Categories: ଜାତୀୟ

ବିଚାରପତିଙ୍କ ରାୟ ବି ଭୁଲ୍‌ ହୋଇପାରେ

ନୂଆଦିଲ୍ଲୀ,୪-୧୦(ପି.ଟି.):ଆଦୌ ଭୁଲ୍‌ ରାୟ ଦେଇ ନ ଥିବା କୌଣସି ବିଚାରପତି ଦାବି କରିପାରିବେ ନାହିଁ। ରାୟ ପ୍ରଦାନରେ ସେମାନଙ୍କର ବି ଭୁଲ୍‌ ହୋଇପାରେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଦୁର୍ବ୍ୟବହାର, କୌଣସି ପ୍ରକାର ଆନୁଗତ୍ୟ, ବାହ୍ୟ ପ୍ରଭାବର ସ୍ପଷ୍ଟ ଅଭିଯୋଗ ନ ଥିଲେ କେବଳ ଭୁଲ ରାୟ ପାଇଁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ ନୁହେଁ।
ଗତ ସପ୍ତାହରେ ଜଷ୍ଟିସ୍‌ ଦୀପକ ଗୁପ୍ତା ଓ ଅନିରୁଦ୍ଧ ବୋଷଙ୍କ ଖଣ୍ଡପୀଠ ଦେଇଥିବା ରାୟ ଉପରେ ଏହା କହିଛନ୍ତି। ନିରପେକ୍ଷତା ଓ ନିର୍ଭୀକତା କେବଳ ଉଚ୍ଚତର କୋର୍ଟରୁ ନୁହେଁ, ଜିଲାସ୍ତରୀୟ ଅଦାଲତରୁ ମଧ୍ୟ ଆଶା କରାଯାଏ, କାରଣ ଅଧିକାଂଶ ମାମଲା ଏହି କୋର୍ଟଗୁଡିକରେ ବିଚାର ହୋଇଥାଏ। ତେଣୁ ତଳସ୍ତରର କୋର୍ଟଗୁଡିକ ସଚ୍ଚୋଟ, ନିର୍ଭୀକ, ବାହ୍ୟ ଚାପ ଓ ପ୍ରଭାବରୁ ମୁକ୍ତ ରହି ତଥ୍ୟପ୍ରମାଣ ଆଧାରରେ ବିଚାର କରିବା ଗୁରୁତ୍ୱପୂର୍ଣ୍ଣ। ବିହାରର ଜଣେ ନ୍ୟାୟିକ ଅଧିକାରୀଙ୍କ ପିଟିଶନ୍‌ର ଶୁଣାଣି ବେଳେ ଖଣ୍ଡପୀଠ ଏହା କହିଛନ୍ତି। ଏକ ହତ୍ୟା ମାମଲାରେ ଅଭିଯୁକ୍ତମାନଙ୍କ ଜାମିନକୁ ହାଇକୋର୍ଟ ଖାରଜ କରିଦେଇଥିବାବେଳେ ଉକ୍ତ ଅଧିକାରୀ ସେମାନଙ୍କୁ ଜାମିନ ପ୍ରଦାନ କରିଥିଲେ। ସେହିପରି ଅନ୍ୟ ଏକ ମାମଲାରେ ଅଭିଯୁକ୍ତଙ୍କୁ ମୁକ୍ତ କରିଦେଇଥିବା ଅଭିଯୋଗ ହୋଇଥିଲା। ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ହୋଇଥିତ୍ବା ନିଷ୍ପତ୍ତିକୁ ସେ ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ କରିଥିଲେ।

Share