ବିକାଶଠୁ ଦୂରରେ ସୁଲେଇଖମାର ଗାଁ

କେନ୍ଦୁଝର, ୧୮ା୯(ଡି.ଏନ.ଏ.)-କେନ୍ଦୁଝରଗଡ ପୌରପାଳିକା ଅନ୍ତର୍ଗତ ୧ନଂ ୱାର୍ଡ ଭିତରେ ଥିବା ଗାଁ ସୁଲେଇଖମାର। ପୁରୁଣାସହରଠାରୁ ୨କି.ମି. ଦୂରରେ ଅବସ୍ଥିତ ଏହି ଗାଁ ବିଭିନ୍ନ ସମସ୍ୟା ଭିତରେ ରହିଛି। ଏହି ଗାଁରେ ମୌଳିକ ସୁବିଧା ଯେପରି ଅପହଞ୍ଚ ହୋଇପଡ଼ିଛି। ଗ୍ରାମରେ ଅଧିକାଂଶ ଭୂୟାଁ ଓ ମୁଣ୍ଡା ସମ୍ପ୍ରଦାୟର ଲୋକ ବସବାସ କରନ୍ତି। ଅଧିକାଂଶ ଅଧିବାସୀ ଶ୍ରମିକ ଶ୍ରେଣୀର ହୋଇଥିବାରୁ ଆର୍ଥିକ ଅବସ୍ଥା ସେପରି ସ୍ବଚ୍ଛଳ ନୁହେଁ। ଗ୍ରାମକୁ ଗଲେ ଜଣାପଡିବ ପ୍ରଶାସନର ଯେପରି ପାଦ କେବେ ପଡୁନାହିଁ। କେବଳ ନିର୍ବାଚନ ସମୟରେ ନେତାମାନେ ଭୋଟରଙ୍କୁ ଆକୃଷ୍ଟ କରିବା ନିମନ୍ତେ ଅନେକ ପ୍ରତଶ୍ରୁତି ଦେଉଥିବାବେଳେ ନିର୍ବାଚନ ପରେ ତାହା ଭୂଲି ଯାଉଥିବା ଗ୍ରାମର ଗୋକୁଳ ନାଏକ, ସୁଦର୍ଶନ ମୁଣ୍ଡା ଓ ରଞ୍ଜୁ ମୁଣ୍ଡା ଆମ ପ୍ରତିନିଧିଙ୍କ ଆଗରେ ପ୍ରକାଶ କରିଛନ୍ତି।

ସୁଲେଖଇଖମାର ଗ୍ରାମରେ ଷାଠିଏ ପାଖାପାଖି ପରିବାରର ୪୦୦ରୁ ଊର୍ଦ୍ଧ୍ୱ ଲୋକ ବାସ କରନ୍ତି। କେନ୍ଦୁଝରଗଡ ପୌରପାଳିକା ଅନ୍ତର୍ଗତ ସହର ଭିତରେ ରହିଥିବାର ଜଣାପଡୁନାହିଁ। ଅନୁଧ୍ୟାନ କଲେ ଜଣାପଡ଼ିବ ଯେ, ଏଠାକୁ ବିକାଶ ଛୁଇଁ ପାରିନାହିଁ। ପୌରପାଳିକା ପକ୍ଷରୁ କେବଳ ଗ୍ରାମବାସୀଙ୍କ ପାଇଁ ତିନୋଟି ଶୌଚାଳୟ ତିଆରି ହୋଇଥିଲେ ବି ପାଣି କିମ୍ବା ବିଦ୍ୟୁତ ସେବା ଯୋଗାଇ ଦିଆଯାଇ ନ ଥିବାରୁ ଅବହେଳିତ ହୋଇ ହୋଇପଡିଛି। ଗ୍ରାମରେ ଷ୍ଟ୍ରିଟଲାଇଟ୍‌ ଥିଲେ ବି ତାହା ଜଳୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପୌରପାଳିକା ପକ୍ଷରୁ ଆଦୌ ସଫେଇ ହେଉ ନ ଥିବା ଜଣାପଡିଛି। ଅଙ୍ଗନୱାଡି କେନ୍ଦ୍ର କାର୍ଯ୍ୟ ଅଧାରେ ଥିବାରୁ ଶିଶୁମାନଙ୍କୁ ଘର ବାରଣ୍ଡାରେ ପଢାଯାଉଛି। ଏଠାରେ ଥିବା ୪ଟି ନଳକୂପ ମଧ୍ୟରୁ ୨ଟି ଅଚଳ ହୋଇପଡିଛି। କେନ୍ଦୁଝରଗଡ ମ୍ୟୁନିସିପାଲିଟି ପକ୍ଷରୁ ଏକ ପୋଖରୀ ଖୋଳା ଯାଇଥିଲେ ବି ଖରାଦିନେ ଏହି ଗ୍ରାମର ଲୋକେ ୨କି.ମି. ଦୂରକୁ ଗାଧୋଇବା ପାଇଁ ଯାଉଥିବା କହିଛନ୍ତି। ଏସମ୍ପର୍କରେ କେନ୍ଦୁଝରଗଡ ପୌରପାଳିକା ନିର୍ବାହୀ ଅଧିକାରୀ ନିରଞ୍ଜନ ଜେନାଙ୍କୁ ପଚାରିବାରୁ ସେ କହିଥିଲେ ଯେ, କେନ୍ଦୁଝରଗଡ ପୌରପାଳିକା ସୁଲେଇଖମାର ଗ୍ରାମବାସୀଙ୍କ ସୁବିଧା ଓ ଅସୁବିଧା ଉପରେ ସଚେତନ ଅଛି। ଅଙ୍ଗନୱାଡି କେନ୍ଦ୍ରଟି ଅଳ୍ପଦିନରେ ସମ୍ପୂର୍ଣ୍ଣ ହେବ। ଶୌଚାଳୟଗୁଡିକ ଖୁବ୍‌ କମ୍‌ ଦିନରେ କାର୍ଯ୍ୟକ୍ଷମ ହେବ। ଅନ୍ୟ ଅସୁବିଧାଗୁଡ଼ିକୁ ମଧ୍ୟ ଦୂର ପାଇଁ ଚେଷ୍ଟା କରାଯାଉଛି।

Share