ବିକାଶଠୁ ବହୁ ଦୂରରେ ଉରୁମୁଣ୍ଡା ଗାଁ

ରାଇସୁଆଁ, ୧୮।୨(ଡି.ଏନ.ଏ.)-ସରକାର ଗାଁର ବିକାଶ ନ ହେଲେ ଦେଶର ବିକାଶ ଅସମ୍ଭବ ବୋଲି ଗାଁ ର ବିକାଶ ପାଇଁ ଗମନାଗମନ ବ୍ୟବସ୍ଥା ସହ ଗ୍ରାମାଞ୍ଚଳ ଲୋକଙ୍କ ଆର୍ଥିକ ଉନ୍ନତି ପାଇଁ ବହୁ ଯୋଜନା ମାନ କରିଛନ୍ତି। ଏଥି ସହ ଖଣି କ୍ଷତିଗ୍ରସ୍ତ ଲୋକଙ୍କର ଉନ୍ନତି ପାଇଁ ଡିଏମଏଫ ଫଣ୍ଡ ମାଧ୍ୟମରେ ଆର୍ଥିକ ସହାୟତା ସହ ଗ୍ରାମକୁ ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ବହୁ ଯୋଜନା କରିଛନ୍ତି। ମାତ୍ର ଜିଲାପ୍ରଶାସନର ଆନ୍ତରିକତାର ଅଭାବ ସହ ନିକଟସ୍ଥ ଖଣି କର୍ତ୍ତୃପକ୍ଷଙ୍କୁ ଅହେତୁକ ଅନୁକମ୍ପା ଦେଖାଇବା ଯୋଗୁ ଖଣିକ୍ଷତିଗ୍ରସ୍ତ ଲୋକଙ୍କ ବିକାଶ ହୋଇ ପାରୁ ନ ଥିବା ବହୁ ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି। ଦେଶ ସ୍ବାଧିନ ହେବାର ୭୩ ବର୍ଷ ବିତିଯାଇଥିଲେ ମଧ୍ୟ ବହୁ ଗ୍ରାମକୁ ଆଜିଯାଏ ବିକାଶର ଛାଇ ମଧ୍ୟ ପଡିନାହିଁ।
ଏହି ପରି ଏକ ଘଟଣା ଦେଖିବାକୁ ମିଳିଛି। କେନ୍ଦୁଝର ଜିଲା ବାଂଶପାଳ ବ୍ଲକର କୁମୁଣ୍ଡି ପଞ୍ଚାୟତର ଉରୁମୁଣ୍ଡା ଗାଁରେ। ଏହି ଗ୍ରାମରେ ୯୦ ପ୍ରତିଶତ ଆଦିବାସୀ ସମ୍ପ୍ରଦାୟର ଲୋକ ବସବାସ କରୁଛନ୍ତି। ଏହି ଅଞ୍ଚଳ ଶୁଆକାଠି ଓଏମସି ଖଣି ପ୍ରଭାବିତ ଅଞ୍ଚଳ ହୋଇଥିବା ବେଳେ ଏହି ଗ୍ରାମକୁ ଆଜି ଯାଏ ନିତିଦିନିଆ ରାସ୍ତାଟିଏ ନାହିଁ। ଫଳରେ ସ୍ଥାନୀୟ ଜନସାଧାରଣ ଯାତାୟାତରେ ବହୁ ହଇରାଣ ହେବା ସହ ରୋଗୀ ଏବଂ ପ୍ରସୂତି ମହିଳାଙ୍କୁ ଖଟିଆରେ ବୋହି ନିଆଯାଉଛି। ଶିଶୁ ଙ୍କ ବିକାଶ ଏବଂ ଶିକ୍ଷାର ଉନ୍ନତି ପାଇଁ ୨୦୧୩ ମସିହାରେ ଏକ ଅଙ୍ଗନୱାଡି କେନ୍ଦ୍ର ଅନୁଷ୍ଠିତ ହୋଇଥିଲେ ମଧ୍ୟ ଘର ନଥିବାରୁ ଅଙ୍ଗନୱାର୍ଡି କର୍ମୀଙ୍କ ବାରଣ୍ଡାରେ ଚାଲିଛି ଏହି କେନ୍ଦ୍ର। ଏବେ ବି ବହୁ ଶିଶୁ ଅପପୃଷ୍ଟିର ଶିକାର ହେଉଛନ୍ତି ବୋଲି ବହୁ ସ୍ଥାନୀୟ ସାମାଜିକକର୍ମୀ ଅଭିଯୋଗ କରିଛନ୍ତି। ଏଥି ପ୍ରତି ଜିଲାପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାସହ ଗ୍ରାମକୁ ନିତିଦିନିଆ ପକା ରାସ୍ତା ନିର୍ମାଣ ସହ ଗାଁର ବିକାଶ ପାଇଁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।