Categories: ଖେଳ

ବିକାଶଙ୍କ ଦ୍ୱିତୀୟ ପ୍ରଫେଶନାଲ ବାଉଟ୍‌

ନ୍ୟୁୟର୍କ, ୨୦ା୪ (ପି.ଟି.)-ଭାରତୀୟ ବକ୍ସର ବିକାଶ କ୍ରିଷନ ତାଙ୍କ ଦ୍ୱିତୀୟ ପ୍ରଫେଶନାଲ ବାଉଟ୍‌ରେ ଆମେରିକାର ନୋଆ କିଡ୍‌ଙ୍କୁ ଭେଟିବେ। ଏହି ମୁକାବିଲା ଶନିବାର ସ୍ଥାନୀୟ ଆଇକନିକ ମାଡିସନ ସ୍କୋୟାର ଗାର୍ଡେନରେ ହେବ। ଭିଓ୍ବାନୀର ଏହି ୨୭ ବର୍ଷୀୟ ବକ୍ସର କିମ୍ବଦନ୍ତୀ ପ୍ରମୋଟର ବବ୍‌ ଅରୁମ୍‌ଙ୍କ ଟପ୍‌ ର଼୍ୟାଙ୍କ ପ୍ରମୋଶନ୍ସ ସହିତ ସମ୍ପୃକ୍ତ ଅଛନ୍ତି। ଜାନୁୟାରୀରେ ସେ ତାଙ୍କର ପଦାର୍ପଣ ପ୍ରଫେଶନାଲ ବାଉଟ୍‌ରେ ଯୁକ୍ତରାଷ୍ଟ୍ର ଆମେରିକାର ଷ୍ଟିଭେନ ଆଣ୍ଡ୍ରାଡେଙ୍କୁ ଦ୍ୱିତୀୟ ରାଉଣ୍ଡରେ ନକ୍‌ଆଉଟ୍‌ କରିଦେଇଥିଲେ। ମାଡିସନ ସ୍କୋୟାର ହେଉଛି ବିଶ୍ୱର ଅନ୍ୟତମ ବୃହତ୍‌ ତଥା ପ୍ରସିଦ୍ଧ ଆରେନା। ଏଠାରେ ଫାଇଟ୍‌ ପାଇଁ ମୋର ଖୁବ୍‌ ଉତ୍କଣ୍ଠା ରହିଛି। ପଦର୍ପଣ ବର୍ଷରେ ୫ଟି ବାଉଟ୍‌ ପାଇଁ ବିକାଶ ଚୁକ୍ତିବଦ୍ଧ ହୋଇଛନ୍ତି। ବିକାଶ ବର୍ତ୍ତମାନ ନ୍ୟୁଜର୍ସି ଅନ୍ତର୍ଗତ ନଓ୍ବୋର୍କ ସହରରେ ଭେଟେରାନ ବକ୍ସିଂ କୋଚ୍‌ ଓ୍ବାଲି ମୋସେସଙ୍କ ଅଧୀନରେ ଟ୍ରେନିଂ ନେଉଛନ୍ତି। ତାଙ୍କ ପ୍ରତିଦ୍ୱନ୍ଦୀ ୨୩ ବର୍ଷୀୟ କିଡ୍‌ ହେଉଛନ୍ତି ମିସୋରି ବାସିନ୍ଦା। ସେ ୨୦୧୬ରେ ପ୍ରଫେଶନାଲ ବକ୍ସିଂରେ ପଦାର୍ପଣ କରିଥିଲେ। ତାଙ୍କର ଦୁଇଟି ନକ୍‌ଆଉଟ୍‌ ସହ ୩-୧-୧ ରେକର୍ଡ ରହିଛି। ବିକାଶଙ୍କୁ ଜେଏସ୍‌ଡବ୍ଲ୍ୟୁ ସ୍ପୋଟର୍‌ସ ୨୦୧୪ରୁ ସହାୟତା କରି ଆସୁଛି। ସେ ଏସିଆନ ଗେମ୍ସ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଲାଭ କରିଥିଲେ। ସେ ଆହୁରି ମଧ୍ୟ ପୂର୍ବତନ ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ ପଦକ ବିଜେତା।

Share