Categories: ବାଣିଜ୍ୟ

ବିଏସ୍‌ଏନ୍‌ଏଲ୍‌ ଉପରେ ଭେଣ୍ଡରଙ୍କ ୨୦ ହଜାର କୋଟି ବାକି

ନୂଆଦିଲ୍ଲୀ,୬-୧୧: ରାଷ୍ଟ୍ରାୟତ୍ତ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌)କୁ ବିଭିନ୍ନ ସାମଗ୍ରୀ ଓ ସେବା ଯୋଗାଣ କରୁଥିବା ଭେଣ୍ଡରମାନେ ଏବେ ଅଡୁଆ ସ୍ଥିତିରେ ପଡି ଯାଇଛନ୍ତି। ବିଏସ୍‌ଏନ୍‌ଏଲ୍‌ ଉପରେ ଭେଣ୍ଡରଙ୍କ ୨୦ ହଜାର କୋଟି ଟଙ୍କାର ବକେୟା ରହିଛି। ଏହାକୁ ପାଇବା ଲାଗି ଭେଣ୍ଡର ବହୁ କଷ୍ଟ କରୁଥିଲେ ମଧ୍ୟ ତାହା ମିଳିପାରି ନାହିଁ ଫଳରେ ଏହି କମ୍ପାନୀଗୁଡିକରେ କାର୍ଯ୍ୟକରୁଥିବା ଶ୍ରମ ଶକ୍ତି ଉପରେ ଏହାର ପ୍ରଭାବ ପଡିଛି। ଏହି ସମସ୍ୟା ଫଳରେ ଭେଣ୍ଡର ଫାର୍ମଗୁଡିକରେ କାମ କରୁଥିବା ପ୍ରାୟ ୧ ଲକ୍ଷ ନିୟୁକ୍ତି ଏବେ ସଙ୍କଟରେ ରହିଛି। ସଙ୍କଟ ସହ ଯୁଝୁଥିବା ଏହି ଶିଳ୍ପ ଉପରେ ଯଦି ବିଏସ୍‌ଏନ୍‌ଏଲ୍‌ କିମ୍ବା ସରକାର କୌଣସି ପଦକ୍ଷେପ ନ ଗ୍ରହଣ କରନ୍ତି ତେବେ ପ୍ରାୟ ୧ ଲକ୍ଷ ଲୋକଙ୍କ ଚାକିରି ଚାଲିଯିବାର ସମ୍ଭାବନା ରହିଛି ବୋଲି ଟେଲିକମ୍‌ ଏକ୍ସପୋର୍ଟ ପ୍ରମୋଶନ କାଉନ୍‌ସିଲର ସହ ଅଧ୍ୟକ୍ଷ ସନ୍ଦୀପ ଅଗ୍ରଓ୍ବାଲ କହିଛନ୍ତି।
ଅଗ୍ରଓ୍ବାଲ କହିଛନ୍ତି ଯେ, ଅର୍ଥନୀତି ଅବସ୍ଥା ଭଲ ନ ଥିବା ବେଳେ ୨୦ ହଜାର କୋଟି ବକେୟା ନ ମିଳିବାରୁ ଏହା ସମଗ୍ର ଇକୋସିଷ୍ଟମକୁ ଏବେ କ୍ଷତିଗ୍ରସ୍ତ କରିଛି। ଏହା ଦ୍ୱାରା ଟେଲିକମ୍‌ ଭାଲ୍ୟୁ ଚେନ୍‌ ପ୍ରଭାବିତ ସ୍ଥିତିରେ ରହିଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ହସ୍ତକ୍ଷେପ ଲୋଡିବା ସତ୍ତ୍ୱେ ମଧ୍ୟ କମ୍ପାନୀଗୁଡିକ ବର୍ତ୍ତମାନ ଯାଏ କୌଣସି ସମାଧାନ ରାସ୍ତା ପାଇ ନାହାନ୍ତି। ଫଳରେ ଅଣକୋର ଶ୍ରମ ଶକ୍ତିକୁ ପରିଚାଳନା କରିବା କଷ୍ଟକର ବ୍ୟାପାର ହୋଇପଡିଛି। ଏକ୍ଷେତ୍ରରେ ପ୍ରତି ଦୁଇ ଜଣକ ମଧ୍ୟରୁ ଜଣେ କର୍ମଚାରୀ ପ୍ରଭାବିତ ଥିବା ଉକ୍ତ ଶିଳ୍ପ ପକ୍ଷରୁ କୁହାଯାଇଛି। ଋଣ ପ୍ରଦାନକାରୀଙ୍କ ଚାପ ପଡୁଥିବା ବେଳେ ଭେଣ୍ଡର କମ୍ପାନୀଗୁଡିକ ଏବେ ଚାପରେ ରହିଛନ୍ତି। ଫଳରେ ସେମାନେ ବେତନ ଦେବା ସ୍ଥିତିରେ ନ ଥିବା ଜଣାପଡିଛି। ଘରୋଇ ଟେଲିକମ୍‌ ଶିଳ୍ପର ଗିୟର ମେକର ଏବଂ ସପ୍ଲାୟର ପ୍ରାୟ ୨ ଲକ୍ଷ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛନ୍ତି। ଭେଣ୍ଡରସଂସ୍ଥାଗୁଡିକ ବିଏସ୍‌୍‌ଏନ୍‌ଏଲଠାରୁ ସେମାନଙ୍କ ପ୍ରାପ୍ୟ ପାଇବାକୁ ଅନାଇ ବସିଥିବା ବେଳେ ଏହା ବିଳମ୍ବ ହେଉ ଥିବାରୁ କମ୍ପାନୀଗୁଡିକର ଚାପ ବଢିଚାଲିଛି।

Share