ବିଚାର ହେବନି ଏକକାଳୀନ ୧୦ରୁ ଊର୍ଦ୍ଧ୍ୱ ମାମଲା

କଟକ ଅଫିସ୍‌,୧୪।୩: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମ୍‌କୋର୍ଟ ଏବଂ ରାଜ୍ୟର ଅନ୍ୟ କେତେକ ହାଇକୋର୍ଟ ଭଳି ଓଡ଼ିଶା ହାଇକୋର୍ଟ ମଧ୍ୟ ଶୁକ୍ରବାର ସ୍ବତନ୍ତ୍ର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ହାଇକୋର୍ଟ ପରିସରରେ ଅଯଥା ଗହଳି ନ କରିବା ଏବଂ ଏକକାଳୀନ ୧୦ରୁ ଅଧିକ ମାମଲା ଶୁଣାଣି ଉପରେ କଟକଣା ଜାରି କରାଯାଇଛି।
ହାଇକୋର୍ଟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ, ବିଶ୍ୱରେ ଏବେ କରୋନା ଭୂତାଣୁ ବ୍ୟାପିବାରେ ଲାଗିଛି। ବିଶ୍ୱ ସମୁଦାୟ ପାଇଁ ଏହା ବିପଦ ସୃଷ୍ଟି କଲାଣି। ଡବ୍ଲୁଏଚ୍‌ଓ ପକ୍ଷରୁ ଏହାକୁ ମହାମାରୀ ଭାବେ ଘୋଷଣା କରାଯାଇଛି। ବିଭିନ୍ନ ଦେଶ ଏବଂ ସଙ୍ଗଠନ ଏହାର ମୁକାବିଲା ପାଇଁ ପଦକ୍ଷେପ ନେଉଛନ୍ତି। ଭାରତରେ ମଧ୍ୟ ଧୀରେ ଧୀରେ ବ୍ୟାପୁଛି । ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଆଗୁଆ ସତର୍କତାମୂଳକ ପ୍ରତଷେଧକ ପଦକ୍ଷପ ନେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ହାଇକୋର୍ଟ ମଧ୍ୟ କରୋନା ଭୂତାଣୁକୁ ନେଇ ସର୍ତକର୍ତ୍ତା ଅବଲମ୍ବନ କରିଛନ୍ତି। ଅଦାଲତ ଭିତରକୁ ଦଳ ଦଳ ହୋଇ ଭ୍ରମଣକାରୀଙ୍କ ପ୍ରବେଶକୁ ନିଷେଧ କରାଯାଇଛି। କେବଳ ମାମଲା ପରିଚାଳନା କରୁଥିବା ସମ୍ପୃକ୍ତ ଆଇନଜୀବୀ ପ୍ରବେଶ କରିବେ। ଆବଶ୍ୟକ ସ୍ଥଳେ ଶୁଣାଣି ହେବାକୁ ଥିବା ମାମଲାର ପକ୍ଷଭୁକ୍ତମାନେ ଅଦାଲତରେ ପ୍ରବେଶ କରିପାରିବେ। ଅତି ଆବଶ୍ୟକ ସ୍ଥଳେ କେବଳ ୧୦ଟି ମାମଲାରୁ ଅଧିକ ବିଚାର ଏକ ସମୟରେ କରାଯିବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ନିରାପଦ ଦୃଷ୍ଟିରୁ କୋର୍ଟ ବାହାରେ ମଧ୍ୟ ଦଳଦଳ ହୋଇ ଲୋକେ ଏକାଠି ନ ରହିବାକୁ ରେଜିଷ୍ଟ୍ରାର ଜୁଡିସିଆଲଙ୍କ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି।

Share