ବିଚାରପତି ନିଯୁକ୍ତି ଓ କଲେଜିୟମ୍‌

ସୁରେନ୍ଦ୍ର କୁମାର ମିଶ୍ର
ବର୍ତ୍ତମାନ ବିଚାରପତି ନିଯୁକ୍ତି ପ୍ରକ୍ରିୟା ଉପରେ ଅନେକ ଆଲୋଚନା ବିଭିନ୍ନ ସ୍ତରରେ ହେଉଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଏ ପ୍ରସଙ୍ଗକୁ ନେଇ ଅଚଳାବସ୍ଥା ସୃଷ୍ଟି ହେବା ଓ ଉଚ୍ଚ ନ୍ୟାୟାଳୟର ସମସ୍ତ ବିଚାରପତି ଓ ଓକିଲ ସଂଘ ପରସ୍ପର ମୁହାଁମୁହିଁ ହେବା ପରି ଏକ ଦୁର୍ଭାଗ୍ୟଜନକ ଘଟଣା ସର୍ବସାଧାରଣଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି। ତେବେ ପ୍ରଶ୍ନ ଉଠୁଛି ବିଚାରପତି ଚୟନ ଓ ନିଯୁକ୍ତି ପଦ୍ଧତିରେ ସ୍ବଚ୍ଛତା ଅବଲମ୍ବନ କରାଯାଉଛି କି? ଯଦି ନୁହେଁ, ତେବେ ଏହା ପଛରେ ରହିଥିବା କାରଣ କ’ଣ?
ଭାରତୀୟ ସମ୍ବିଧାନରେ ଧାରା ୧୨୪, ୨୧୭ ଓ ୨୨୨ ଅନୁଯାୟୀ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଓ ପ୍ରତ୍ୟେକ ରାଜ୍ୟରେ ଥିବା ଉଚ୍ଚ ନ୍ୟାୟାଳୟରେ ବିଚାରପତିମାନଙ୍କର ନିଯୁକ୍ତି ଓ ବଦଳି ନିମନ୍ତେ ବ୍ୟବସ୍ଥା ଅଛି। ବିଚାରପତିମାନଙ୍କ ନିଯୁକ୍ତି ଓ ବଦଳି ଆଦିର ନିଷ୍ପତ୍ତି ସଂସଦୀୟ ବ୍ୟବସ୍ଥାର ମୁଖିଆ ଓ ନ୍ୟାୟପାଳିକାର ମୁଖ୍ୟଙ୍କ ମଧ୍ୟରେ ବିଚାରବିମର୍ଶ ହେଲା ପରେ ସହମତି ଭିତ୍ତିରେ ହୋଇଥାଏ ଓ ଏହା ଉପରେ ଭାରତର ରାଷ୍ଟ୍ରପତି ସ୍ବୀକୃତିର ମୋହର ଦେଇଥାନ୍ତି। ଆଗରୁ ଏହି ପଦ୍ଧତିକୁ ଅନୁସରଣ କରି ବିଚାରପତିଙ୍କର ଚୟନ ଓ ନିଯୁକ୍ତି ବେଶ୍‌ ସୁରୁଖୁରୁରେ ହେଉଥିଲା।
