

Share