ବିକେଏମ୍‌ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା

ଭୁବନେଶ୍ୱର,୨୯।୧ (ବ୍ୟୁରୋ):ସିଏଏ, ଡିଏନ୍‌ଏ ଭିତ୍ତିକ ଏନ୍‌ଆର୍‌ସି, ଇଭିଏମ୍‌ ଓ ଏନ୍‌ଆର୍‌ପିକୁ ବିରୋଧ କରିଛି ବହୁଜନ କ୍ରାନ୍ତି ମୋର୍ଚ୍ଚା (ବିକେଏମ୍‌)। କେନ୍ଦ୍ର ସରକାରଙ୍କ ଏହିସବୁକୁ ହଟାଇବାକୁ ଦାବି କରି ମୋର୍ଚ୍ଚା ପକ୍ଷରୁ ବୁଧବାର ସକାଳ ୬ରୁ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବାବେଳେ କମିଶନରେଟ ପୋଲିସ ମଧ୍ୟ ଆବଶ୍ୟକ ବ୍ୟବସ୍ଥା କରିଛି। ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯିବା ସହ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସହରର ପ୍ରମୁଖ ତଥା ସମ୍ବେଦନଶୀଳ ସ୍ଥାନ ସହ ଛକ ଓ କେତେକ କଲୋନୀ ଅଞ୍ଚଳରେ ମଧ୍ୟ ପୋଲିସ ବ୍ୟବସ୍ଥା ହୋଇଛି। ଏଥିସହ ପାଟ୍ରୋଲିଂ ଜୋରଦାର କରାଯିବ। ସରକାରୀ ଅଫିସ ଆଗରେ ମଧ୍ୟ ପୋଲିସ ନିଯୋଜିତ ରହିବେ ବୋଲି ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁ କହିଛନ୍ତି। ଅଗ୍ନିଶମ ବାହିନୀ ନିଆଁଲିଭା ଗାଡ଼ି ସହ ସଜାଗ ରହିବେ। ଯଦି ସଂଗଠନ ପକ୍ଷରୁ ଆଇନ୍‌କୁ ହାତକୁ ନିଆଯାଏ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି କହିଛନ୍ତି। ସୂଚନାଯୋଗ୍ୟ, ପଶ୍ଚିମ ଓଡ଼ିଶାରେ ବହୁଜନ କ୍ରାନ୍ତି ମୋର୍ଚ୍ଚାର ସଂଗଠନ ରହିଛି। ତେଣୁ ସେସବୁ ଅଞ୍ଚଳରେ ଏହାର ପ୍ରଭାବ ପଡିବା ଆଶଙ୍କା କରାଯାଉଛି। ଅନ୍ୟପକ୍ଷରେ କୌଣସି ଘରୋଇ ବସ୍‌ ଚଳାଚଳ ବନ୍ଦ ରହିବ ନାହିଁ ବୋଲି ରାଜ୍ୟ ସଂଘ ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି।

Share