ବିଗୁଡୁଛି ଭାରତ-ନେପାଳ ସମ୍ପର୍କ

ନୂଆଦିଲ୍ଲୀ/କାଠମାଣ୍ଡୁ,୨୨ା୫: ନେପାଳ ଏହାର ନୂଆ ମାନଚିତ୍ରରେ ଭାରତର କେତେକ ଅଞ୍ଚଳକୁ ସ୍ଥାନ ଦେଇଥିବାରୁ ଏହାକୁ ନେଇ ଦୁଇ ପଡୋଶୀ ଦେଶର ସମ୍ପର୍କରେ ତିକ୍ତତା ଦେଖାଦେଇ ଥିବାବେଳେ କରୋନାକୁ ନେଇ ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଓଲିଙ୍କ ମନ୍ତବ୍ୟ ସମ୍ପର୍କକୁ ଆହୁରି ବିଗାଡ଼ି ଦେଇଛି। ଚାଇନା ଓ ଇଟାଲୀ ଭୂତାଣୁ ତୁଳନାରେ ଭାରତରୁ ଆସୁଥିବା ଭୂତାଣୁ ଅଧିକ ମାରାତ୍ମକ ବୋଲି ନେପାଳ ପ୍ରଧାନମନ୍ତ୍ରୀ ପାର୍ଲାମେଣ୍ଟରେ କହିଛନ୍ତି। ନେପାଳରେ କରୋନା ସଂକ୍ରମଣ ପାଇଁ ସେ ଭାରତକୁ ଦୋଷ ଦେଇଛନ୍ତି। ବେଆଇନ ଭାବେ ଭାରତରୁ ଆସୁଥିବା ଲୋକେ ଏଠାରେ ସଂକ୍ରମଣ କରାଉଛନ୍ତି। ଉପଯୁକ୍ତ ପରୀକ୍ଷା ନ କରି ସେମାନଙ୍କୁ ଆଣିବାରେ ସହାୟତା କରୁଥିବା ସ୍ଥାନୀୟ ପ୍ରତିନିଧି ଓ ଦଳୀୟ ନେତାଙ୍କୁ ମଧ୍ୟ ଓଲି ଦୋଷ ଦେଇଥିଲେ। ନେପାଳର କିଛି ଅଞ୍ଚଳ ଦେଇ ଭାରତ ସରକାର ଏକ ରାସ୍ତା ନିର୍ମାଣ କରୁଥିବାରୁ ଏହାକୁ ନେଇ ଦୁଇ ପାରମ୍ପରିକ ବନ୍ଧୁ ରାଷ୍ଟ୍ର ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଖରାପ ହୋଇଥିବା ଓଲି କହିଥିଲେ। ନିକଟରେ ନେପାଳ ନୂଆ ରାଜନୈତିକ ମାନଚିତ୍ରକୁ ଅନୁମୋଦନ କରିଥିଲା, ଯେଉଁଥିରେ ଭାରତର ଲିପୁଲେଖ ଗିରିପଥ, କଳାପାନି ଓ ଲିମ୍ପିୟାଧୁରା ରହିଛି। ନେପାଳର ଏହିସବୁ ଅଞ୍ଚଳକୁ ଫେରାଇଦେବା ଦାବିରେ ଶାସକ ନେପାଳ କମ୍ୟୁନିଷ୍ଟ ପାର୍ଟିର ଏମ୍‌ପିମାନେ ପାର୍ଲାମେଣ୍ଟରେ ସ୍ବତନ୍ତ୍ର ପ୍ରସ୍ତାବ ଆଣିଥିଲେ। ତାଙ୍କ ସରକାର ଯେକୌଣସି ପ୍ରକାରେ ଉକ୍ତ ଅଞ୍ଚଳକୁ ଭାରତଠାରୁ ଫେରାଇ ଆଣିବ ବୋଲି ବୁଧବାର ଓଲି ପାର୍ଲାମେଣ୍ଟରେ କହିଛନ୍ତି।

Share