Categories: ଖେଳ

ବିଗ୍‌ ବାସ୍‌ ଲିଗ୍‌: ଗୋଟିଏ ଦିନରେ ୨ଟି ହ୍ୟାଟ୍ରିକ

ଆଡିଲେଡ୍‌,୯।୧- ଗୋଟିଏ ଦିନରେ ଦୁଇଜଣ ବୋଲରଙ୍କୁ ହ୍ୟାଟ୍ରିକ ଉଇକେଟ୍‌ ସଫଳତା ମିଳିଛି। ଅଷ୍ଟ୍ରେଲିଆର ଘରୋଇ ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟ ବିଗ୍‌ ବାସ୍‌ ଲିଗ୍‌ (ବିବିଏଲ୍‌)ରେ ଆଫଗାନିସ୍ତାନ ସ୍ପିନର ରଶିଦ ଖଁା ଓ ପାକିସ୍ତାନ ଦ୍ରୁତ ବୋଲର ହାରିସ ରଫ୍‌ ଏହି ସଫଳତା ପାଇଛନ୍ତି। ରଶିଦ୍‌ ଆଡିଲେଡ୍‌ ଷ୍ଟ୍ରାଇକର୍ସ ଓ ରଫ୍‌ ମେଲବୋର୍ନ ଷ୍ଟାର୍ସ ପକ୍ଷରୁ ପ୍ରତିନିଧିତ୍ୱ କରି ନିଜ ନିଜର ହ୍ୟାଟ୍ରିକ ଅର୍ଜନ କରିଥିଲେ।
ପ୍ରଥମ ହ୍ୟାଟ୍ରିକ ଆଡିଲେଡ୍‌ ଷ୍ଟ୍ରାଇକର୍ସ ଓ ସିଡ୍‌ନୀ ସିକ୍ସର୍ସ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ଦେଖିବାକୁ ମିଳିଥିଲା। ଲେଗ୍‌ ସ୍ପିନର ରଶିଦ ସିଡ୍‌ନୀ ଇନିଂସର ୧୧ତମ ଓଭର ୫ମ ଓ ୬ଷ୍ଠ ବଲରେ ଜେମ୍ସ ଭିନ୍ସ ଓ ଜ୍ୟାକ ଏଡ୍‌ଓ୍ବାଡର୍‌ସଙ୍କୁ ଯଥାକ୍ରମେ କ୍ୟାଚ୍‌ ଓ ଏଲବିଡବ୍ଲ୍ୟୁ ଆଉଟ୍‌ କରିଥିଲେ। ୧୩ତମ ଓଭର ପ୍ରଥମ ବଲରେ ଜୋର୍ଡାନ ସିଲ୍‌କଙ୍କୁ କ୍ଲିନ ବୋଲ୍ଡ କରି ହ୍ୟାଟ୍ରିକ ପୂରଣ କରିଛନ୍ତି। ରଶିଦଙ୍କ ସଫଳତା ସତ୍ତ୍ୱେ ସିଡ୍‌ନୀ ମ୍ୟାଚ୍‌କୁ ୨ ଉଇକେଟରେ ଜିତି ନେଇଛି। ରଶିଦ ଟି୨୦ କ୍ୟାରିୟରରେ ତୃତୀୟ ଥର ପାଇଁ ହ୍ୟାଟ୍ରିକ ଉଇକେଟ ହାସଲ କରିଛନ୍ତି। ୨୦୧୭ କାରବୀୟନ ପ୍ରିମିୟର ଲିଗ୍‌ରେ ଜାମାଇକା ଥଲାଇଭାସ ବିପକ୍ଷରେ ସେ ହ୍ୟାଟ୍ରିକ ନେଇଥିଲେ। ଗତବର୍ଷ ଆୟର୍ଲାଣ୍ଡ ବିପକ୍ଷ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ରେ ଏହି ଆଫଗାନ ବୋଲର ୪ ବଲରେ ୪ ଉଇକେଟ ମଧ୍ୟ ହାତେଇଥିଲେ। ଅପରପକ୍ଷରେ ଆଇକନିକ ମେଲବୋର୍ନ କ୍ରିକେଟ୍‌ ଗ୍ରାଉଣ୍ଡରେ ସିଡ୍‌ନୀ ଥଣ୍ଡର ଓ ମେଲବୋର୍ନ ଷ୍ଟାର୍ସ ମଧ୍ୟରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ୍‌ରେ ରଫ୍‌ ହ୍ୟାଟ୍ରିକ ଉଇକେଟ୍‌ ନେଇଥିଲେ। ଥଣ୍ଡର୍ସ ଇନିଂସର ଅନ୍ତିମ ଓଭର ବୋଲିଂ କରିଥିବା ରଫ୍‌ ୨ୟ, ୩ୟ ଓ ୪ର୍ଥ ବଲ୍‌ରେ ଯଥାକ୍ରମେ ମାଥ୍ୟୁ ଗିଲ୍‌କେସ, କାଲମ୍‌ ଫର୍ଗୁସନ ଓ ଡାନିଏଲ୍‌ ସାମ୍ସଙ୍କୁ ପ୍ୟାଭିଲିୟନ ଫେରାଇଥିଲେ। ବିବିଏଲ୍‌ରେ ମେଲବୋର୍ନ ପକ୍ଷରୁ ହ୍ୟାଟ୍ରିକ ଅର୍ଜନ କରିବାରେ ସେ ପ୍ରଥମ ବୋଲର ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଏହି ମ୍ୟାଚ୍‌କୁ ମେଲବୋର୍ନ ୬ ଉଇକେଟ୍‌ରେ ଜିତିନେଇଥିଲା।

Share