Categories: ଜାତୀୟ

ବିକ୍ଷୋଭ ବେଳେ ୧୮୫ ଛାତ୍ରୀଛାତ୍ର ଅଟକ

ନୂଆଦିଲ୍ଲୀ,୪ା୩(ପି.ଟି.): ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଓ ଜାତୀୟ ରାଜଧାନୀରେ ସଦ୍ୟ ଘଟିଥିବା ସାମ୍ପ୍ରଦାୟିକ ହିଂସା ପ୍ରତିବାଦରେ ମଙ୍ଗଳବାର ଦିଲ୍ଲୀର ରାମଲୀଲା ମଇଦାନକୁ ବିକ୍ଷୋଭ ଶୋଭାଯାତ୍ରାରେ ଯାଉଥିବା ବେଳେ ୧୮୫ ଛାତ୍ରୀଛାତ୍ରଙ୍କୁ ଅଟକ ରଖାଯାଇଥିଲା। କମଲା ମାର୍କେଟ, ହରି ନଗର ଓ ବାଓ୍ବାନା ସମେତ ବିଭିନ୍ନ ଥାନାରେ ସେମାନଙ୍କୁ ଅଟକ ରଖାଯିବା ପରେ ଛାଡ଼ିଦିଆଯାଇଥିଲା। ଏବେ ସମସ୍ତ ବିକ୍ଷୋଭକାରୀ ମୁକ୍ତ ବୋଲି କେନ୍ଦ୍ରୀୟ ଦିଲ୍ଲୀ ଡେପୁଟି ପୋଲିସ କମିଶନର ସଞ୍ଜୟ ଭାଟିଆ ସୂଚନା ଦେଇଛନ୍ତି। ସିଏଏ ଏବଂ ଦିଲ୍ଲୀ ଦଙ୍ଗା ପ୍ରତିବାଦରେ ମଙ୍ଗଳବାର ସକାଳେ ଯନ୍ତରମନ୍ତରରେ ପ୍ରାୟ ୨୦୦ ଛାତ୍ରୀଛାତ୍ର ଏକତ୍ରିତ ହୋଇଥିଲେ। ୟଙ୍ଗ୍‌ ଇଣ୍ଡିଆ କୋଅର୍ଡିନେଶନ କମିଟିର ଆହ୍ବାନ କ୍ରମେ ସେମାନେ ରାମଲୀଲା ମଇଦାନ ଅଭିମୁଖେ ଶୋଭାଯାତ୍ରାରେ ଯାଉଥିଲେ। ବିକ୍ଷୋଭକାରୀଙ୍କ ମଧ୍ୟରେ ପୂର୍ବତନ ଆଇଏଏସ୍‌ ଅଧିକାରୀ କନ୍ନାନ ଗୋପିନାଥନ୍‌ ସାମିଲ ଥିଲେ। ସେମାନଙ୍କ ହାତରେ ଥିବା ବ୍ୟାନର ଓ ପୋଷ୍ଟରରେ ଲେଖାଥିଲା, ‘ଦଙ୍ଗା ନୁହେଁ, ଶାନ୍ତି’, ‘ଦେଶଦ୍ରୋହ ଆଇନ ଉଚ୍ଛେଦ କର’, ‘ଗରିବ ଓ ମୁସ୍‌ଲିମ ବିରୋଧୀ ଆଇନକୁ ହଟାଅ’ ଏବଂ ‘ସିଏଏ ବିରୋଧୀ ବିକ୍ଷୋଭକାରୀଙ୍କ ଉପରେ ପୋଲିସ ବର୍ବରତା ବନ୍ଦ ହେଉ’।

Share