ବିକ୍ରମକୁ ପାଇଲାନି ନାସା, ଚେଷ୍ଟା ଜାରି ରଖିବ

ନ୍ୟୁୟର୍କ/ନୂଆଦିଲ୍ଲୀ,୨୭।୯: ମିଶନ ଚନ୍ଦ୍ରଯାନ-୨ରେ ଇସ୍ରୋ ପକ୍ଷରୁ ଚନ୍ଦ୍ରକୁ ପଠାଯାଇଥିବା ଲ୍ୟାଣ୍ଡର ବିକ୍ରମକୁ ଖୋଜି ପାଇଲାନି ଆମେରିକୀୟ ମହାକାଶ ସଂସ୍ଥା ନାସା। ବିକ୍ରମକୁ ଖୋଜିବା ପାଇଁ ଅକ୍ଟୋବରରେ ମଧ୍ୟ ଚେଷ୍ଟା ଜାରି ରହିବ ବୋଲି ନାସା କହିଛି। ଚନ୍ଦ୍ରର ଦକ୍ଷିଣ ମେରୁର ୬୦୦ କିମି ଦୂରରେ ଲ୍ୟାଣ୍ଡର ବିକ୍ରମ ସଫ୍ଚ ଲ୍ୟାଣ୍ଡିଂ କରିବାକୁ ଯାଇ ହାର୍ଡ ଲ୍ୟାଣ୍ଡିଂ କରିବା ପରେ ଇସ୍ରୋ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ସେପ୍ଟେମ୍ବର ୧୭ରେ ନାସା ପକ୍ଷରୁ ଉକ୍ତ ସ୍ଥାନରେ ଫଟୋ ନେବାକୁ ଚେଷ୍ଟା କରାଯାଇଥିଲା। କିନ୍ତୁ ସନ୍ଧ୍ୟା ସମୟ ଥିବାରୁ ଫଟୋ ସଠିକ୍‌ ଭାବେ ନିଆଯାଇ ପାରି ନ ଥିଲା। ଏହି କାରଣରୁ ବିକ୍ରମର ସନ୍ଧାନ କରାଯାଇପାରି ନ ଥିଲା। ପୁଣି ଥରେ ଅକ୍ଟୋବରରେ ବିକ୍ରମକୁ ଖୋଜାଯିବ ବୋଲି ନାସା ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ସେପ୍ଟେମ୍ବର ୭-୮ ତାରିଖରେ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରଠୁ ୨.୧ କିଲୋମିଟର ଦୂରରେ ଥିବାବେଳେ ଇସ୍ରୋ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଏହାପରେ ମିଶନ ଚନ୍ଦ୍ରଯାନ ୯୫ ପ୍ରତିଶତ ସଫଳ ହୋଇଛି ବୋଲି ଇସ୍ରୋ ମୁଖ୍ୟ କେ. ଶିବନ କହିଥିଲେ।

Share