କିନ୍ତୁ ସ୍ବାଧୀନ ଭାରତର ଇତିହାସରେ ଜରୁରିକାଳୀନ ପରିସ୍ଥିତି ଘୋଷଣା ପରି ଏକ କଳଙ୍କମୟ ଅଧ୍ୟାୟ ତାହାର ଛାପ ନ୍ୟାୟପାଳିକା ଉପରେ ଏପରି ପକାଇଲା ଯେ ନ୍ୟାୟପାଳିକା ତାହାର ନିରପେକ୍ଷତା ରକ୍ଷା କରିବାରେ ଅସମର୍ଥ ହେଲା। ବିଚାରପତି ନିଯୁକ୍ତି ପ୍ରକ୍ରିୟାରେ କାର୍ଯ୍ୟପାଳିକାର ମାତ୍ରାଧିକ ହସ୍ତକ୍ଷେପ ଦେଖାଗଲା। ଧୀରେ ଧୀରେ ନ୍ୟାୟପାଳିକା ତା’ର ଗରିମା ହରାଇବାକୁ ଲାଗିଥିବା ବେଳେ ୧୯୯୩ ମସିହାରେ ଗୋଟିଏ ମାମଲାର ବିଚାର କରି ଭାରତର ସର୍ବୋଚ୍ଚ ନ୍ୟାୟାଳୟ ନିଜ ରାୟ ମାଧ୍ୟମରେ ବିଚାରପତି ଚୟନ, ନିଯୁକ୍ତି ଓ ବଦଳି ଆଦି ନିମନ୍ତେ ଏକ ନୂତନ ପଦ୍ଧତିର ମୂଳଦୁଆ ପକାଇଲେ। ଏହି ପଦ୍ଧତିକୁ କଲେଜିୟମ୍‌ କୁହାଗଲା, ଯାହା ଅନୁସାରେ ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଓ ତାଙ୍କର ଦୁଇ ବରିଷ୍ଠ ସହଯୋଗୀ ବିଚାରପତିଙ୍କୁ ନେଇ ବିଚାରପତି ଚୟନ, ନିଯୁକ୍ତି ଓ ବଦଳି ଆଦି କରାଯିବା ପାଇଁ ନିଷ୍ପତ୍ତି ହେଲା ଓ ରାଷ୍ଟ୍ରପତିଙ୍କ ସ୍ବୀକୃତି ନାମକୁମାତ୍ର ଲୋଡ଼ାଗଲା। ୧୯୯୮ରେ ତତ୍କାଳୀନ ରାଷ୍ଟ୍ରପତି କେ.ଆର୍‌. ନାରାୟଣନ୍‌ ଏହି କଲେଜିୟମ୍‌ ବ୍ୟବସ୍ଥା ସଂକ୍ରାନ୍ତ କେତେକ ଆଇନଗତ ପ୍ରଶ୍ନକୁ ନିଜର ସାମ୍ବିଧାନିକ କ୍ଷମତା ବଳରେ ସର୍ବୋଚ୍ଚ ନ୍ୟାୟାଳୟ ସାମ୍‌ନାରେ ଉତ୍ଥାପନ କରିଥିଲେ ଏବଂ ନ୍ୟାୟାଳୟ ଏହା ଉପରେ ନିଜର ମତାମତ ରଖି ନିଜ ଦ୍ୱାରା ସୃଷ୍ଟ କଲେଜିୟମ୍‌ ବ୍ୟବସ୍ଥା ଅନୁଯାୟୀ ବିଚାରପତି ଚୟନ, ନିଯୁକ୍ତି ଓ ବଦଳି ଆଦିର କ୍ଷମତା ନିଜ ପାଖରେ ରଖିଲେ।
ଏତେସବୁ ପରିବର୍ତ୍ତନ ଭିତରେ ନିରପେକ୍ଷ ନ୍ୟାୟପାଳିକା କିନ୍ତୁ ତାହାର ହୃତଗୌରବ ଆଉ ଫେରାଇ ଆଣିପାରିନି। କାର୍ଯ୍ୟପାଳିକାର ହସ୍ତକ୍ଷେପ ଓ ସ୍ବେଚ୍ଛାଚାରିତାରୁ ନିଜକୁ ରକ୍ଷା କରିବାର ଚେଷ୍ଟା ଭିତରେ ଧୀରେ ଧୀରେ ନ୍ୟାୟପାଳିକାରେ ସ୍ବେଚ୍ଛାଚାରିତା ପରି ଭୟଙ୍କର ରୋଗ ପ୍ରବେଶ କଲା। ବିଚାରପତି ଚୟନ ଓ ନିଯୁକ୍ତି ଆଦି ଭଳି ନିଷ୍ପତ୍ତିରେ ପରିବାରବାଦ, ପକ୍ଷପାତିତା