Categories: ବାଣିଜ୍ୟ

ବିଏସ୍‌ଏନ୍‌ଏଲ କର୍ମଚାରୀଙ୍କୁ ଠିକ୍‌ ସମୟରେ ମିଳିବ ଦରମା: ସିଏମ୍‌ଡି

ନୂଆଦିଲ୍ଲୀ,୨୯-୫: ରାଷ୍ଟ୍ରାୟତ୍ତ ଟେଲିକମ୍‌ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌) ନିଜର କର୍ମଚାରୀଙ୍କୁ ଠିକ୍‌ ସମୟରେ ମେ’ ମାସର ଦରମା ଦେବ ବୋଲି ଆଶ୍ୱସ୍ତ କରିଛି। କମ୍ପାନୀ ନିଜର କାର୍ଯ୍ୟକାରୀ ପୁଞ୍ଜି ଆବଶ୍ୟକତା ଲାଗି ଏସ୍‌ବିଆଇଠାରୁ ୧୫୦୦ କୋଟି ଟଙ୍କାର ଋଣ ନେବ। ଏଥିପାଇଁ ଟେଲିକମ୍‌ ବିଭାଗର ଗ୍ୟାରେଣ୍ଟିରେ ଋଣ ପାଇଁ ଏସ୍‌ବିଆଇ ସହ ବିଏସ୍‌ଏନ୍‌ଏଲ୍‌ର ଚୁକ୍ତି ହୋଇଛି। ସିଏମ୍‌ଡି ଅନୁପମ ଶ୍ରୀବାସ୍ତବ କହିଛନ୍ତି ଯେ, କମ୍ପାନୀ ବର୍ତ୍ତମାନ ସନ୍ତୋଷଜନକ ସ୍ଥିତିରେ ରହିଛି। କର୍ମଚାରୀଙ୍କୁ ଚଳିତ ମାସର ବେତନ ଦେଇହେବ। ମୋବାଇଲ, ବ୍ରଡ୍‌ବ୍ୟାଣ୍ଡ୍‌ ଏବଂ ଅନ୍ୟାନ୍ୟ ବ୍ୟବସାୟରୁ ଲବ୍‌ଧ ଆୟରୁ କର୍ମଚାରୀଙ୍କୁ ୯୦୦ କୋଟି ବେତନ ଦିଆଯିବ ବୋଲି ସେ କହିଛନ୍ତି। ସୂଚନାଥାଉ କି, ବିଏସ୍‌ଏନ୍‌ଏଲ୍‌ର ୧.୬୮ ଲକ୍ଷ କର୍ମଚାରୀଙ୍କୁ ଫେବୃୟାରୀ ଓ ମାର୍ଚ୍ଚରେ ବେତନ ଦେବାରେ ଅସୁବିଧା ହୋଇଥିଲା। ଏଥିପାଇଁ କମ୍ପାନୀ ବ୍ୟାଙ୍କ ନିକଟରେ ୩୫୦୦ କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି ଜମା କରିଥିଲା। କମ୍ପାନୀର ଆର୍ଥିକ କ୍ଷତି କ୍ରମାଗତ ବଢ଼ିବାରେ ଲାଗିଛି। ୨୦୧୭ରେ ଏହାର କ୍ଷତି ୪୭୮୬ କୋଟି ଟଙ୍କା ଥିଲା ବେଳେ ୨୦୧୮ରେ ଏହା ବଢ଼ି ୮ ହଜାର କୋଟି ଟଙ୍କାରେ ପହଞ୍ଚତ୍ୟାଇଥିଲା। ଚଳିତ ବର୍ଷ ଏହା ଆହୁରି ବଢ଼ିବ ବୋଲି ଅନୁମାନ କରାଯାଉଛି।

Share