ବିଏସ୍‌ଏନ୍‌ଏଲ୍‌ ଅସ୍ଥାୟୀ କର୍ମଚାରୀଙ୍କ ଧାରଣା ସ୍ଥଗିତ

ଭଞ୍ଜନଗର,୧୬।୭(ଡି.ଏନ.ଏ)-କର୍ମଚାରୀଙ୍କ ୬ମାସର ବକେୟା ଦରମା ପ୍ରଦାନ, ଚାକିରି ନିୟମିତ କରିବା ଆଦି ଦାବିନେଇ ରାଜ୍ୟବ୍ୟାପୀ ବିଏସ୍‌ଏନ୍‌ଏଲ୍‌ ଅସ୍ଥାୟୀ କର୍ମଚାରୀମାନେ ସୋମବାରଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିଲେ। ସେବା ପ୍ରଭାବିତ ହେବା ଆଶଙ୍କାରେ ବିଏସଏନଏଲର ଉଚ୍ଚ କର୍ତ୍ତୃପକ୍ଷ, କର୍ମଚାରୀ ସଂଘର ରାଜ୍ୟ କର୍ମକର୍ତ୍ତା ଏବଂ ଶ୍ରମ ବିଭାଗର ଅଧିକାରୀଙ୍କୁ ଡ଼ାକି ସମସ୍ୟାର ସମାଧାନ କରିଛନ୍ତି। ୧୫ ଦିନ ମଧ୍ୟରେ ବକେୟା ଦରମା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନକୁ ଅଗଷ୍ଟ ୨ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ବକେୟା ନ ମିଳିଲେ ପୁଣି ଆନ୍ଦୋଳନ ହେବ ବୋଲି କର୍ମଚାରୀ ସଂଘ ଭଞ୍ଜନଗର ଶାଖା ପକ୍ଷରୁ କୁହାଯାଇଛି । ଭଞ୍ଜନଗର ଶାଖା ପକ୍ଷରୁ କାର୍ଯ୍ୟାଳୟ ସମ୍ମୁଖରେ ସଭାପତି ପ୍ରେମାନନ୍ଦ ରାଉତଙ୍କ ଅଧ୍ୟକ୍ଷତାରେ ସୋମବାର ଏକ ସଭା ହୋଇଥିଲା। ଭଞ୍ଜନଗର ଶ୍ରମିକ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ହରିକୃଷ୍ଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ପାଦକ ଦିଲୀପ କୁମାର ଜେନା, ଜିଲା ସହ ସମ୍ପାଦକ ମୋହନ ଗୌଡ଼ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ଭଗବାନ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।
ସୂଚନାଯୋଗ୍ୟ, କେନ୍ଦ୍ର ସରକାର ବିଏସ୍‌ଏନଏଲର ଅସ୍ଥାୟୀ କର୍ମଚାରୀଙ୍କ ମଧ୍ୟରୁ ୩୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ ଯୋଜନା କରିଥିଲେ । ଏହାକୁ ବିରୋଧ କରାଯିବାରୁ ଗ୍ରାମାଞ୍ଚଳ ଅସ୍ଥାୟୀ କର୍ମଚାରୀଙ୍କୁ ୧୬ଦିନ ଏବଂ ସହରାଞ୍ଚଳ କର୍ମଚାରୀଙ୍କୁ ୨୧ ଦିନ ଜୁଲାଇ ମାସଠାରୁ କାମ ଦେବାପାଇଁ ନିର୍ଦ୍ଦେଶ ଦେଇଥିଲେ। କର୍ମଚାରୀଙ୍କୁ ବକେୟା ଦରମା ଦିଆ ନ ଯାଇ ଏପରି ନିର୍ଦ୍ଦେଶନାମାକୁ ନେଇ ଅସନ୍ତୋଷ ଦେଖାଦେଇଛି । ଏନେଇ ଶ୍ରମ ବିଭାଗରେ ଅଭିଯୋଗ କରାଯାଇଥିଲା। ଶ୍ରମ ବିଭାଗ ପକ୍ଷରୁ ବିଏସ୍‌ଏନଏଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ଚୂଡାନ୍ତ ନିଷ୍ପତି ହୋଇପାରିନାହିଁ । ଶ୍ରମିକ କର୍ମଚାରୀ ସଂଘର ନେତା ହରିକୃଷ୍ଣ ସାହୁ କହିଛନ୍ତି, କେନ୍ଦ୍ର ସରକାର ଘରୋଇ କମ୍ପାନୀର ସ୍ବାର୍ଥ ପାଇଁ ସରକାରୀ ଉଦ୍ୟୋଗ ଗୁଡ଼ିକୁ ଜାଣିଶୁଣି ଦେବାଳିଆ କରୁଛନ୍ତି। ସରକାରଙ୍କ ଏହି ଯୋଜନା ସଫଳ ହେବାକୁ ଦିଆଯିବ ନାହିଁ ।

Share