ବିଏସ୍‌ସିଏଲ୍‌ ଦ୍ୱାରା ଦୁଇଦିନିଆ ‘ସିଟି ଲାବ ସେଣ୍ଟର’: ୯ କଲେଜର ୨୦ ମଡେଲ ପ୍ରଦର୍ଶିତ

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ଭୁବନେଶ୍ୱରର ସୌନ୍ଦର୍ଯ୍ୟ ବଜାୟ ରଖିବା ସହ ବିକାଶର ନୂଆ ଢାଞ୍ଚା ପାଇଁ ନକ୍ସା ଦେଖାଇଛନ୍ତି ଛାତ୍ରୀଛାତ୍ର। ଭୁବନେଶ୍ୱରର ୯ଟି କଲେଜ ଯଥା କଲେଜ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ସିଇଟି), ସେଣ୍ଟ୍ରାଲ ଟୁଲ୍‌ ରୁମ୍‌ ଟ୍ରେନିଂ ସେଣ୍ଟର (ସିଟିଟିସି), ସିଲିକନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଏସ୍‌ଆଇଟି), ସରକାରୀ ଆଇଟିଆଇ ଭୁବନେଶ୍ୱର, କିଟ୍‌ ବିଶ୍ୱବିଦ୍ୟାଳୟ, ଡିଏଭି ସ୍କୁଲ ଅଫ୍‌ ବିଜ୍‌ନେସ୍‌ ମ୍ୟାନେଜ୍‌ମେଣ୍ଟ, ଆସ୍ଥା ସ୍କୁଲ ଅଫ୍‌ ମ୍ୟାନେଜ୍‌ମେଣ୍ଟ, ଏସ୍‌ଓଏ, ଟ୍ରାଇଡେଣ୍ଟର ଛାତ୍ରୀଛାତ୍ରମାନେ ଏଥିରେ ଅଂଶଗ୍ରହଣ କରିବା ସହ ୨୦ଟି ମଡେଲ ଉପସ୍ଥାପନ କରିଛନ୍ତି। ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ (ବିଏସ୍‌ସିଏଲ୍‌), ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଓ ୟୁନାଇଟେଡ୍‌ ନେସନ୍‌ ପପୁଲେଶନ୍‌ ଫଣ୍ଡ (ୟୁଏନ୍‌ଏଫ୍‌ପିଏ) ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଥିବାବେଳେ ଶନିବାର ଏହାର ପ୍ରଦର୍ଶନୀ କରାଯାଇଛି। ଶନିବାର ବିଏସ୍‌ସିଏଲ ମୁଖ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଠିନ ବର୍ଜ୍ୟ ପରିଚାଳନାର ପରାମର୍ଶଦାତା ନରସିଂହ ପାଣିଗ୍ରାହୀ, ଓପିଟିସିଏଲ ଏଜିଏମ୍‌ ପ୍ରଶାନ୍ତ ପଟ୍ଟନାୟକ, ଡିଜିଏମ୍‌ ନୀଳାଦ୍ରି ଖଡାଙ୍ଗ, ବିଏମ୍‌ସି ଡେପୁଟି କମିଶନର ଶୁଭେନ୍ଦୁ ସାହୁ, ବିଏସ୍‌ସିଏଲ ସାଧାରଣ ପରିଚାଳକ ଦୀପ୍ତିରାଣୀ ସାହୁ, ଅଶ୍ୱିନୀ କୁମାର ବିଶ୍ୱାଳ, ଶେଷ ଦେବ ପଣ୍ଡା ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ। ଉଲ୍ଲେଖଯୋଗ୍ୟ, ସହରରେ ପ୍ଲାଷ୍ଟିକ୍‌ ଓ କଠିନ୍‌ ବର୍ଜ୍ୟ ପରିଚାଳନା, ସୋଲାର ଏନର୍ଜି ହାର୍ଭେଷ୍ଟିଂ, ଏକ୍ସପାଏରୀ ମେଡିସିନ୍‌ ଦ୍ୱାରା ସହରରେ ଚାଷ ପ୍ରଣାଳୀ, ଦୁର୍ଘଟଣା ସ୍ଥଳରେ ଡ୍ରୋନ୍‌ ଦ୍ୱାରା ଫାଷ୍ଟ ଏଡ୍‌ ଚିକିତ୍ସା, ସ୍ମାର୍ଟ ପାର୍କିଂ ବ୍ୟବସ୍ଥା ପରି ବହୁ ମଡେଲ ଉପସ୍ଥାନ କରାଯାଇଥିଲା। ଛାତ୍ରୀଛାତ୍ରଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିବା ମଡେଲଗୁଡ଼ିକ ଉପରେ ସ୍ମାର୍ଟସିଟି ପକ୍ଷରୁ ବିଚାର କରାଯିବ। ଆବଶ୍ୟକ ପଡ଼ିଲେ ସେଗୁଡ଼ିକୁ ସହରର ବିକାଶ ପାଇଁ ଆପଣାଯାଇପାରେ ବୋଲି ଜଣାପଡ଼ିଛି।

Share