‘ବିଗ୍‌ ବସ୍‌’ ପରେ ନିଜ ପାଇଁ ବର ଖୋଜିବେ ଶେହନାଜ!

ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ ବସ୍‌ର ଚଳିତ ସିଜନ୍‌ରେ ଲୋକପ୍ରିୟ ପ୍ରତିଯୋଗୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପଞ୍ଜାବର କଟ୍ରିନା ଓରଫ ଶେହନାଜ ଗିଲ। ସେ ନିଜର ଚୁଲ୍‌ବୁଲି ସ୍ବଭାବକୁ ନେଇ ଦର୍ଶକଙ୍କ ମନ କିଣି ନେଇଛନ୍ତି। ଫଳରେ ଘର ବାହାରେ ଏବେ ତାଙ୍କର ପ୍ରଶଂସକଙ୍କ ମାତ୍ରା ବଢ଼ିବାରେ ଲାଗିଛି। ଶୋ’ ଶେଷ ହେବାକୁ ପାଖାପାଖି ପନ୍ଦର ଦିନ ଥିବା ବେଳେ ଶେହନାଜଙ୍କୁ ନେଇ ନୂଆ କିଛି ଶୁଣିବାକୁ ମିଳୁଛି।

କଥାଟି ହେଲା ଶେହନାଜ ‘ବିଗ୍‌ ବସ୍‌’ ପରେ ପୁଣି ଏକ ରିଆଲିଟି ଶୋ’ରେ ଦେଖାଯିବେ, ଯାହାର ନାଁ ରହିବ ‘ଶେହନାଜ ଗିଲ କି ଶାଦି’। ଏହା କେତେ ସତ୍ୟ କେତେ ମିଥ୍ୟା ଜଣାପଡ଼ିନାହିଁ। ହେଲେ ଯଦି ଏଭଳି ହୁଏ, ତେବେ ନିଜ ପାଇଁ ବର ଖୋଜିବେ ଶେହନାଜ। ରାକ୍ଷୀ ସାଓ୍ବନ୍ତ, ରାହୁଲ ମହାଜନ ଏବଂ ରତନ ସିଂ ରାଜପୁତଙ୍କ ଭଳି ସ୍ବୟଂବର ରଚାଇବେ ସେ।

ଶୋ’ରେ ଶେହନାଜଙ୍କ ନାମକୁ ସିଦ୍ଧାର୍ଥ ଶୁକ୍ଳାଙ୍କ ସହ ଯୋଡ଼ା ଯାଉଛି। ଉଭୟଙ୍କ ଖଟାମିଠା ସମ୍ପର୍କ ଟକ୍‌ ଅଫ୍‌ ଦ ଟାଉନ୍‌ ରହିଛି। ଶେହନାଜ ସିଦ୍ଧାର୍ଥଙ୍କୁ ଭଲ ପାଉଥିବା ମଧ୍ୟ କହିସାରିଛନ୍ତି। ଘଟଣାରେ ସିଦ୍ଧାର୍ଥ କିନ୍ତୁ ଚୁପ୍‌ ରହିଆସୁଛନ୍ତି।

Share