ଓ ପ୍ରିୟାପ୍ରୀତି ତୋଷଣ ପରି ଦାଗର ଚିହ୍ନ ଦିଶିଲା। ଯେଉଁ ନ୍ୟାୟପାଳିକାର ବିଚାରପତିମାନେ ସମାଜରୁ ଦୁର୍ନୀତିର ମୂଳୋତ୍ପାଟନ କରି ଦୁର୍ନୀତିଗ୍ରସ୍ତମାନଙ୍କୁ ଦଣ୍ଡଦେବାର କ୍ଷମତାପ୍ରାପ୍ତ, ସେମାନଙ୍କ ମଧ୍ୟରୁ କେହି କେହି ଦୁର୍ନୀତିରୁ ନିଜକୁ ଦୂରେଇ ନ ପାରି ପ୍ରତ୍ୟକ୍ଷ ବା ପରୋକ୍ଷରେ ସେଥିରେ ସଂଶ୍ଳିଷ୍ଟ ହୋଇପଡିଲେ। ଧୀରେ ଧୀରେ ଲୋକମତ ନ୍ୟାୟପାଳିକା ଓ ବିଚାରପତିମାନଙ୍କ ସାଧୁତା ଉପରେ ପ୍ରଶ୍ନବାଚୀ ଲଗାଇଲା।
ଜାନୁୟାରୀ ୨୦୧୩ରେ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ କଲେଜିୟମ୍‌ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ କୌଣସି ଚେଷ୍ଟା ଗ୍ରହଣୀୟ ନୁହେଁ ବୋଲି ମତ ରଖିଲେ। ୨୦୧୩ରେ ସଂସଦରେ National Judicial Appointments Commission (NJAC)ର ବ୍ୟବସ୍ଥା ସର୍ବସମ୍ମତିକ୍ରମେ ଅଣାଗଲା ଏବଂ ସମ୍ବିଧାନର ୧୨୦ତମ ସଂଶୋଧନ ବିଲ୍‌, ୨୦୧୩ ଅନୁଯାୟୀ ସମ୍ବିଧାନର ଧାରା ୧୨୪(୨) ଓ ୨୧୭(୧)ରେ ପରିବର୍ତ୍ତନ କରାଗଲା। ଏହି ବ୍ୟବସ୍ଥା ଦ୍ୱାରା ସର୍ବୋଚ୍ଚ ଅଦାଲତର ପ୍ରଧାନ ବିଚାରପତି, ତାଙ୍କର ଦୁଇଜଣ ବରିଷ୍ଠ ସହଯୋଗୀ ବିଚାରପତି, କେନ୍ଦ୍ର ସରକାରଙ୍କ ଆଇନ ମନ୍ତ୍ରୀ ଓ ଦୁଇଜଣ ସମାଜର ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଦ୍ୱାରା ବିଚାରପତି ଚୟନ ହେବା ପରେ ରାଷ୍ଟ୍ରପତିଙ୍କ ଦ୍ୱାରା ଅନୁମୋଦିତ ହୋଇ ବିଚାରପତି ନିଯୁକ୍ତି ହେବାର ବ୍ୟବସ୍ଥା କରାଗଲା। ହେଲେ ଏହି ବ୍ୟବସ୍ଥାକୁ ସର୍ବୋଚ୍ଚ ବିଚାରାଳୟ ୧୬ ଅକ୍ଟୋବର ୨୦୧୫ରେ ଅବୈଧ ଘୋଷଣା କରିବା ସଙ୍ଗେ ସଙ୍ଗେ କଲେଜିୟମ୍‌ ପଦ୍ଧତିକୁ ପୂର୍ବବତ୍‌ ଚାଲୁରଖିଲେ। କେବଳ ଗୋଟିଏ ନୂଆ ଦିଗ ସେଥିରେ ଯୋଡ଼ିଦେଲେ, ଯାହାକୁ Memorandum of Procedure (MOP) ବୋଲି କୁହାଗଲା। ଏହି MOP ଅନୁସାରେ କିଛି ପ୍ରସଙ୍ଗରେ ନ୍ୟାୟପାଳିକାର କଲେଜିୟମ୍‌ ଓ ସରକାରଙ୍କ ମଧ୍ୟରେ ଏକ ବୁଝାମଣାର ବ୍ୟବସ୍ଥା ରହିଲା ଓ ତାହାକୁ ଉଭୟ ଅନୁସରଣ କରିବା ପାଇଁ ପ୍ରତିବଦ୍ଧତା ରହିଲା।
ଏହି ପରିପ୍ରେକ୍ଷୀରେ ଓଡ଼ିଶା ହାଇକୋର୍ଟ କଲେଜିୟମ୍‌ର ୨୦୧୮ ଓ ୨୦୧୯ରେ ବିଚାରପତି ନିଯୁକ୍ତି ପାଇଁ ଚୟନ ହୋଇଥିବା ପ୍ରାର୍ଥୀଙ୍କ ବିଷୟ ବିଚାରକୁ ନେବା ଆବଶ୍ୟକ। ୨୦୧୮ରେ ଓଡ଼ିଶା ହାଇକୋର୍ଟର କଲେଜିୟମ୍‌ ୧୨ଜଣ ପ୍ରାର୍ଥୀଙ୍କ ନାମ ମନୋନୀତ କରି ସୁପ୍ରିମକୋର୍ଟର କଲେଜିୟମ୍‌ ପାଖକୁ ପଠାଇଲେ। ସେଥିମଧ୍ୟରୁ ୮ ଜଣ ଥିଲେ ଓକିଲ ଓ ୪ଜଣ ବିଚାର ବିଭାଗର ଅଫିସର। କଲେଜିୟମ୍‌ ଓ ସରକାରଙ୍କ ବୁଝାମଣା ଅନୁଯାୟୀ ଓକିଲମାନଙ୍କର ବୟସ, ଆୟ ଇତ୍ୟାଦିର ସୀମା ଧାର୍ଯ୍ୟ ହୋଇଛି। ଯେଉଁ ଓକିଲମାନଙ୍କ ନାମ ଓଡ଼ିଶା ହାଇକୋର୍ଟର କଲେଜିୟମ୍‌ ସୁପାରିସ କରିଥିଲେ, ସେମାନଙ୍କର ଆୟ ଉପରୋକ୍ତ ସୀମାଠାରୁ କମ୍‌ ଥିବା ହେତୁ ସୁପ୍ରିମ୍‌କୋର୍ଟର କଲେଜିୟମ୍‌ ସେମାନଙ୍କ ସୁପାରିସକୁ ଅଗ୍ରାହ୍ୟ କରିଥିଲେ। ସେହିପରି ଯେଉଁ ୪ଜଣ ଜିଲା ଜଜ୍‌ ପାହ୍ୟାର ଅଫିସରଙ୍କ ନାମ ଓଡ଼ିଶା ହାଇକୋର୍ଟର କଲେଜିୟମ୍‌ ସୁପାରିସ କରିଥିଲେ ତନ୍ମଧ୍ୟରୁ ୩ ଜଣଙ୍କର ସମ୍ବିଧାନର ଧାରା ୨୧୭(୨) ଅନୁସାରେ ୧୦ ବର୍ଷର ଚାକିରି ଅବଧି ପୂରଣ ହୋଇ ନ ଥିବାରୁ ସେମାନଙ୍କ ନାମ ମଧ୍ୟ ସୁପ୍ରିମ୍‌କୋର୍ଟ କଲେଜିୟମ୍‌ ଦ୍ୱାରା ଅଗ୍ରାହ୍ୟ ହେଲା ଓ ମାତ୍ର ଜଣେ ହାଇକୋର୍ଟ ଜଜ୍‌ ହିସାବରେ ୨୦୧୫ରୁ ଖାଲିଥିବା ଜଜ୍‌ ପଦରେ ନିଯୁକ୍ତି ପାଇଲେ। ତେବେ ପ୍ରଶ୍ନ ଉଠେ, ଯଦି ୨୦୧୮ରେ ୩ ଜଣ ଅଫିସର ସମ୍ବିଧାନ ଅନୁଯାୟୀ ହାଇକୋର୍ଟ ଜଜ୍‌ ପଦ ପାଇଁ ଯୋଗ୍ୟତା ହାସଲ କରିପାରି ନ ଥିଲେ, ତେବେ ସେମାନଙ୍କ ନାମ ୨୦୧୫ରୁ ୨୦୧୮ ଭିତରେ ଖାଲି ପଡ଼ିଥିବା ଜଜ୍‌ ପଦ ପାଇଁ କିପରି ଓ କାହିଁକି ସୁପାରିସ କରାଯାଇଥିଲା? ଓଡ଼ିଶା ହାଇକୋର୍ଟ କଲେଜିୟମ୍‌ର ବିଚାରପତିମାନେ କ’ଣ ସମ୍ବିଧାନର ଏହି ବ୍ୟବସ୍ଥା ତଥା MOPରେ ରହିଥିବା ବ୍ୟବସ୍ଥା ଜାଣି ନ ଥିଲେ?
ବର୍ତ୍ତମାନ ପୁଣି ୨୦୧୯ରେ ଓଡ଼ିଶା ହାଇକୋର୍ଟ କଲେଜିୟମ୍‌ ୮ଜଣ ଓକିଲ ଓ ୪ଜଣ ଜିଲା ଜଜ୍‌ଙ୍କ ନାମକୁ ଜଜ୍‌ ପଦ ପାଇଁ ସୁପାରିସ କରି ସୁପ୍ରିମ୍‌କୋର୍ଟ କଲେଜିୟମ୍‌କୁ ପଠାଇଲେ। ୮ଜଣ ଓକିଲଙ୍କ ମଧ୍ୟରୁ ଜଣେ ଓଡ଼ିଶା ହାଇକୋର୍ଟରେ କାର୍ଯ୍ୟରତ ନୁହନ୍ତି ବୋଲି ଓକିଲ ସଂଘ ତରଫରୁ ପ୍ରତିବାଦ କରାଯାଇଥିଲା। କିନ୍ତୁ ସେହି ପ୍ରାର୍ଥୀଙ୍କୁ ସୁପ୍ରିମ୍‌କୋର୍ଟ କଲେଜିୟମ୍‌ ଚୟନ କରି ଓଡ଼ିଶା ହାଇକୋର୍ଟରେ କାର୍ଯ୍ୟରତ ୬ଜଣ ଓକିଲଙ୍କ ନାମ ଫେରାଇ ଦେଇଥିବା ବେଳେ ମାତ୍ର ଜଣଙ୍କର ନାମ ବିଚାରାଧୀନ ରଖିଛନ୍ତି। ସେହିପରି ବିଚାରବିଭାଗର ଯେଉଁ ୪ଜଣ ଅଫିସରଙ୍କ ନାମ ଓଡ଼ିଶା ହାଇକୋର୍ଟ କଲେଜିୟମ୍‌ ସୁପାରିସ କରିଥିଲେ ସେମାନଙ୍କ ମଧ୍ୟରେ ୨୦୧୮ ମସିହାର ଅକୃତକାର୍ଯ୍ୟ ତଥା ସମ୍ବିଧାନ ଅନୁଯାୟୀ ଅଯୋଗ୍ୟ ଥିବା ୩ଜଣ ପ୍ରାର୍ଥୀଙ୍କ ନାମ ସାମିଲ ଥିଲା। ୨୦୧୯ରେ ୪ଜଣ ବିଚାର ବିଭାଗ ଅଫିସରଙ୍କ ମଧ୍ୟରୁ ଜଣେ ଅଫିସରଙ୍କ ନାମ ସୁପ୍ରିମ୍‌କୋର୍ଟ କଲେଜିୟମ୍‌ ଗ୍ରହଣ କଲେ। ଶୁଣାଯାଏ ଏହି ଯୋଗ୍ୟ ବିବେଚିତ ପ୍ରାର୍ଥୀ (ଜିଲା ଜଜ୍‌) ୨୦୧୮ ଡିସେମ୍ବରରେ ଚାକିରିରେ ୧୦ ବର୍ଷ ପୂରଣ କରିଛନ୍ତି। ତେବେ ଯେଉଁ ଜଜ୍‌ ପଦବୀଗୁଡ଼ିକ ୨୦୧୮ ଡିସେମ୍ବର ପୂର୍ବରୁ ପୂରଣ ନ ହୋଇ ଖାଲିପଡ଼ିଛି, ସେହି ପଦବୀ ପୂରଣ ପାଇଁ ଏହି ଜିଲା ଜଜ୍‌ କିପରି ଯୋଗ୍ୟ ବିବେଚିତ ହେଲେ? ଏତେଦିନ ଧରି ଜଜ୍‌ ପଦବୀ ଖାଲି ପଡ଼ିଲା ଓ ବିଚାର ବିଭାଗର ଅନେକ ଜିଲାଜଜ୍‌ ଏସବୁ ପଦବୀ ପାଇଁ ଯୋଗ୍ୟ ଥିଲାବେଳେ ସେମାନଙ୍କ ନାମ କାହିଁକି ସୁପାରିସ କରାଯାଇ ନ ଥିଲା? ଇତିମଧ୍ୟରେ ସେପରି ଅଫିସରଙ୍କ ମଧ୍ୟରୁ କିଛି ଅବସର ନେଲେଣି ଓ କିଛି ଏବେ ମଧ୍ୟ କାର୍ଯ୍ୟରତ।
ସର୍ବୋଚ୍ଚ ନ୍ୟାୟାଳୟ ଓ ଓଡ଼ିଶା ହାଇକୋର୍ଟର କଲେଜିୟମ୍‌ ସାମ୍ବିଧାନିକ ବ୍ୟବସ୍ଥା ଓ MOP ନିୟମ ନିଶ୍ଚୟ ଜାଣିଛନ୍ତି। ସେମାନେ ବିଚାରକରି ଯୋଗ୍ୟ ପ୍ରାର୍ଥୀ ଚୟନ କରିବାର କ୍ଷମତା ମଧ୍ୟ ରଖିଛନ୍ତି। ତେବେ ୨୦୧୮ ଓ ୨୦୧୯ରେ ସୁପାରିସ ହୋଇଥିବା ସମୁଦାୟ ୨୪ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ କାହିଁକି ମାତ୍ର ୩ ଜଣଙ୍କୁ ଯୋଗ୍ୟ ଘୋଷଣା କରାଗଲା? ତେଣୁ ପ୍ରଶ୍ନ ଉଠେ ଏପରି ଘଟଣା ଘଟିବାର କାରଣ କ’ଣ ନ୍ୟାୟପାଳିକାରେ ସ୍ବଚ୍ଛତାର ଅଭାବ?
ମୋ ବିଚାରରେ ସର୍ବସାଧାରଣଙ୍କ ମନରେ ନ୍ୟାୟପାଳିକା ପ୍ରତି ଆସ୍ଥା ଓ ବିଶ୍ୱାସ ଜନ୍ମାଇବା ପାଇଁ ବର୍ତ୍ତମାନ ନ୍ୟାୟପାଳିକାର ଦୁଇ ଅଙ୍ଗ ଯଥା ବିଚାରପତି ଓ ଓକିଲଙ୍କ ମଧ୍ୟରେ ଲଢ଼େଇ ମନୋଭାବ ନ ରହୁ ବରଂ ଏକ ସମାଧାନର ସୂତ୍ର ନେଇ ଉଭୟେ ଜନସାଧାରଣଙ୍କ ମନରେ ନ୍ୟାୟପାଳିକା ପ୍ରତି ସମ୍ମାନ ଓ ବିଶ୍ୱାସ ସୃଷ୍ଟି କରିବାର ମାର୍ଗ ଖୋଜନ୍ତୁ।
ଆଇନଜୀବୀ, କାଠଗଡ଼ା, ଢେଙ୍କାନାଳ, ମୋ-୯୯୩୭୧୩୧୦୯୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବୟସ ୨୫, ହେଲେ ଜାସ୍‌ କାଲ୍‌ରାଙ୍କ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ତଥା ପ୍ରେରଣାଦାୟକ। ଏହି ବୟସରେ ଜାସ୍‌ ଗୁରୁଗ୍ରାମରେ ଏକ ଆଶ୍ରୟସ୍ଥଳୀରେ ୧,୨୦୦ ଅସହାୟ ଲୋକଙ୍କୁ...

