ବିଏମ୍‌ସି ପକ୍ଷରୁ ପଲିଥିନ ଚଢ଼ାଉ; ୯୦ କେଜି ଜବତ

ଭୁବନେଶ୍ୱର,୧୧।୭(ବ୍ୟୁରୋ) ବାରଣ କରାଯାଇଥିବା ପଲିଥିନ୍‌ ଓ ପ୍ଲାଷ୍ଟିକ୍‌ ବ୍ୟବହାରକାରୀଙ୍କ ଉପରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଲଗାତାର ଚଢାଉ ଜାରି ରଖିଛି। ଚଳିତ ସପ୍ତାହରେ ୯୦ କେଜି ପଲିଥିନ ଜବତ କରିବା ସହ ୧୧ ହଜାର ୯ ଶହ ଟଙ୍କାର ଜରିମାନା ଆଦାୟ କରିଛି। ପ୍ଲାଷ୍ଟିକ୍‌ ଏନ୍‌ଫୋର୍ସମେଣ୍ଟ ପକ୍ଷରୁ ଏହା ପ୍ରକାଶ କରାଯାଇଛି। ବିମନ ବିହାରୀ ବେହୁରା ଓ ପ୍ରଭାତ ମିଶ୍ରଙ୍କ ସହ ତାଙ୍କ ଟିମ୍‌ ଦ୍ୱାରା ମଧ୍ୟ ଜୋନରେ ଏହି ଚଢାଉ କରାଯାଇଥିଲା। ଉତ୍ତରରେ ପ୍ରଶାନ୍ତ ରାଉତ ଏବଂ ଦକ୍ଷିଣ ପୂର୍ବରେ ପ୍ରତାପ ପଟ୍ଟନାୟକ ଓ ସଞ୍ଜୁକ୍ତା ପଣ୍ଡାଙ୍କ ସହ ଟିମ୍‌ ପକ୍ଷରୁ ଏହି ଚଢାଉ କରାଯାଇଛି। ପ୍ରତି ବୁଧବାର ମାଛ ଓ ମାଂସ ବଜାରରେ ଚଢାଉ କରାଯାଉଛି। ପ୍ଲାଷ୍ଟିକ୍‌ ଓ ପଲିଥିନ୍‌ ଧରିବାକୁ ବିଏମ୍‌ସିର ଜୋନାଲ୍‌ ଡେପୁଟି କମିଶନର୍‌ମାନଙ୍କ ଅଧୀନରେ ସ୍ବତନ୍ତ୍ର ସ୍କ୍ବାଡ ଗଠିତ ହୋଇ ଚଢାଉ କରାଯାଇଥିଲା। ୫୦ ମାଇକ୍ରୋନ୍‌ ତଳକୁ ଥିବା ପଲିଥିନ୍‌ ଧରିବାକୁ ଏହି ବ୍ୟବସ୍ଥା କରାଯାଇଥିବା ବେଳେ ବିଏମ୍‌ସି କମିଶନରଙ୍କ ନିର୍ଦ୍ଦେଶରେ ସ୍କ୍ବାଡ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚଢାଉ କରୁଛନ୍ତି।

Share