ବିଗ୍‌ବସ୍‌ ବଦଳାଇଲା ଭାଗ୍ୟ: ମହେଶ ଭଟ୍ଟଙ୍କ ଫିଲ୍ମରେ ନଜର ଆସିବେ ଆସିମ୍‌, ନାୟିକା ସାଜିବେ ସନ୍ନି !

ବମ୍ବେ: ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ ଭାଗ ନେଉଥିବା ପ୍ରତିଯୋଗୀଙ୍କ ଭାଗ୍ୟ ବଦଳାଇଦିଏ। ଠିକ୍‌ ଏପରି କିଛି ଘଟିଛି ‘ବିଗ୍‌ବସ୍‌-୧୩’ର ପ୍ରତିଯୋଗୀ ଅସିମ୍‌ ରିଆଜଙ୍କ କ୍ଷେତ୍ରରେ। ଅସିମ୍‌ ଚଳିତ ସିଜନ୍‌ର ସବୁଠାରୁ ଅଧିକ ପସନ୍ଦ କରାଯାଉଥିବା ସେଲିବ୍ରିଟି ପାଲଟିଛନ୍ତି। ଏଣୁ ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ମହେଶ ଭଟ୍ଟ ତାଙ୍କୁ ଫିଲ୍ମରେ ନେବାକୁ ଯାଉଥିବା ଶୁଣିବାକୁ ମିଳିଛି। ଏଥିରେ ତାଙ୍କ ବିପକ୍ଷରେ ନାୟିକା ସାଜିବେ ସନ୍ନି ଲିଓନି। ଆଧିକାରିକ ଭାବେ ଫିଲ୍ମ ନେଇ ଘୋଷଣା ହୋଇ ନ ଥିଲେ ହେଁ ଆସିମ୍‌ଙ୍କ ପ୍ରଶଂସକମାନେ ବେଶ୍‌ ଖୁସି ଅଛନ୍ତି।

ଆସିମ୍‌ଙ୍କ ଘର ଜମ୍ମୁ-କଶ୍ମୀର। ପେସାରେ ସେ ଜଣେ ମଡେଲ। ବିଗ୍‌ବସ୍‌ ଘରକୁ ଆସିବା ଦିନଠାରୁ ସେ ଟକ୍‌ ଅଫ୍‌ ଦ ଟାଉନ୍‌ ହୋଇରହିଛନ୍ତି। ତାଙ୍କ ଫିଟ୍‌ନେସ୍‌ ଏବଂ ଚେହେରା ଅନେକଙ୍କୁ ଦିଓ୍ବାନା କରିଛି। ଏଥିସହ ଶୋ’ରେ ଅନ୍ୟତମ ପ୍ରତିଯୋଗୀ ହିମାଂଶୀ ଖୁରାନ୍ନାଙ୍କ ସହ ତାଙ୍କ ସମ୍ପର୍କ ଚର୍ଚ୍ଚାରେ ରହିଆସୁଛି। ଲୋକପ୍ରିୟତା ଯୋଗୁ ସେ ଶୋ’ ଜିତିବାର ଦମ୍‌ ରଖିଥିବା ଆଲୋଚନା ହେଉଛି।

ଇତିମଧ୍ୟରେ ଏହା ତେର ସିଜନ୍‌ରେ ପହଞ୍ଚିଛି। ସବୁଥର ଭଳି ଚଳିତ ଥର ମଧ୍ୟ ଦର୍ଶକଙ୍କ ଭଲପାଇବା ବହୁଳ ଭାବେ ମିଳୁଛି। ଫଳରେ ସବୁଠାରୁ ସଫଳତମ ସିଜନ୍‌ ହୋଇଛି ‘ବିଗ୍‌ବସ୍‌-୧୩’।

Share