‘ବିଗ୍‌ବସ୍‌’ ପରେ ଶେହନାଜ୍‌ଙ୍କ ହେବ ସ୍ବୟଂବର: ପ୍ରଶଂସକ କହିଲେ ‘ସଲ୍‌ମାନ ତାଙ୍କୁ ବଞ୍ଚାଅ’

ବମ୍ବେ: ଶେଷ ହେବାକୁ ଯାଉଛି ଛୋଟ ପରଦାର ବଡ଼ ରିଆଲିଟି ଶୋ’ ‘ବିଗ୍‌ବସ୍‌’। ୧୫ ଫେବୃୟାରୀ ଅର୍ଥାତ୍‌ ଶନିବାର ଏହାର ଫିନାଲେ ଏପିସୋଡ୍‌ ପ୍ରସାରିତ ହେବ। ୬ ଜଣ ଫାଇନାଲିଷ୍ଟଙ୍କ ମଧ୍ୟରୁ ଶୋ’ କିଏ ଜିତିବ ସେ ନେଇ ଦର୍ଶକଙ୍କ ମଧ୍ୟରେ ଭିନ୍ନ କ୍ରେଜ୍‌। ଅପରପକ୍ଷେ ବିଗ୍‌ବସ୍‌ ସରିବା ପରେ ଦର୍ଶକେ ମନୋରଞ୍ଜନ କମ୍‌ ହେବା ଆଶଙ୍କା କରି ମନଦୁଃଖରେ ଅଛନ୍ତି। ଯଦି ଆପଣ ଏଭଳି ଭାବୁଥାଆନ୍ତି, ତେବେ ଏହା ଭୁଲ। କାରଣ ପୂର୍ବବତ୍‌ ପ୍ରତିଯୋଗୀମାନଙ୍କ ଭିତରେ ଦର୍ଶକଙ୍କୁ ବାନ୍ଧି ରଖିବା ଲାଗି ଚ୍ୟାନେଲ୍‌ ପକ୍ଷରୁ ନୂଆ ଏକ ଶୋ’ ଆସିବାକୁ ଯାଉଛି। ଏଥିରେ ଏଣ୍ଟରଟେନ୍‌ମେଣ୍ଟ କୁଇନ୍‌ କୁହାଯାଉଥିବା ଶେହନାଜ୍‌ ଗିଲ ଏବଂ ପାରସ ଛାବଡ଼ାଙ୍କ ବିବାହ ଦେଖିବାକୁ ମିଳିବ। ଚ୍ୟାନେଲର ଆଧିକାରିକ ସୋସିଆଲ ପୃଷ୍ଠାରେ ଏ ସମ୍ପର୍କିତ ଏକ ଭିଡିଓ ଶେୟାର କରାଯାଇଛି।

କିଛି ଦର୍ଶକ ଏହାକୁ ନେଇ ଖୁସି ଥିବା ବେଳେ କିଛି ଏହାକୁ ପସନ୍ଦ କରିନାହାନ୍ତି। ସଲ୍‌ମାନ ଏଥିରୁ ତାଙ୍କୁ ରକ୍ଷାକରନ୍ତୁ ବୋଲି କିଛି ପ୍ରଶଂସକ କହୁଥିବା ଦେଖାଯାଉଛି। ତାଙ୍କ କ୍ୟାରିୟର ଏବେ ଆରମ୍ଭ ହୋଇଥିବା ବେଳେ ଏଭଳି ଶୋ’ କରିବା ଦ୍ୱାରା ସବୁ ଶେଷ ହୋଇଯିବ। ନକଲି ବିବାହ କରି ସେ ଅବସୋସ କରିବେ। କେବଳ ଟିଆର୍‌ପି ପାଇଁ ଚ୍ୟାନେଲ ଏଭଳି କରୁଛି ବୋଲି କେହି କେହି କହୁଛନ୍ତି।

ତେବେ ଶେହନାଜ ଓ ପାରସଙ୍କ ବିବାହ ସମ୍ପର୍କିତ ଶୋ’ ଫେବୃୟାରୀ ୧୭ରୁ ପ୍ରସାରିତ ହେବ। ଏହା ପୂର୍ବରୁ ଶେହନାଜ ବିଗ୍‌ବସ୍‌ରେ ଜିତନ୍ତୁ ବୋଲି ପ୍ରଶଂସକ ଆଶା ରଖିଛନ୍ତି। ତାଙ୍କୁ ପ୍ରତିଦ୍ୱନ୍ଦ୍ୱିତା ଦେଉଛନ୍ତି ସିଦ୍ଧାର୍ଥ ଶୁକ୍ଳା, ଆସିମ୍‌ ରିୟାଜ, ଆରତୀ ସିଂ, ପାରସ ଛାବଡ଼ା ଏବଂ ରଶ୍ମି ଦେଶାଇ। ରାତି ସୁଦ୍ଧା ବିଗ୍‌ବସ୍‌-୧୩ର ବିଜେତା କିଏ ହେବ ତାହା ଜଣାପଡ଼ିଯିବ।

Share