ବିଏମ୍‌ସି ଅବସରପ୍ରପ୍ତ କର୍ମଚାରୀ ପାଇବେ ପେନସନ

ବ୍ରହ୍ମପୁର ଅଫିସ,୧୮ା୧-ବ୍ରହ୍ମପୁର ମହାନଗର ନିଗମ ଅବସରପ୍ରାପ୍ତ କର୍ମଚାରୀ ସପ୍ତମ ବେତନ କମିଶନ ସୁପାରିସ ଅନୁସାର ପାଇବେ ପେନ୍‌ସନ। ରାଜ୍ୟ ସରକାରଙ୍କ ମଞ୍ଜୁରୀପତ୍ର ବିଏମ୍‌ସିରେ ପହଞ୍ଚତ୍ଛି ଓ ଚଳିତ ମାସରୁ ଲାଗୁ ହେବା ଜଣାପଡ଼ିଛି। ଏହାଦ୍ୱାରା ପ୍ରାୟ ୬ ଶହ ପେନ୍‌ସନଭୋଗୀ ଉପକୃତ ହେବେ। ବର୍ତ୍ତମାନ ପାଉଥିବା ମୂଳ ପେନ୍‌ସନର ୨.୫୭% ଅଧିକ ମିଳିବ। ସରକାରଙ୍କ ଏହି ନିଷ୍ପତ୍ତିକୁ ମହାନଗର ନିଗମ ଅବସରପ୍ରାପ୍ତ କର୍ମଚାରୀ ସଂଘ ସ୍ବାଗତ କରିଛି।
ବିଏମ୍‌ସିର ସ୍ଥାୟୀ କର୍ମଚାରୀମାନେ ପୂର୍ବରୁ ସପ୍ତମ ବେତନ କମିଶନ ସୁପାରିସ ଅନୁସାରେ ପାଉଥିଲେ ବର୍ଦ୍ଧିତ ଦରମା । ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି ମନୋହର ପାତ୍ର କହିଛନ୍ତି, ୨୦୧୬ ଜାନୁୟାରୀରୁ ସପ୍ତମ ବେତନ କମିଶନ ସୁପାରିସ ଲାଗୁ ହୋଇଛି। ତେବେ ବିଏମ୍‌ସିରେ ଏହା କାର୍ଯ୍ୟକାରୀ ହୋଇ ନ ଥିଲା। ଗତବର୍ଷ ମାର୍ଚ୍ଚରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବ୍ରହ୍ମପୁର ଆସିଥିଲେ। ଆୟୋଜିତ ସମାବେଶରେ ପୌର କର୍ମଚାରୀଙ୍କୁ ସପ୍ତମ ବେତନ ପ୍ରକାରେ ବର୍ଦ୍ଧିତ ଦରମା ଦିଆଯିବାକୁ ଘୋଷଣା କରିଥିଲେ। ଫଳରେ ରାଜ୍ୟର ହଜାର ହଜାର ପୌର କର୍ମଚାରୀ ଉପକୃତ ହୋଇଥିଲେ। ତେବେ ଅବସରପ୍ରାପ୍ତ କର୍ମଚାରୀ ବାଦ ପଡ଼ିଥିଲେ। ବିଳମ୍ବରେ ପେନ୍‌ସନ ଭୋଗୀ କର୍ମଚାରୀଙ୍କ ପାଇଁ ସରକାର ମଞ୍ଜୁର କରିଛନ୍ତି।
ଗତ ୧୫ ମାସ ହେବ ବିଏମ୍‌ସି ନିର୍ବାଚିତ ପରିଷଦର କାର୍ଯ୍ୟକାଳ ପୂରିଯାଇଛି। ଗଞ୍ଜାମ ଜିଲାପାଳ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱରେ ଅବସ୍ଥାପିତ ହୋଇଛନ୍ତି। କର୍ପୋରେଶନ ବା କାଉନସିଲ ବୈଠକ ଅଧିକାରୀମାନଙ୍କୁ ନେଇ ଅନୁଷ୍ଠିତ ହେଉଛି। ସରକାରୀ ନିର୍ଦ୍ଦେଶ ପ୍ରକାରେ ବର୍ଦ୍ଧିତ ହାରରେ ପେନସନ ପ୍ରଦାନ ପାଇଁ କାଉନସିଲ ବୈଠକରେ ଅନୁମୋଦିତ ହେବାର ବିଧି ରହିଛି। ଆଗାମୀ ବୈଠକରେ ଏହା ଉପସ୍ଥାପିତ ହେବ। ତେବେ ଚଳିତ ମାସରୁ ବର୍ଦ୍ଧିତ ପେନ୍‌ସନ ଦିଆଯିବାର ବିଏମ୍‌ସି କର୍ତ୍ତୃପକ୍ଷ ଆଶ୍ୱସନା ଦେଇଥିବା ସଂଘ ସଭାପତି ସୂଚାଇଛନ୍ତି। ଗତ ୪ ବର୍ଷର ବକେୟା ପ୍ରାପ୍ୟ ମଧ୍ୟ ପର୍ଯ୍ୟାୟକ୍ରମେ ମିଳିବ। ତେବେ ତାହା ମଧ୍ୟ ତୁରନ୍ତ ପ୍ରଦାନ ପାଇଁ କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ସଂଘ ସଭାପତି ପାତ୍ର ଦାବି କରିଛନ୍ତି।

Share