Categories: ବାଣିଜ୍ୟ

ବିଓବିରେ ମିଶ୍ରଣର ପ୍ରଭାବ;୯୦୦ ଶାଖା ବନ୍ଦ ହେବା ସମ୍ଭାବନା

ନୂଆଦିଲ୍ଲୀ,୨୦-୫: ବ୍ୟାଙ୍କ ଅଫ୍‌ ବରୋଦା(ବିଓବି) ସହ ଅନ୍ୟ ଦୁଇଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣ ପରେ ଏବେ ୮୦୦ରୁ ୯୦୦ ଶାଖା ବନ୍ଦ ହୋଇଯିବ ଅଥବା ସ୍ଥାନାନ୍ତରିତ ହେବାକୁ ଯାଉଛି। ଜଣେ ବରିଷ୍ଠ ବ୍ୟାଙ୍କ ଅଧିକାରୀ କହିଛନ୍ତି ଯେ, ବିଓବି ସହ ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କର ମିଶ୍ରଣ ପରେ ଗୋଟିଏ ସ୍ଥାନରେ ୩ଟି ବ୍ୟାଙ୍କ ଶାଖା ରହିବା ଯୁକ୍ତିସଙ୍ଗତ ନୁହେଁ। ବହୁ ସ୍ଥାନ ରହିଛି ଯେଉଁଠି ୩ଟି ଯାକ ବ୍ୟାଙ୍କର ଶାଖା କାର୍ଯ୍ୟ କରୁଛି। ଏଥିଯୋଗୁ ଦକ୍ଷତା ତଥା କୁଶଳତା ଉପରେ ଏହାର ଗଭୀର ପ୍ରଭାବ ପଡିବ। ବ୍ୟାପକ ସମୀକ୍ଷା ପରେ ଉକ୍ତ ପରିମାଣ ବ୍ୟାଙ୍କ ବ୍ରାଞ୍ଚକୁ ଚିହ୍ନଟ କରାଯାଇଛି। ସେଗୁଡ଼ିକୁ ଅନ୍ୟ ଶାଖା ସହ ମିଶାଇ ଦିଆଯିବ ଅଥବା ବନ୍ଦ କରିଦିଆଯିବ। ଏହାଛଡ଼ା କେତେକ ସ୍ଥାନରେ ଜୋନାଲ କାର୍ଯ୍ୟାଳୟକୁ ମଧ୍ୟ ବନ୍ଦ କରିଦେବାର ଆବଶ୍ୟକତା ଦେଖା ଦେଇଛି। ଉକ୍ତ ମିଶ୍ରଣ ପରେ ଏସ୍‌ବିଆଇ ପରେ ବିଓବି ଦେଶର ଦ୍ୱିତୀୟ ସର୍ବବୃହତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ହୋଇଛି। ଏହାର ବ୍ୟାଙ୍କ ଶାଖା ସଂଖ୍ୟା ୯୫୦୦ରୁ ଅଧିକ ରହିଥିବା ବେଳେ ୧୩,୪୦୦ରୁ ଅଧିକ ଏଟିଏମ୍‌ ରହିଛି। ଅନ୍ୟପକ୍ଷରେ କର୍ମଚାରୀଙ୍କ ସଂଖ୍ୟା ୮୫ହଜାର ହୋଇଥିବା ବେଳେ ୧୨ କୋଟି ଗ୍ରାହକଙ୍କୁ ସେବା ଯୋଗାଉଛି।

Share