ନାଗା ସୃଜନ ନାୟିକା

ଏବେ ସାହିତ୍ୟରେ ଗୋଟେ ନୂଆ ଫର୍ମାଟ୍‌ ବିକଶିତ ହୋଇଛି। ପୁରୁଣା କଥାବସ୍ତୁ, ପୌରାଣିକ ଆଖ୍ୟାୟିକା, ଐତିହାସିକ ଘଟଣାବଳୀକୁ ଲେଖକମାନେ ନୂତନ ଢଙ୍ଗରେ ବ୍ୟାଖ୍ୟାନ କରି ବଡ଼...

ଗଣତନ୍ତ୍ରରେ ଦଳ ଓ ସରକାର

ଆମ ଦେଶ ଯେ ବିଶ୍ୱରେ ଏକ ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ପରିଚିତ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ୭୮ ବର୍ଷ ଧରି ନିରବଚ୍ଛିନ୍ନ ଭାବେ...

ଆଗକୁ କ’ଣ ଘଟିବ

୨୦୨୫ ବର୍ଷଟି ବିଭିନ୍ନ ଉପାୟରେ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବ। ଡୋନାଲ୍ଡ ଟ୍ରମ୍ପ ଆସନ୍ତା ମାସରେ ପୁନର୍ବାର ଆମେରିକାର ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବା...

ମୁଁ କାହିଁକି ବାହାହେବି

ରତୀୟ ପରମ୍ପରାରେ ବିବାହ ହେଉଛି ଏକ ପବିତ୍ର ବନ୍ଧନ। ସାମାଜିକ ଚଳଣି ଓ ଜୀବନ ନିର୍ବାହ ନିମନ୍ତେ ବିବାହ ଜରୁରୀ। ଜଣେ ମଣିଷର ଜୀବନ ହେଉଛି...

ରାଜ୍ୟ ପିତୃତ୍ୱବାଦ ଓ ନିମ୍ନ ଆକାଂକ୍ଷା

ଆମ ରାଜ୍ୟରେ ସତ୍ତା ବଦଳିଛି। ଦୀର୍ଘ ୨୪ ବର୍ଷର ପୂର୍ବ ସରକାର ସମୟରେ ଓଡ଼ିଶାର ପ୍ରଗତି କେତେ ହେଲା ତାହା ବିତର୍କର ବିଷୟ। ମାତ୍ର ପୂର୍ବ...

Dillip Cherian

ନିର୍ଦ୍ଦେଶକୁ ଅଣଦେଖା

ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କ ନିଯୁକ୍ତି ବିଷୟରେ ସୁପ୍ରିମକୋର୍ଟଙ୍କୁ ପୁଣି ଥରେ ରାଜ୍ୟଗୁଡ଼ିକୁ ସେମାନଙ୍କର ଦାୟିତ୍ୱ ସମ୍ପର୍କରେ ସ୍ମରଣ କରାଇବାକୁ ପଡ଼ିଛି। ଏହା ଚିନ୍ତାଜନକ ଯେ, ପ୍ରକାଶ...

ଗୃହ ସଞ୍ଚୟର ଆର୍ଥିକୀକରଣ

ଆମେରିକାରେ ୧୯୭୦ ଦଶକରେ ଘରୋଇ ଆୟର ଆର୍ଥିକୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଭାରତୀୟ ମହାନଗରରେ ୨୦୦୦ ଦଶକର ପ୍ରାରମ୍ଭରେ ଏହି ଧାରା ଆରମ୍ଭ ହୋଇଥିଲା। ଏବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri