ବିକ୍ରି ହେଲା ଦୀପିକାଙ୍କ ଡ୍ରେସ୍‌

ମୁମ୍ବାଇ: ବଲିଉଡ୍‌ ମସ୍ତାନୀ ଦୀପିକା ପାଦୁକୋନ୍‌ ରିଲ୍‌ ଲାଇଫ୍‌ରେ ନିଜ ଅଭିନୟ ଏବଂ ରିୟଲ୍‌ ଲାଇଫ୍‌ରେ ନିଜ ଲୁକ୍‌ସକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଆଉ ଦୀପିକାଙ୍କ ଟ୍ରେଣ୍ଡି ଲୁକ୍‌ସ ପାଇଁ ବିଶେଷକରି ଯୁବତୀମାନେ ତାଙ୍କୁ ଫଲୋ ମଧ୍ୟ କରିଥାନ୍ତି। ତେବେ ନିକଟରେ ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ ଉପଲକ୍ଷେ ଦୀପିକା ନିଜର ଫ୍ୟାନ୍ସଙ୍କ ପାଇଁ କରିଥିଲେ ଏକ ସ୍ପେଶାଲ ଘୋଷଣା। ସେ ନିଜର ସବୁ ଡ୍ରେସ୍‌ ଫ୍ୟାନ୍ସଙ୍କୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ। ଫ୍ୟାନ୍ସଙ୍କ ସୁବିଧା ପାଇଁ ଦୀପିକା ନିଜ ଓ୍ବେବସାଇଟ୍‌ରେ ସମସ୍ତ ଟ୍ରେଣ୍ଡି କଲେକ୍ସନ୍‌ର ବିକ୍ରି ଆରମ୍ଭ କରିଥିଲେ। ତେବେ କିଛି ଘଣ୍ଟା ମଧ୍ୟରେ କ୍ରେଜି ଫ୍ୟାନ୍ସ ଦୀପିକାଙ୍କ ପୂରା ଆଲ୍‌ମାରୀ ଖାଲି କରିଦେଇଥିଲେ। ତାଙ୍କର ସମସ୍ତ ଡ୍ରେସ୍‌ ମାତ୍ର କିଛି ସମୟ ମଧ୍ୟରେ ବିକ୍ରି ହୋଇଯାଇଥିଲା। ଦୀପିକା ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସରେ ଏପରି କାହିଁକି କରିଥିଲେ ବୋଲି ଅନେକଙ୍କ ମନରେ ପ୍ରଶ୍ନ ଆସୁଥିବ ନିଶ୍ଚୟ। ତେବେ ତାହାର ଉତ୍ତର ହେଲା, ଦୀପିକା ଏହି ବିକ୍ରିରୁ ମିଳିଥିବା ସମସ୍ତ ଅର୍ଥକୁ ମାନସିକ ରୋଗୀଙ୍କ ଚିକିତ୍ସା ପାଇଁ ଖର୍ଚ୍ଚ କରିବେ। ଲିଭ୍‌, ଲଭ୍‌, ଲାଫ୍‌ ଫାଉଣ୍ଡେଶନ ଜରିଆରେ ଏହି ମହତ୍‌ କାମ କରିବାକୁ ଦୀପିକା ଏଭଳି ପଦକ୍ଷେପ ନେଇଛନ୍ତି। ତେବେ ବିଗତ ଦିନରେ ଦୀପିକା ନିଜେ ମଧ୍ୟ ଡିପ୍ରେଶନର ଶିକାର ହୋଇଥିଲେ ଏବଂ ଚିକିତ୍ସା ମାଧ୍ୟମରେ ସୁସ୍ଥ ହୋଇଥିଲେ। ଏହାପରେ ଦୀପିକା ସବୁବେଳେ ମାନସିକ ସ୍ବାସ୍ଥ୍ୟକୁ ନେଇ ନିଜର ମତାମତ ରଖିଆସିଛନ୍ତି ଏବଂ ନିଜର ଡିପ୍ରେଶନ କଥା ମଧ୍ୟ ଖୋଲାଖୋଲି ଭାବେ ସ୍ବୀକାର କରିଛନ୍ତି। ଅନ୍ୟପଟେ ସାରା ଦୁନିଆରୁ ଦୀପିକାଙ୍କୁ ନିଜର ଡ୍ରେସ୍‌ ବିକ୍ରି କରିବା ପଦକ୍ଷେପ ନେଇ କଲ୍‌ ଆସିଥିବାବେଳେ ସମର୍ଥନ ମଧ୍ୟ ମିଳିଥିଲା। ଦେଶ ଓ ଦେଶ ବାହାରୁ ଅନେକେ ତାଙ୍କ ଡ୍ରେସ୍‌ କିଣିଛନ୍ତି। ତେବେ ଯେଉଁମାନେ ଓ୍ବେବସାଇଟ୍‌ରୁ ଏଥର କିଣି ପାରିନାହାନ୍ତି, ଖୁବ୍‌ଶୀଘ୍ର ସେମାନଙ୍କ ପାଇଁ ପୁଣି ବିକ୍ରି ଘୋଷଣା କରିବେ ବୋଲି ଦୀପିକା କହିଛନ୍ତି।

Share