Categories: ଜାତୀୟ

ବିଚାରପତି ସୁଧୀର ଅଗ୍ରଓ୍ବାଲ: ୧୫ ବର୍ଷରେ ଲକ୍ଷେ ୩୦ ହଜାର ମାମଲାର ଫଇସଲା

ନୂଆଦିଲ୍ଲୀ,୨।୧୧: ଦେଶର ବିଭିନ୍ନ କୋର୍ଟରେ ଶହ ଶହ ମାମଲାର ବିଚାର ନ ହୋଇ ପଡ଼ି ରହିଛି। ଏପରିସ୍ଥଳେ ଆହ୍ଲାବାଦ୍‌ ହାଇକୋର୍ଟର ବିଚାରପତି ସୁଧୀର ଅଗ୍ରଓ୍ବାଲ ଏକ ନିଆରା ରେକର୍ଡ କରିଛନ୍ତି। ସେ ୧୫ ବର୍ଷ ମଧ୍ୟରେ ଲକ୍ଷେ ୩୦ ହଜାର ୪ ଶହ ୧୮ଟି ମାମଲାର ଫଇସଲା କରିବାର ଗୌରବ ଅର୍ଜନ କରିଛନ୍ତି। ଭାରତର ଏକମାତ୍ର ବିଚାରପତି ଭାବେ ସୁଧୀରଙ୍କ ନାମରେ ଏହି ରେକର୍ଡ ରହିଛି। ୨୦୧୯ ଅକ୍ଟୋବର ୩୧ ସୁଦ୍ଧା ସେ ଏହି ରେକର୍ଡ କରିଛନ୍ତି। ରାମଜନ୍ମଭୂମି- ବାବରି ମସଜିଦ୍‌ ମାମଲାର ଫଇସଲା ମଧ୍ୟ ସେ କରିଛନ୍ତି। ସେ ମନ୍ତ୍ରୀ ତଥା ସରକାରୀ ଅଫିସରଙ୍କ ସନ୍ତାନଙ୍କୁ ସରକାରୀ ପ୍ରାଥମିକ ସ୍କୁଲରେ ପାଠ ପଢ଼ାଇବା ଲାଗି ନିର୍ଦ୍ଦେଶ ଜାରି କରି ଚର୍ଚ୍ଚିତ ହୋଇଥିଲେ। ସେହିପରି ନଜୁଲ ଜମିରୁ ଅବୈଧ କବ୍‌ଜା ହଟାଇବା, ସରକାରୀ କର୍ମଚାରୀଙ୍କୁ ସରକାରୀ ହସ୍ପିଟାଲରେ ଚିକିତ୍ସା ଲାଗି ନିର୍ଦ୍ଦେଶ, ଧାରଣା-ବିକ୍ଷୋଭ ପ୍ରଦର୍ଶନ ବେଳେ ନଷ୍ଟ ହେଉଥିବା ସରକାରୀ ସମ୍ପତ୍ତିର ଭରଣା, ଜ୍ୟୋତିଷପୀଠ ଶଙ୍କରାଚାର୍ଯ୍ୟ ପଦବୀର ବିବାଦ, ଶଙ୍କରଗଡ଼ ରାଣୀଙ୍କଠାରୁ ୪୫ ଟି ଗାଁ ମୁକ୍ତ କରାଇବା ଆଦି ମାମଲାର ଫଇସଲା କରି ବିଶେଷ ଖ୍ୟାତି ହାସଲ କରିଥିଲେ। ସୁଚନାଯୋଗ୍ୟ, ସୁଧୀର ଉତ୍ତରପ୍ରଦେଶ ଫିରୋଜାବାଦ୍‌ର ବାସିନ୍ଦା।

Share