ବିଏମ୍‌ସି ହାତକୁ ଗଲା କୋଚିଲେଇ ହାଟ

ଭୁବନେଶ୍ୱର, ୨୮।୯(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଚଳିତବର୍ଷ ତା’ର ରାଜସ୍ବ ବଢାଇବା ଉଦ୍ୟମ ଜାରି ରଖିଛି। ଏହି ମର୍ମରେ ରସୁଲଗଡ଼ ଛକ ନିକଟରେ ଥିବା ଦୀର୍ଘ ୨୩ ବର୍ଷର କୋଚିଲେଇ ହାଟକୁ ନିଜ ଦାୟିତ୍ୱକୁ ନେଇଛି। ଏକ ସ୍ବତନ୍ତ୍ର ସରକାରୀ ପ୍ରକ୍ରିୟାରେ ହାଟଟି ସାଧାରଣ ପ୍ରଶାସନ ବିଭାଗ ଅଧୀନରୁ ବିଏମ୍‌ସି ଅଧୀନକୁ ଆସିଛି ବୋଲି ବିଏମ୍‌ସି କର୍ତ୍ତୃପକ୍ଷ ବିଜ୍ଞପ୍ତି ଜାରି କରିଛନ୍ତି।
ପୂର୍ବରୁ ରାଜ୍ୟ ସରକାରଙ୍କର ସାଧାରଣ ପ୍ରଶାସନ ବିଭାଗ ଅଧୀନରେ ହାଟ ଥିଲା। ହାଟଟି ବମିଖାଲ ମୌଜାର ଜମି ଭାବେ ଉଲ୍ଲେଖ ରହିଛି। ଓଡ଼ିଶା କର୍ପୋରେଶନ ନିୟମ ୨୦୦୩ର ଭାଗ ୫୫୯ ଅନୁଯାୟୀ ହାଟଟି ବିଏମ୍‌ସିକୁ ଆସିଛି। ହାଟର ରକ୍ଷଣାବେକ୍ଷଣ ଦାୟିତ୍ୱ ଏବେଠାରୁ ବିଏମ୍‌ସି ନେବ। ବିଏମ୍‌ସି କର୍ତ୍ତୃପକ୍ଷ ହାଟର ପରିଚାଳନା କମିଟିକୁ ନିୟନ୍ତ୍ରଣ କରିବା ସହ ଏହାର ବିଭିନ୍ନ ବିକାଶ ପାଇଁ ଯୋଜନା କରିବ। ହାଟକୁ ଏକ ନୂଆ ଢାଞ୍ଚା ଦିଆଯିବ ବୋଲି କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି।
ଓ୍ବାର୍ଡ ଅଫିସର ହାଟର ଭଲମନ୍ଦ ବୁଝାଶୁଝା କରିବାକୁ ଥିବା ବେଳେ ଦୈନିକ ପରିବା ହାଟରୁ ଓ ଅନ୍ୟ ସମୟରେ ବ୍ୟବସାୟୀମାନଙ୍କଠାରୁ ରାଜସ୍ବ ସଂଗ୍ରହ କରିବେ ବୋଲି ବିଏମ୍‌ସିର ଜନୈକ ଅଧିକାରୀ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ରସୁଲଗଡ଼ର ବାସିନ୍ଦା ସ୍ବର୍ଗତ କାଳନ୍ଦୀ ଚରଣ ରାଉତରାୟ ହାଟର ପ୍ରତିଷ୍ଠାତା ଥିଲେ। ୧୯୯୬ ଫେବୃୟାରୀ ୧୪ରେ ହାଟଟି ତତ୍‌କାଳୀନ ଅବକାରୀ ମନ୍ତ୍ରୀ ସୁରେଶ କୁମାର ରାଉତରାୟଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା।

Share