ବିକାଶ ଓ ସୁରକ୍ଷାର ରାସ୍ତା ସୁଦୃଢ଼ କରିବ ଭାଜପା’

ସାଲେପୁର,୨୧।୪ (ଡି.ଏନ୍‌.ଏ.): କଟକ ଜିଲା ସାଲେପୁରସ୍ଥିତ ଭାତପଡ଼ା ଖେଳପଡ଼ିଆରେ ଶନିବାର ଆୟୋଜିତ ଭାଜପାର ବିଜୟ ସଂକଳ୍ପ ସମାବେଶରେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍‌ତାର ଅବାସ ନକ୍‌ଭୀ ଯୋଗଦେଇଥିଲେ। ଏହି ଅବସରରେ ସେ ଉଭୟ ଲୋକ ସଭା ଓ ବିଧାନସଭା ଆସନ ପାଇଁ ଭାଜପା ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ନିବେଦନ କରିଥିଲେ। ସେ କହିଥିଲେ ଯେ, ରାଜ୍ୟରେ ଭାଜପା ସରକାର ଆସିଲେ ବିକାଶ ଓ ସୁରକ୍ଷାର ରାସ୍ତା ସୁଦୃଢ ହେବ। କେନ୍ଦ୍ରରେ ମୋଦି ସରକାର ଆସିବା ପରେ ଦଲାଲ୍‌ ଓ ବେଇମାନ୍‌ମାନଙ୍କୁ ହାଜତକୁ ପଠାଇ ଦିଆଯାଇଛି। ଗତ ୫ ବର୍ଷ ମଧ୍ୟରେ ଦେଶରେ ଭ୍ରଷ୍ଟାଚାର ଓ ଦୁର୍ନୀତିମୁକ୍ତ ସରକାର ଗଠନ କରିବାରେ ଭାଜପା ସଫଳ ହୋଇଛି। ପୂର୍ବରୁ ସବୁ ମାସରେ ଦଙ୍ଗା ଲାଗିରହୁଥିଲା। ନିରୀହ ଲୋକମାନେ ଏହାର ଶିକାର ହେଉଥିଲେ। ମାତ୍ର ମୋଦି ସରକାର ଆସିବା ପରେ ଦେଶରେ ଏବେ କୌଣସି ସ୍ଥାନରେ ଦଙ୍ଗା ହେଉନାହିଁ ବୋଲି ସେ କହିଥିଲେ। ମୁସଲମାନଙ୍କ ହଜ୍‌ ଯାତ୍ରା ପାଇଁ ଆଗ୍ରହକୁ ଦୃଷ୍ଟିରେ ରଖି ପ୍ରଥମ ଥର ପାଇଁ ସମସ୍ତଙ୍କୁ ଅନୁମତି ପ୍ରଦାନ କରାଯାଇଛି। ପୂର୍ବରୁ ଏଥିପାଇଁ ଅନେକ ଆବେଦନ ପତ୍ର ଆସୁଥିବା ବେଳେ ମାତ୍ର ଅଳ୍ପ କେତେଜଣଙ୍କୁ ଅନୁମତି ଦିଆଯାଉଥିଲା। ମାତ୍ର ମୋଦି ସରକାର ଆସିବା ପରେ ଏଥିରେ ପରିବର୍ତ୍ତନ ଘଟିଛି ବୋଲି ସେ କହିଥିଲେ।
ଏହି ସମାବେଶରେ କଟକ ଜିଲା ଭାଜପା ସଭାପତି ଚୌଧୁରୀ ହେମନ୍ତ କୁମାର ସାହୁ ପୌରୋହିତ୍ୟ କରିଥିଲେ। ଏଥିରେ କେନ୍ଦ୍ରାପଡ଼ା ଲୋକ ସଭା ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଯୋଗଦେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ରାଜ୍ୟରେ ବିଜେଡି ସରକାରଙ୍କୁ ପରିବର୍ତ୍ତନ କରି ପଦ୍ମ ଫୁଟାଇବା ପାଇଁ ଉପସ୍ଥିତ ଲୋକମାନଙ୍କୁ ନିବେଦନ କରିଥିଲେ।
ସାଲେପୁର ନିର୍ବାଚନ ମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ବେହେରା କାର୍ଯ୍ୟକ୍ରମରେ ସାମିଲ ହୋଇ ଧର୍ମ ନଁାରେ ହୀନ ରାଜନୀତି ନ କରିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଥିଲେ। ଏହି ଅଞ୍ଚଳ ଭାଇଚାରାର ଅଞ୍ଚଳ ବୋଲି ସେ ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ରାଜ୍ୟ ଭାଜପା ଯୁବମୋର୍ଚ୍ଚା ଉପ ସଭାପତି ସତ୍ୟବାଦୀ ଚଇନି, ଯୁବନେତା ପ୍ରଫୁଲ୍ଲ ସ୍ବାଇଁ, ରାଜ୍ୟ ଯୁବମୋର୍ଚ୍ଚା ଉପ ସଭାପତି ସିକନ୍ଦର ଅଲ୍ଲୀ ପ୍ରମୁଖ ଯୋଗଦେଇ ଥିଲେ। ଭାଜପା ନେତା କୁଞ୍ଜମୋହନ ସେଠୀ ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ। ଏଥିରେ ମୁତାରିଫା ସରପଞ୍ଚ ପ୍ରିୟରଞ୍ଜନ ମହାପାତ୍ର, ଯୁବନେତା ବେଣୁଧର ପ୍ରଧାନ, ଅସିତ୍‌ ମହାନ୍ତି, ଉଲ୍ଲାସ ଚନ୍ଦ୍ର ଜେନା ଓ ଅଜିତ୍‌ ପଣ୍ଡାଙ୍କ ସମେତ ବହୁ ଯୁବ, ଛାତ୍ର ଏବଂ ମହିଳା କର୍ମୀ ସାମିଲ୍‌ ହୋଇଥିଲେ।