ବିଚାରପତିଙ୍କ ରାଜନୈତିକ ଅଭିଳାଷ

ଶରତ ଚନ୍ଦ୍ର ମିଶ୍ର
ଆମ ଦେଶର ସ୍ବାଧୀନତା ସଂଗ୍ରାମ ଓ ସମ୍ବିଧାନ ପ୍ରଣୟନରେ ଆଇନଜୀବୀମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଅନେକ ଆଇନଜୀବୀଙ୍କର ରାଜନୈତିକ କାର୍ଯ୍ୟକଳାପ ସହ ସମ୍ପର୍କ ଥାଏ। ବିଚାରପତି ହୋଇଗଲା ପରେ ସେ ସମ୍ପର୍କ ଛିନ୍ନ ହୁଏ। ରାଜନୈତିକ କ୍ଷମତାର ଏକ ଦୁର୍ବାର ଆକର୍ଷଣ ଅଛି। କେତେକ ବିଚାରପତି ଅବସର ଗ୍ରହଣ ପରେ ଏ ଆକର୍ଷଣରୁ ନିଜକୁ ମୁକ୍ତ କରିପାରିନାହାନ୍ତି।
ସ୍ବାଧୀନତା ସମୟରେ ସର୍ବୋଚ୍ଚ ଫେଡେରାଲ କୋର୍ଟରେ ସାର୍‌ ଜାଫ୍ରଲା ଖାନ୍‌ ବିଚାରପତି ଥିଲେ। ପାକିସ୍ତାନରେ ସେ କିନ୍ତୁ ପ୍ରଧାନ ବିଚାରପତି ନ ହୋଇ, ବୈଦେଶିକ ମନ୍ତ୍ରୀ ହେବାକୁ ଅଧିକ ଶ୍ରେୟସ୍କର ମନେକଲେ। ଲାହୋର ହାଇକୋର୍ଟର ବିଚାରପତି ମେହେର ଚାନ୍ଦ ମହାଜନ ଜମ୍ମୁ-କଶ୍ମୀରର ପ୍ରଧାନମନ୍ତ୍ରୀ ହେଲେ। ତା’ ପରେ ବିକାନୀର ମହାରାଜାଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ ହେଲେ। ପରେ ପୁଣି ବିଚାରପତି ଭାବରେ ନିଯୁକ୍ତି ପାଇ ଦେଶର ପ୍ରଧାନ ବିଚାରପତି ପଦ ଅଳଙ୍କୃତ କରିଥିଲେ। ବମ୍ବେ ହାଇକୋର୍ଟର ଜଷ୍ଟିସ ଚଗଲା ଦେଶର ବୈଦେଶିକ ମନ୍ତ୍ରୀ ହୋଇଥିଲେ।
ବର୍ତ୍ତମାନର ନିର୍ବାଚନରେ କଶ୍ମୀରରେ ନ୍ୟାଶନାଲ କନ୍‌ଫରେନ୍ସ, ଅନନ୍ତନାଗରେ ସଦ୍ୟ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ହାସନଇନ ମାସୁଦଙ୍କୁ ପ୍ରାର୍ଥୀ କରିଛି। ଅବସର ପୂର୍ବରୁ ସମ୍ବିଧାନର ୩୭୦ ଧାରାର କୌଣସି ପରିବର୍ତ୍ତନ କରାଯାଇପାରିବ ନାହିଁ ବୋଲି ସେ ରାୟ ଦେଇଥିଲେ। ବିଚାରପତି ଥିପସେ ଓ ବିଚାରପତି ବହୁଗୁଣା ଅବସର ପରେ ଯଥାକ୍ରମେ କଂଗ୍ରେସ ଓ ଭାଜପାରେ ଯୋଗ ଦେଇଛନ୍ତି।
