Categories: ମେଟ୍ରୋ

ବିଏମ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଭାଜପାର ଧାରଣା: ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବାକୁ ଦାବି

ଭୁବନେଶ୍ୱର,୧।୮(ବ୍ୟୁରୋ): ରାଜଧାନୀବାସୀ ମୌଳିକ ସୁବିଧାରୁ ବଞ୍ଚତ୍ତ ହେଉଛନ୍ତି। ଏହାର ପ୍ରତିବାଦରେ ବୁଧବାର ଭାରତୀୟ ଜନତା ପାର୍ଟି ଭୁବନେଶ୍ୱର ଜିଲା ପକ୍ଷରୁ ଜିଲା ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କ ନେତୃତ୍ୱରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କାର୍ଯ୍ୟାଳୟ ସମ୍ମୁଖରେ ଏକ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଥିଲା। ରାଜଧାନୀବାସୀଙ୍କ ସମସ୍ତ ସମସ୍ୟାକୁ ନେଇ ଏହି ଧାରଣା କରାଯାଇଥିଲା। ସାଧାରଣତଃ ବର୍ଷା ପାଣି , ବର୍ଜ୍ୟବସ୍ତୁ ନିଷ୍କାସନ ଓ ବାତ୍ୟା ଫନୀରେ କ୍ଷତିଗ୍ରସ୍ତ ହିତାଧିକାରୀଙ୍କୁ ଅନୁକମ୍ପା ରାଶି ଦେବାରେ ବିଫଳ ହୋଇଥିବା କଥାକୁ ଦର୍ଶାଯାଇ ବିଏମ୍‌ସି ବିରୋଧରେ ନାରାବାଜି କରାଯାଇଥିଲା। ଭାଜପା ରାଜ୍ୟ ଉପସଭାପତି ସମୀର ମହାନ୍ତି, ପ୍ରବକ୍ତା ଦିଲୀପ ମହାନ୍ତି, ଜଗନ୍ନାଥ ପ୍ରଧାନ, ବାବୁ ସିଂ, ଜିଲା ଉପସଭାପତି ବସନ୍ତ ରାଉତ, ପଦ୍ମାବତୀ ଜେନାଙ୍କ ସହ ବହୁ କର୍ମୀ ଏ ନେଇ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀଙ୍କୁ ବିଭିନ୍ନ ଦାବି ସମ୍ବଳିତ ସ୍ମାରକପତ୍ର ଦାବିପତ୍ର ପ୍ରଦାନ କରିଥିଲେ। ଏହା ବ୍ୟତୀତ ରାଜଧାନୀବାସୀଙ୍କୁ ଯଦି ଉପଯୁକ୍ତ ନାଗରିକ ସୁବିଧା ଯୋଗାଇ ନ ଦିଆଯାଏ ତାହା ହେଲେ ବ୍ୟାପକ ଜନ ଆନ୍ଦୋଳନ କରାଯିବ ବୋଲି ଭାଜପା କହିଛି।

Share