ବିକାଶ, ସୁଶାସନକୁ ମିଳିଲା ଜନାଦେଶ

ଲକ୍ଷ୍ନୌ,୧୦।୩: ଉତ୍ତରପ୍ରଦେଶ ପଞ୍ଜାବ ସମେତ ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ଗୁରୁବାର ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶରେ ବିପୁଳ ଭୋଟରେ ଭାଜପା ବାଜି ମାରିଥିବା ବେଳେ ଦ୍ୱିତୀୟ ଥର ପୁଣି ଯୋଗୀ ଆଦିତ୍ୟନାଥ ବହୁମତରେ ସରକାର ଗଢ଼ିବାକୁ ଯାଉଛନ୍ତି। ଇତିମଧ୍ୟରେ ୟୁପି ଜନତା ଓ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ସନ୍ଧ୍ୟାରେ ଭାଜପା କାର୍ଯ୍ୟାଳୟରେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଏହି ଅବସରରେ ନିର୍ବାଚନରେ ବିଜୟ ହାସଲ ପାଇଁ ଯୋଗୀ ଜନତା ଓ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଜନତାଙ୍କୁ ସମ୍ବୋଧିତ କରି ଯୋଗୀ କହିଛନ୍ତି, ରାଷ୍ଟ୍ରବାଦ, ସୁରକ୍ଷା, ବିକାଶ ଓ ସୁଶାସନକୁ ଜନତାଙ୍କ ଆଶୀର୍ବାଦ ମିଳିଛି। ଏହି ବିଜୟ ଜଣେ ଜଣେ କର୍ମକର୍ତ୍ତାଙ୍କ ବିଜୟ। ବର୍ତ୍ତମାନ ୪ଟି ରାଜ୍ୟରେ ଭାଜପା ସରକାର ଗଢ଼ିବାକୁ ଯାଉଛି ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି। ଦେଶର ସବୁଠାରୁ ବଡ଼ ରାଜ୍ୟ ହେଉଛି ଉତ୍ତରପ୍ରଦେଶ। ତେଣୁ ନିର୍ବାଚନ ସମୟରେ ସମସ୍ତଙ୍କ ନଜର ୟୁପି ଉପରେ ରହିଥିଲା। ତେବେ ପ୍ରଧାନମନ୍ତ୍ରୀଙ୍କ ନେତୃ୍‌ୃତ୍ୱରେ ଭାଜପା ବହୁମତରେ ପୁଣି ଥରେ ଶାସନକୁ ଫେରିଛି ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି। ଏତଦ୍‌ ବ୍ୟତୀତ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ଶେଷ ହୋଇଥିବାରୁ ସେ ନିର୍ବାଚନ କମିଶନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Share