ବିଚାରପତିଙ୍କ ରାଜନୈତିକ ଆଗ୍ରହ କିଛି ନୂଆକଥା ନୁହେଁ। ସୁପ୍ରିମ୍‌କୋର୍ଟର ତତ୍କାଳୀନ ପ୍ରଧାନ ବିଚାରପତି କେ. ସୁବାରାଓ ୧୯୬୭ ମସିହାରେ ଅବସର ଗ୍ରହଣର ତିନିମାସ ଆଗରୁ ଅବସର ନେଲେ ଓ ଅବସର ଗ୍ରହଣର ଠିକ୍‌ ପରଦିନ, ବିରୋଧୀ ଦଳର ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହୋଇ ଜାକିର ହୁସେନଙ୍କ ଦ୍ୱାରା ପରାସ୍ତ ହେଲେ। ବିଚାରପତି ହିଦାଉତୁଲ୍ଲା ୧୯୪୬ ପର୍ଯ୍ୟନ୍ତ ନାଗପୁର ମ୍ୟୁନିସିପାଲିଟିର କର୍ପୋରେଟର ଥିଲେ ଓ ତାଙ୍କ ଅନ୍ୟ ଭାଇମାନେ ପାକିସ୍ତାନ ଚାଲିଗଲେ ମଧ୍ୟ ସେ ଭାରତରେ ରହି ଆଇନ ବ୍ୟବସାୟ କଲେ। ସେ ୧୯୭୯ରେ ଉପରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ ଓ ୧୯୮୨ରେ ରାଷ୍ଟ୍ରପତି ଜୈଲ ସିଂହ ଚିକିତ୍ସା ନିମନ୍ତେ ଆମେରିକା ଯିବାରୁ ୨୫ ଦିନ ନିମନ୍ତେ ଅସ୍ଥାୟୀ ରାଷ୍ଟ୍ରପତି ପଦ ମଣ୍ଡନ କରିଥିଲେ। ପ୍ରଧାନ ବିଚାରପତି, ଉପରାଷ୍ଟ୍ରପତି ଓ ରାଷ୍ଟ୍ରପତି ପଦ ମଣ୍ଡନ କରିବାରେ ସେ ଏକମାତ୍ର ଭାରତୀୟ।
ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୯୭୩ରେ ୩ଜଣ ବରିଷ୍ଠ ବିଚାରପତିଙ୍କୁ ଅତିକ୍ରମ କରି ଜଷ୍ଟିସ ଏ.ଏନ. ରାୟଙ୍କୁ ପ୍ରଧାନ ବିଚାରପତି ନିଯୁକ୍ତ କରିଥିଲେ। ପ୍ରତିବାଦରେ ଅତିକ୍ରମିତ ବିଚାରପତିମାନେ ଇସ୍ତଫା ପ୍ରଦାନ କରିଥିଲେ। ଇସ୍ତଫା ପ୍ରଦାନକାରୀ ଜଜ୍‌ମାନଙ୍କ ମଧ୍ୟରେ କର୍ନାଟକର କେ. ଏସ୍‌. ହେଗ୍‌ଡେ ଅନ୍ୟତମ। ଆଇନଜୀବୀ ହେଗ୍‌ଡେ ୧୯୩୫ରେ କଂଗ୍ରେସରେ ଯୋଗ ଦେଇଥିଲେ ଓ ୧୯୫୨ରୁ ୧୯୫୭ ପର୍ଯ୍ୟନ୍ତ ରାଜ୍ୟ ସଭା ସଦସ୍ୟ ହୋଇଥିଲେ। ରାଜ୍ୟ ସଭାରୁ ଇସ୍ତଫା ଦେଇ ୧୯୫୭ରେ ମହୀଶୂର ହାଇକୋର୍ଟର ଜଜ୍‌ ହୋଇଥିଲେ। ସୁପ୍ରିମ୍‌କୋର୍ଟରୁ ୧୯୭୩ରେ ଇସ୍ତଫା ଦେଲା ପରେ ସେ ଜନତା ଦଳ ପ୍ରାର୍ଥୀ ଭାବରେ ୧୯୭୭ ମସିହାରେ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ଓ ବାଚସ୍ପତି ସଞ୍ଜୀବ ରେଡ୍ଡୀ ରାଷ୍ଟ୍ରପତି ନିର୍ବାଚିତ ହୋଇଗଲା ପରେ ବାଚସ୍ପତି ଭାବେ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ କାଳରେ ସେ ଭାଜପାର ଜଣେ ଉପସଭାପତି ଭାବେ ୧୯୮୦ରୁ ୧୯୮୬ ପର୍ଯ୍ୟନ୍ତ ପଦାଭିଷିକ୍ତ ଥିଲେ। ଭାଜପା ପ୍ରାର୍ଥୀ ଭାବେ ୧୯୮୪ ମସିହାରେ ଲୋକ ସଭା ନିର୍ବାଚନରେ ପରାଜିତ ହୋଇଥିଲେ।
ପି.ଆଇ.ଏଲ.ର ଅନ୍ୟତମ ଜନ୍ମଦାତା ବିଚାରପତି କୃଷ୍ଣା ଆୟାର, ୧୯୫୨ ମସିହାରେ ସିପିଆଇ ଦଳ ପକ୍ଷରୁ ମାଡ୍ରାସରେ ଏମ୍‌ଏଲ୍‌ଏ ନିର୍ବାଚିତ ହୋଇଥିଲେ। କେରଳ ପ୍ରଦେଶ ଗଠନ (୧୯୫୬)ରେ ତାଙ୍କ ଜିଲା ମାଲାବାର୍‌ କେରଳର ଅଂଶବିଶେଷ ହେଲା ଓ ସେ କେରଳକୁ କର୍ମଭୂମି ଭାବେ ଗ୍ରହଣ କରି ୧୯୫୭ରେ ପ୍ରଥମ କମ୍ୟୁନିଷ୍ଟ ସରକାରରେ ଦୁଇବର୍ଷ ପାଇଁ ମନ୍ତ୍ରୀ ହୋଇଥିଲେ। କମ୍ୟୁନିଷ୍ଟ ସରକାର ୧୯୫୯ରେ ଗାଦିଚ୍ୟୁତ ହେଲା ପରେ ସେ ଆଇନ ବ୍ୟବସାୟରେ ମନଯୋଗ ଦେଇ ସୁପ୍ରିମ୍‌କୋର୍ଟର ବିଚାରପତି ଭାବେ ଅବସର ଗ୍ରହଣ କଲେ ଓ ଦେଶର ଜଣେ ଶ୍ରେଷ୍ଠ ଆଇନଜ୍ଞ ଭାବେ ଖ୍ୟାତି ଅର୍ଜନ କଲେ। ଏତଦ୍‌ବ୍ୟତୀତ ଅନ୍ୟ କେତେକ ବିଚାରପତି ରାଜନୀତିରେ ସମ୍ପୃକ୍ତ ଥିଲେ ଓ ଆନ୍ଧ୍ର ହାଇକୋର୍ଟର ବିଚାରପତି ଶିବସୁନ୍ଦରମ୍‌ ଦେଶର ଆଇନମନ୍ତ୍ରୀ ହୋଇପାରିଥିଲେ।
ଓଡ଼ିଶାର କତିପୟ ଅବସରପ୍ରାପ୍ତ ବିଚାରପତି ମଧ୍ୟ ରାଜନୀତି ପ୍ରତି ଆକୃଷ୍ଟ ହୋଇଛନ୍ତି। ଓଡ଼ିଶା ହାଇକୋର୍ଟର ପ୍ରଥମ ପ୍ରଧାନ ବିଚାରପତି ବୀରକିଶୋର ରାୟ ଆଇନଜୀବୀ ଥିବା ସମୟରେ କଂଗ୍ରେସ ବିରୋଧୀ ଥିଲେ ଓ ୧୯୩୭ ନିର୍ବାଚନ ସମୟରେ ସେ ଓ ତାଙ୍କ ସ୍ତ୍ରୀ ଲତିକା ଦେବୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇ ପରାଜୟ ବରଣ କରିଥିଲେ। ସ୍ବର୍ଗତ ଲତିକା ଦେବୀ ତତ୍କାଳୀନ ନାରୀନେତ୍ରୀ ସରଳା ଦେବୀଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ପ୍ରଧାନ ବିଚାରପତି ପଦରୁ ଅବସର ନେଲା ପରେ ବିଚାରପତି ରାୟ କଂଗ୍ରେସ ପ୍ରାର୍ଥୀ ଭାବେ ଉପନିର୍ବାଚନରେ ରଙ୍ଗଲାଲ ମୋଦିଙ୍କୁ ପରାଜିତ କରି ଲୋକ ସଭାକୁ ନିର୍ବାଚିତ ହୋଇଥିଲେ।
ତୃତୀୟ ପ୍ରଧାନ ବିଚାରପତି ଲିଙ୍ଗରାଜ ପାଣିଗ୍ରାହୀଙ୍କ ରାଜନୈତିକ ଇନିଂସ ବେଶ୍‌ ସଫଳ ହୋଇଥିଲା। ସେ ୧୯୫୬ରେ ହାଇକୋର୍ଟର ପ୍ରଧାନ ବିଚାରପତି ପଦରୁ ଅବସର ଗ୍ରହଣ କଲା ପରେ କଂଗ୍ରେସରେ ଯୋଗଦେଇ ୧୯୫୭ରେ ଉପମୁଖ୍ୟମନ୍ତ୍ରୀ ହୋଇ ଘରୋଇ, ଶିକ୍ଷା ଓ ଆଇନ ବିଭାଗର ମନ୍ତ୍ରୀ ହୋଇଥିଲେ। ପରବର୍ତ୍ତୀ ନିର୍ବାଚନ (୧୯୬୧)ରେ ପୁଣି ବିଜୟୀ ହୋଇ ୫ ବର୍ଷରୁ ଅଧିକ କାଳ ବାଚସ୍ପତି ଆସନ ଅଳଙ୍କୃତ କରିଥିଲେ। ଆଇନଜୀବୀ ଥିବା ସମୟରେ ସେ କଂଗ୍ରେସର ନେତା ଥିଲେ ଓ ଏଆଇସିସିର ସଦସ୍ୟ ତଥା ଗଞ୍ଜାମ ଜିଲା ବୋର୍ଡର ସଦସ୍ୟ ଥିଲେ। ସେ ୧୯୩୪ ମସିହାରେ ଲଣ୍ଡନ ଯାଇ ଗୋଲଟେବୁଲ ବୈଠକରେ ଯୋଗ ଦେଇଥିଲେ।
ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ରଙ୍ଗନାଥ ମିଶ୍ର ରାଜନୈତିକ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତା ପଣ୍ଡିତ ଗୋଦାବରୀଶ ମିଶ୍ର ଉତ୍କଳ ପ୍ରାଦେଶିକ କଂଗ୍ରେସ କମିଟିର ପ୍ରତିଷ୍ଠାତା ସଦସ୍ୟ, ସତ୍ୟବାଦୀ ଯୁଗର ପ୍ରସିଦ୍ଧ କବି ଓ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଭାବେ ସୁପରିଚିତ। ପଣ୍ଡିତ ମିଶ୍ର ଜୀବନର ସାୟାହ୍ନ କାଳରେ ଓଡ଼ିଶାରେ ଗଣତନ୍ତ୍ର ପରିଷଦର ସଭାପତି ହୋଇଥିଲେ। ଜଷ୍ଟିସ ରଙ୍ଗନାଥ ମିଶ୍ରଙ୍କ ଦୁଇଭାଇ ପଣ୍ଡିତ ରଘୁନାଥ ମିଶ୍ର ଓ ଲୋକନାଥ ମିଶ୍ର କଂଗ୍ରେସ ବିରୋଧୀ ରାଜନୀତି କରୁଥିଲେ ଓ ଯଥାକ୍ରମେ ଏମ୍‌ଏଲ୍‌ଏ, ଏମ୍‌ପି ହୋଇଥିଲେ। ଲୋକନାଥବାବୁ ଆସାମର ରାଜ୍ୟପାଳ ପଦ ମଣ୍ଡନ କରିଥିଲେ। ଜଷ୍ଟିସ୍‌ ରଙ୍ଗନାଥ ମିଶ୍ର ଅବସର ପରେ କଂଗ୍ରେସ ପ୍ରାର୍ଥୀ ଭାବେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ ଓ କଂଗ୍ରେସ ଦଳର ମାନବିକ ଅଧିକାର ସେଲ୍‌ର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ଗୁଣୁପୁର ଅଞ୍ଚଳର ବିଚାରପତି ପାପାନ୍ନା ଅବସର ଗ୍ରହଣ ପରେ ବିଜେଡିରେ ଯୋଗଦେଇ ଲୋକ ସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଗିରିଧର ଗମାଙ୍ଗଙ୍କ ଦ୍ୱାରା ପରାଜିତ ହୋଇଥିଲେ। ବିଚାରପତିମାନଙ୍କର ଅବସର ପରେ ରାଜନୈତିକ ଦଳରେ ଯୋଗଦାନକୁ କିନ୍ତୁ ବୁଦ୍ଧିଜୀବୀମାନେ ସହଜରେ ଗ୍ରହଣ କରିପାରନ୍ତି ନାହିଁ ଓ ଦଳ ସହିତ ଆଗରୁ ସମ୍ପର୍କ ସ୍ଥାପନ ହୋଇଥାଇପାରେ ବୋଲି ସନ୍ଦେହ ପ୍ରକଟ କରନ୍ତି।
ମୋ-୯୯୩୭୪୨୨୫୨୧