Categories: ବାଣିଜ୍ୟ

ବିଏସ୍‌ଏନ୍‌ଏଲ-ଏମ୍‌ଟିଏନ୍‌ଏଲ୍‌ର ପୁନରୁଜ୍ଜୀବନ ଯୋଜନାକୁ ପିଏମ୍‌ଓର ମଞ୍ଜୁରୀ

ନୂଆଦିଲ୍ଲୀ,୨୫-୮: କେନ୍ଦ୍ର ସରକାର କ୍ଷତିରେ ଚାଲୁଥିବା ଟେଲିକମ୍‌ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌) ଏବଂ ମହାନଗର ଟେଲିକମ୍‌ ନିଗମ ଲିମିଟେଡ(ଏମ୍‌ଟିଏନ୍‌ଏଲ୍‌)କୁ ମିଶାଇବେ ନାହିଁ। ଏହି ଦୁଇ ଟେଲିକମ କମ୍ପାନୀଙ୍କ ପୁନରୁଜ୍ଜୀବନ ଯୋଜନାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ) ଅନୁମୋଦନ କରିଛନ୍ତି। ଯୋଜନା ଅନୁଯାୟୀ ଉଭୟ କମ୍ପାନୀଙ୍କୁ ସାରା ଦେଶରେ ୪ଜି ସେବା ଆରମ୍ଭ କରିବା ଲାଗି ଲାଇସେନ୍ସ ପ୍ରଦାନ କରାଯିବ। ଏହାଦ୍ୱାରା ସେମାନଙ୍କର ଖରାପ ଆର୍ଥିକ ସ୍ଥିତି ସୁଧୁରିଯିବ। ସେହିପରି ଦୁଇ କମ୍ପାନୀ ଭିଆର୍‌ଏସ ଯୋଜନାକୁ ଲାଗୁ କରିବେ। ଏଥିଲାଗି ପ୍ଲାନ୍‌ ପ୍ରସ୍ତୁତ ହେବ। ସେହିପରି କର୍ମଚାରୀଙ୍କ ଅବସର ବୟସ ସୀମାକୁ ୫୮ ବର୍ଷକୁ ହ୍ରାସ କରାଯିବ। ଏହାଦ୍ୱାରା ବହୁ ସଂଖ୍ୟାରେ କର୍ମଚାରୀ ହ୍ରାସ ପାଇବେ। ଏହାଛଡ଼ା ମିଶ୍ରଣ, ଋଣ ଓ ସମ୍ପତ୍ତି ବିକ୍ରି ପ୍ରସ୍ତାବକୁ ପିଏମ୍‌ଓ ଟାଳି ଦେଇଛନ୍ତି। ତେବେ ସମ୍ପତ୍ତି ବିକ୍ରି କରିବା ଅଥବା ଭଡ଼ାରେ ଦେବା ନେଇ ନିଷ୍ପତ୍ତି ନେବା ଲାଗି ଏକ ଯୁଗ୍ମ କମିଟି ଗଠନ କରିବାକୁ ଅନୁମୋଦନ କରାଯାଇଛି। ଏହି କମିଟିରେ ଟେଲିକମ ବିଭାଗ, ବିଏସ୍‌ଏନ୍‌ଏଲ୍‌, ପୁଞ୍ଜି ପ୍ରତ୍ୟାହାର ବିଭାଗର ବରିଷ୍ଠ ଅଧିକାରୀମାନେ ସାମିଲ ରହିବେ। ଏବେ ଏହି ସମସ୍ତ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ଲାଗି ପଠାଯିବ।

Share