Categories: ବାଣିଜ୍ୟ

ବିଏସ୍‌ଏନ୍‌ଏଲ୍‌ର ପୁନରୁଦ୍ଧାର ଲାଗି ମୋଦିଙ୍କ ହସ୍ତକ୍ଷେପ ଲୋଡିଲେ ଇଞ୍ଜିନିୟର

ନୂଆଦିଲ୍ଲୀ,୨୪।୬: ରାଷ୍ଟ୍ରାୟତ୍ତ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌)ର ପୁନରୁଦ୍ଧାର ଲାଗି କମ୍ପାନୀର ଇଞ୍ଜିନିୟର ଓ ଆକାଉଣ୍ଟସ ଅଧିକାରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ଅଲ୍‌ ଇଣ୍ଡିଆ ଗ୍ରାଜୁଏଟ୍‌ ଇଞ୍ଜିନିୟର୍ସ ଏବଂ ଟେଲିକମ୍‌ ଅଫିସର୍ସ ଆସୋସିଏଶନ ପକ୍ଷରୁ ଗତ ୧୮ରେ ମୋଦିଙ୍କୁ ପତ୍ର ଲେଖାଯାଇଛି। ବିଏସ୍‌ଏନ୍‌ଏଲ୍‌ର ନଗଦ ସଙ୍କଟ ଦୂର କରିବା ଲାଗି ସରକାର ବଜେଟରେ ସହାୟତା କରିବାକୁ ନିବେଦନ କରାଯାଇଛି। ଏହାଛଡ଼ା କର୍ମଚାରୀଙ୍କ ମଧ୍ୟ ପ୍ରଦର୍ଶନଭିତ୍ତିକ ଏକ ବ୍ୟବସ୍ଥା ଲାଗୁ କରିବାକୁ ପତ୍ରରେ ସୁପାରିସ୍‌ କରାଯାଇଛି। ଏହାଦ୍ୱାରା ଭଲ ପ୍ରଦର୍ଶନ କରୁଥିବା କର୍ମଚାରୀଙ୍କୁ ପୁରସ୍କୃତ କରାଯିବା ସହ ନିକମାଙ୍କୁ ଦାୟୀ କରାଯାଇପାରିବ। ୨୦୧୦ରୁ ନିଲାମ ଭିତ୍ତିରେ ସ୍ପେକ୍ଟ୍ରମ ବ୍ୟବହାର ଲାଗି ସରକାରଙ୍କୁ ଅର୍ଥ ପୈଠ କରିବାକୁ କୁହାଯିବା ପରେ ଦୁଇଟି ରାଷ୍ଟ୍ରାୟତ୍ତ ଟେଲିକମ କମ୍ପାନୀ ବିଏସ୍‌ଏନ୍‌ଏଲ୍‌ ଓ ଏମ୍‌ଟିଏନ୍‌ଏଲ୍‌ କ୍ଷତିରେ ଚାଲିବା ଆରମ୍ଭ କରିଛି ବୋଲି ପତ୍ରରେ ଦର୍ଶାଯାଇଛି। ଏଥିରେ କୁହାଯାଇଛି ଯେ, ଟେଲିକମ୍‌ ସେକ୍ଟର ଚାପଗ୍ରସ୍ତ ହୋଇଥିଲେ ମଧ୍ୟ ଆମତ୍ନିର୍ଭରଶୀଳ ତଥା ଋଣମୁକ୍ତ ଭାବେ ବିଏସ୍‌ଏନ୍‌ଏଲ୍‌ର ବଜାର ଅଂଶ ବଢ଼ିବାରେ ଲାଗିଛି ବୋଲି ଆସୋସିଏଶନ ପକ୍ଷରୁ ଯୁକ୍ତି ଦର୍ଶାଯାଇଛି।

Share