ଭୁବନେଶ୍ୱର,୧୯ା୫ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି ନ କରିବା ପର୍ଯ୍ୟନ୍ତ ଭୁବନେଶ୍ୱରରେ ପୂର୍ବ କଟକଣା ବଳବତ୍ତର ରହିବ। ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ଜିଲାପାଳ ଓ ପୌରାଞ୍ଚଳ ଅଧିକାରୀ କ’ଣ ଖୋଲିବ ଓ କ’ଣ ବନ୍ଦ ରହିବ ସେନେଇ ନିଷ୍ପତ୍ତି ନେବାକୁ କହିଛନ୍ତି। ତେଣୁ ବିଏମ୍ସିର ବିନା ଅନୁମତିରେ ଯଦି କିଛି ଅନାବଶ୍ୟକୀୟ ଦୋକାନ ବଜାର ଖୋଲା ରୁହେ, ତେବେ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମ୍ସି କମିଶନର ପ୍ରେମ୍ଚନ୍ଦ୍ର ଚୌଧାରୀ କହିଛନ୍ତି। କେନ୍ଦ୍ର ସରକାର ଲକ୍ଡାଉନ୍ ୪.୦ ମେ ୩୧ ଯାଏ ବଢ଼ାଇଥିବା ବେଳେ ଏ ନେଇ ପରିବର୍ତ୍ତିତ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସୋମବାର ସନ୍ଧ୍ୟାରେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ପରିବର୍ତ୍ତିତ ନିର୍ଦ୍ଦେଶନାମା ଜାରି କରାଯାଇଛି। ସେହି ନିର୍ଦ୍ଦେଶନାମା ଆଧାରରେ ଭୁବନେଶ୍ୱରରେ କ’ଣ ଖୋଲା ରହିବ ଓ କ’ଣ ବନ୍ଦ ରହିବ ତାହା ନିର୍ଣ୍ଣୟ କରାଯିବ। ବିନା ଅନୁମତିରେ ସୋମବାର କେତେଜଣ ବ୍ୟବସାୟୀ ଭୁବନେଶ୍ୱରରେ ସେଲୁନ୍, ଚା, ପାନ, ଦୋକାନ ଖୋଲିଥିବାର ବିଏମ୍ସି କର୍ମଚାରୀଙ୍କ ନଜରକୁ ଆସିଛି। ସେମାନେ କେନ୍ଦ୍ର ସରକାରଙ୍କ ନିୟମ ମାନି ଦୋକାନ ଖୋଲିଥିବାର କହିବା ପରେ କେବଳ ତାଗିଦ୍ କରି ଦୋକାନ ବନ୍ଦ କରିବାକୁ କୁହାଯାଇଛି। କିନ୍ତୁ ପରବର୍ତ୍ତୀ ସମୟରେ ଜରିମାନା ଆଦାୟ କରାଯିବ ବୋଲି କମିଶନର ଚୌଧାରୀ କହିଛନ୍ତି। ଏଥିସହ ମଙ୍ଗଳବାର ବିଏମ୍ସି କର୍ତ୍ତୃପକ୍ଷ ଏ ନେଇ ଆଲୋଚନା କରି ସମସ୍ତ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।