‘ବିଏସ୍‌କେୱାଇ’କୁ ସ୍କଚ୍‌ ସ୍ବର୍ଣ୍ଣ ପୁରସ୍କାର

ଭୁବନେଶ୍ୱର, ୩୦ା୧୧ (ବ୍ୟୁରୋ): ଓଡ଼ିଶା ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ)କୁ ସ୍କଚ୍‌ ସ୍ବାସ୍ଥ୍ୟ ଭାରତ ସ୍ବର୍ଣ୍ଣ ପୁରସ୍କାର ମିଳିଛି। ଶୁକ୍ରବାର ନୂଆଦିଲ୍ଲୀଠାରେ ଆୟୋଜିତ ଏକ ଉତ୍ସବରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦା ଏବଂ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ, ରାଜ୍ୟବାସୀଙ୍କୁ ବିନାମୂଲ୍ୟରେ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ଓଡ଼ିଶା ସରକାର ଏହି ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏଥିରେ ୭୦ ଲକ୍ଷ ପରିବାରକୁ ଅନ୍ତର୍ଭୁକ୍ତ କରାଯାଇଛି। ପ୍ରତି ପରିବାରର ମହିଳାଙ୍କୁ ୧୦ ଲକ୍ଷ ଓ ପୁରୁଷଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଠାରୁ ଆରମ୍ଭ କରି ଜିଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ସମସ୍ତଙ୍କୁ ମାଗଣା ଚିକିତ୍ସା ସେବା ପ୍ରଦାନ କରାଯାଉଛି। ଏହି ଯୋଜନାରେ ମାଗଣାରେ ଔଷଧ, ରୋଗ ନିରୂପଣ, ଡାଏଲିସିସ୍‌, କେମୋଥେରାପି, ମାଗଣା ଓଟି, ଆଇସିୟୁ ଓ ରକ୍ତ ଆଦି ଯୋଗାଇ ଦିଆଯାଉଛି। ରୋଗୀଙ୍କୁ ଜଟିଳ ରୋଗର ଉନ୍ନତ ଚିକିତ୍ସା ପାଇଁ ରାଜ୍ୟ ସରକାର ପ୍ରାୟ ୨୦୦ ଘରୋଇ ଚିକିତ୍ସାଳୟ ସହିତ ରାଜିନାମା କରିଛନ୍ତି।

Share