Categories: ରାଜ୍ୟ

ବିଗିଡ଼ିଛି ସ୍ବାସ୍ଥ୍ୟସେବା, ଆଇନଶୃଙ୍ଖଳା

ଅନୁଗୋଳ ଅଫିସ/କଣିହଁା, ୨୩।୭

ଅନୁଗୋଳରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ସହ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିଯାଇଛି। ପ୍ରତିଦିନ ଗରିବ ଲୋକଙ୍କ ଜୀବନ ସହ ଖେଳ ଚାଲିଛି। ଜିଲା ମୁଖ୍ୟ ଚିକିତ୍ସାଳୟ ଶବ ସଂରକ୍ଷଣ ଗୃହରେ ଥିବା ଜଣେ ଶିଶୁକନ୍ୟାଙ୍କ ମୃତଦେହରୁ ଆଖି ଗାଏବ କରାଯାଇଥିବା ଅଭିଯୋଗର ଦୁଇଦିନ ନ ପୁରୁଣୁ ବସ୍‌ଷ୍ଟାଣ୍ଡ ନିକଟରେ ୮ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କରାଯିବା ଆଇନଶୃଙ୍ଖଳା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାର ପ୍ରତିବାଦରେ ସୋମବାର ଭାଜପା, ମହିଳା କଂଗ୍ରେସ ଓ ଏସ୍‌ୟୁସିଆଇ ପକ୍ଷରୁ ଭିନ୍ନ ଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିସହ ପ୍ରଶାସନକୁ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି।
ତୁରନ୍ତ ଏସବୁ ଘଟଣାର ତଦନ୍ତ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କଠୋର ଦଣ୍ଡରେ ଦଣ୍ଡିତ କରିବାକୁ ଜିଲା ଭାଜପା ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦଳର ବରିଷ୍ଠ ନେତା ତଥା ରାଜ୍ୟ ସଭାର ପୂର୍ବତନ ସଦସ୍ୟ ରୁଦ୍ର ନାରାୟଣ ପାଣି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ, ବସନ୍ତ ମଞ୍ଜରୀ ପ୍ରଧାନ, ବିନୋଦିନୀ ସାହୁ, ରୋଜାଲିନ୍‌ ଦାସ, ନମିତା ଦଳ ବେହେରାଙ୍କ ସମେତ ଶତାଧିକ ସଦସ୍ୟା ଓ ସଦସ୍ୟ ଉପସ୍ଥିତ ଥିଲେ।
ସେହିପରି ଜିଲା ମହିଳା କଂଗ୍ରେସ ପକ୍ଷରୁ ଏ ନେଇ ଏସ୍‌ପିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏଥିରେ ଯାଯାବରମାନଙ୍କ ପାଇଁ ଆଶ୍ରୟସ୍ଥଳୀ, ସେମାନଙ୍କ ପିଲାଙ୍କୁ ଭିକ୍ଷାବୃତ୍ତିରୁ ନିବୃତ୍ତ କରାଇବା ପାଇଁ ପଦକ୍ଷେପ ନିଆଯିବାକୁ ଦାବି କରାଯାଇଛି। ଜିଲା ମହିଳା କଂଗ୍ରେସ କମିଟି ସଭାପତି ସବିତାରାଣୀ ଧୀର, ରାଜ୍ୟ ମହିଳା କଂଗ୍ରେସ ଉପସଭାପତି ସୁକାନ୍ତି ଦାସ, ଜିଲା ଛାତ୍ର ସଭାପତି ବିଶ୍ୱରଞ୍ଜନ ପାଣିଗ୍ରାହୀ, ପୂର୍ବତନ କାଉସିଲର ବଲବୀର ସିଂହ, ନଗର ମହିଳା କଂଗ୍ରେସ ସଭାପତି ଅଳକାରାଣୀ ମହାପାତ୍ର, ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ।
ସେହିପରି ଏସ୍‌ୟୁସିଆଇ (କମ୍ୟୁନିଷ୍ଟ) ଅନୁଗୋଳ ଜିଲା କମିଟି ପକ୍ଷରୁ ରାଜାଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହାପରେ ଜିଲାପାଳ ଓ ଏସ୍‌ପିଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଜିଲା କମିଟି ସଭ୍ୟ ନବକିଶୋର ପ୍ରଧାନ, ସୁବାସ ପ୍ରଧାନ, ମାନସ ପାଳ, ମନ୍ଦୋଦରୀ ରାଉଳ ଓ ଶିକ୍ଷକ ନେତା ପ୍ରସାଦୀ ପ୍ରଧାନ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ସେହିପରି ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) ପକ୍ଷରୁ ଏନ୍‌ଟିପିସି ବାଇପାସ ଛକଠାରେ ପ୍ରତିବାଦ ସଭା କରାଯାଇଥିଲା। ଜିଲା ସମ୍ପାଦକ ଭିକାରୀ ପ୍ରଧାନ, ଶ୍ରମିକ ନେତା ଜୟସେନ ମେହେର, ନାରୀନେତ୍ରୀ ମାନସୀ ସ୍ବାଇଁ, ନିର୍ମଳା ପ୍ରଧାନ ପ୍ରମୁଖ ଯୋଗଦେଇ ତୁରନ୍ତ ଅପରାଧୀଙ୍କୁ ଗିରଫ ସହ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ।

Share