ବିଏମ୍‌ସି ଘେରିବେ ବାଦ୍‌ପଡ଼ିଥିବା ଉଠାଦୋକାନୀ

ଭୁବନେଶ୍ୱର,୧୩ା୧(ବ୍ୟୁରୋ): ବାତ୍ୟା ‘ଫନୀ’ରେ କ୍ଷତିଗ୍ରସ୍ତ ହୋଇଥିବା ରାଜଧାନୀର ଉଠା ଦୋକାନୀଙ୍କୁ ସହାୟତା ରାଶି ବଣ୍ଟନରେ ଆରମ୍ଭରୁ କେଁ ସୃଷ୍ଟି ହୋଇଛି। ଉଠାଦୋକାନୀଙ୍କ ୨୦୧୫ ସର୍ଭେରେ ମୋଟ ୨୧ହଜାର ୪୮୩ ଜଣ ଦୋକାନୀ ସାମିଲ ଥିବାବେଳେ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ଫନୀ ସହାୟତା ରାଶି କେବଳ ୧୧ହଜାର ୩୪୮ କ୍ଷତିଗ୍ରସ୍ତ ଦୋକାନୀଙ୍କୁ ମିଳିବ ବୋଲି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଘୋଷଣା କରିଛି। ଫଳରେ ଏବେ ସହାୟତା ରାଶି ପାଇବାରୁ ବଞ୍ଚତ୍ତ ହେଉଥିବା ଉଠାଦୋକାନୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଦିନକୁ ଦିନ ବିବାଦ ତେଜୁଥିବାବେଳେ ଆଗାମୀ ଦିନରେ ସହାୟତା ପାଇବାରୁ ବାଦ୍‌ ପଡୁଥିବା ଉଠାଦୋକାନୀମାନେ ବିଏମ୍‌ସି କାର୍ଯ୍ୟାଳୟ ଘେରିବେ ବୋଲି ପ୍ରକାଶ କରିଛନ୍ତି।
ମିଳିଥିବା ସୂଚନାନୁସାରେ, ମୁଖ୍ୟମନ୍ତ୍ରୀ କ୍ଷତିଗ୍ରସ୍ତ ଉଠାଦୋକାନୀଙ୍କ ପାଇଁ ଫନୀ ସହାୟତା ବାବଦକୁ ୧୦ହଜାର ଟଙ୍କା ଲେଖାଏ ଘୋଷଣା କରିଥିଲେ। ଏହାପରେ ବିଏମ୍‌ସି ୨୦୧୫ ସର୍ଭେକୁ ଆଧାର କରି ସହାୟତା ରାଶି ପ୍ରଦାନ କରିବ ବୋଲି କହିଥିଲା। ହେଲେ ବର୍ତ୍ତମାନ ବିଏମ୍‌ସି ଦ୍ୱାରା ପ୍ରକାଶିତ ଫନୀ ସହାୟତା ତାଲିକାରେ ସର୍ଭେରେ ଅନ୍ତର୍ଭୁକ୍ତ ହୋଇଥିବା ପାଖାପାଖି ୫୦% ଉଠାଦୋକାନୀଙ୍କ ନଁା ନ ଥିବା ଅଭିଯୋଗ ହୋଇଛି। ୟୁନିଟ ୩ ଅଞ୍ଚଳର ଉଠା ଦୋକାନୀ ନୀଳମଣି ସାହୁ କହିଛନ୍ତି, ଫନୀରେ ସମସ୍ତେ ପ୍ରଭାବିତ ହୋଇଛନ୍ତି, ତେଣୁ ସହୟତା ସମସ୍ତଙ୍କୁ ମିଳିବା କଥା। ହେଲେ ବିଏମ୍‌ସି କିଛି ବ୍ୟବସାୟୀଙ୍କୁ ସହାୟତା ଦେବ ବୋଲି ତାଲିକା ପ୍ରକାଶ କରିଛି। ଏହା ବାଦ୍‌ ପଡୁଥିବା ଉଠାଦୋକାନୀଙ୍କ ପାଇଁ ଅନ୍ୟାୟ। ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି, ୨୦୧୫ରେ ଗଣତି ହୋଇଥିବା ଉଠା ଦୋକାନୀ ଓ ଫନୀରେ କ୍ଷତିଗ୍ରସ୍ତ ହୋଇଥିବା ଦୋକାନୀଙ୍କୁ ଭିନ୍ନ ଭିନ୍ନ ଭାବେ ସର୍ଭେ କରାଯାଇଛି। ସହାୟତା ପାଇବାର ହକ୍‌ ଥିବା ଉଠା ଦୋକାନୀଙ୍କୁ ଚିହ୍ନଟ କରାଯାଇଛି। ସେଥିପାଇଁ ସହାୟତା ପ୍ରଦାନରେ ସାମାନ୍ୟ ବିଳମ୍ବ ହୋଇଗଲା ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଫନୀ ସହାୟତା ପାଇବା ପାଇଁ ରାଶନ କାର୍ଡ ନ ଥିବା ଲୋକେ ତୁମ୍ବିତୋଫାନ କରିଥିଲେ। ଫଳରେ ବାଧ୍ୟହୋଇ ସରକାର ଏମାନଙ୍କୁ ବି ସହାୟତା ଦେଇଥିଲେ। ଏବେ ସେହିଭଳି ସ୍ଥିତି ଉପୁଜିବ ବୋଲି ଆଶଙ୍କା କରାଯାଉଛି।

Share